ଓଡ଼ିଶାଲାଇଭ ବ୍ୟୁରୋ

ନିକଟରେ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ରୂପେ ଓଡ଼ିଆ ପୁଅ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ନିଯୁକ୍ତି ମିଳିଛି। ଓଡ଼ିଶାର ଏକ ଛୋଟ ଗାଁରୁ ଯାଇ ଦିଲ୍ଲୀରେ ଭାରତୀୟ ପାଣିପାଗ ବିଭାଗରେ କାମ କରି ନାଁ କରିଛନ୍ତି ଏହି ଓଡ଼ିଆ ପୁଅ। ଆଜି ତାଙ୍କ ପାଇଁ ଗର୍ବ କରୁଛି ସାରା ଓଡ଼ିଶା।

ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ରୂପେ ନିଯୁକ୍ତି ମିଳିବା ପରେ ଓଡ଼ିଶାଲାଇଭ ଜାଣିବାକୁ ଚାହିଁଥିଲା ଏହି ଓଡ଼ିଆଙ୍କ ବିଷୟରେ। ଏଥିପାଇଁ ତାଙ୍କ ସହିତ ଫୋନ ଯୋଗେ ସମ୍ପର୍କ କରିଥିଲେ ଓଡ଼ିଶାଲାଇଭ୍ ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ। ଭାରତୀୟ ପାଣିପାଗ ବିଭାଗରେ ନିଜର ଦୀର୍ଘବର୍ଷର ଯାତ୍ରା ସମ୍ପର୍କରେ ଓଡ଼ିଶାଲାଇଭକୁ ଫୋନ ଯୋଗେ କହିଥିଲେ ମୃତ୍ୟୁଞ୍ଜୟ ମହାପାତ୍ର। ଏହି ମଧ୍ୟରେ ସେ ଆଗାମୀ ୫ ବର୍ଷର ଯୋଜନା ଏବଂ ଚାଲେଞ୍ଜ ସମ୍ପର୍କରେ ମଧ୍ୟ ସଂକ୍ଷେପରେ କହିଥିଲେ।

କାହିଁକି ପାଣିପାଗ ବିଜ୍ଞାନୀ ହେବାକୁ ମନ ବଳାଇଲେ ମୃତ୍ୟୁଞ୍ଜୟ?

‘‘ଭଦ୍ରକର ଏକ ଛୋଟିଆ ଗାଁ ରାଜଗୁରୁପୁରରୁ ଆସି ଦିଲ୍ଲୀରେ ପହଞ୍ଚିଲି। ଦଶମ ଶ୍ରେଣୀରେ ପାଠ ପଢ଼ିବା ଯାଏଁ ମୁଁ ଭ୍ରଦକ ଦେଖିନଥିଲି। ନ୍ୟାସନାଲ ହାଇଓ୍ୱେ, ରେଲଓ୍ୱେ ଲାଇନ ଦେଖିନଥିଲି। ବର୍ତ୍ତମାନ ମୁଁ ଦିଲ୍ଲୀରେ ପହଞ୍ଚି ପାରିଛି। ଅନେକ ଜାତୀୟ, ଆନ୍ତର୍ଜାତିକ ଦାୟିତ୍ୱକୁ ନେଇ ବିଦେଶକୁ ଯାଇ ପାରୁଛି। ଅନେକ ଉତଥାନ ପତନ ପରେ ବହୁତ ସଂଘର୍ଷ ଭିତରେ ମୁଁ ଆଜି ଦିଲ୍ଲୀରେ ଭାରତୀୟ ପାଣିପାଗ ବିଭାଗରେ କାମ କରୁଛି’’ ଏ କଥା କହିଛନ୍ତି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର।

ସେ ଆହୁରି ମଧ୍ୟ କହିଛନ୍ତି, ‘‘ଓଡ଼ିଆ ପରିବାର ସାଧାରଣତଃ ଚାଷ ଉପରେ ନିର୍ଭର କରନ୍ତି। ମୁଁ ମଧ୍ୟ ଜଣେ ଚାଷୀ ପରିବାରୁ ଆସିଛି। ମୋ ବାପା ଚାଷ କରୁଥିଲେ। ପୂରା ପରିବାର ବାପାଙ୍କ ଉପରେ ନିର୍ଭର କରୁଥିଲା। ହେଲେ ଚାଷ ପୂରା ବର୍ଷା ଉପରେ ନିର୍ଭରଶୀଳ। ଯଦି ପାଣିପାଗ ଠିକ ନରହିଲା ତ କେତେବେଳେ ବାତ୍ୟା, ବନ୍ୟା ଆଉ କେତେବେଳେ ମରୁଡ଼ି ହେବ ତାହା କହିହେବ ନାହିଁ। ଯାହାଫଳରେ ଚାଷ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଥିାଏ। ତେଣୁ ପୂର୍ବରୁ ପାଣିପାଗ କଥା ଜାଣିବା ପାଇଁ  ପିଲାବେଳୁ ପାଣିପାଗ ବିଜ୍ଞାନୀ ହେବାକୁ ମୁଁ ଇଚ୍ଛା ରଖିଥିଲି’’।

ଯେତେବେଳେ ସେ ଛଅ ବର୍ଷର ହୋଇଥିଲେ ସେତେବେଳେ ଏକ ବଡ଼ ବାତ୍ୟାର ସାମ୍ନା କରିଥିଲା ଭଦ୍ରକ। ୧୯୭୧ ମସିହାରେ ହୋଇଥିବା ବାତ୍ୟାରେ ପ୍ରାୟ ୧୦ ହଜାର ଲୋକ ପ୍ରାଣ ହରାଇଥିଲେ। ସେହି ଘଟଣା ତାଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା। ପରବର୍ତ୍ତୀ ସମୟରେ ସୌଭାଗ୍ୟବଶତଃ ୧୯୯୨ରେ ଭାରତୀୟ ପାଣିପାଗ ବିଭାଗରେ ତାଙ୍କୁ କାମ କରିବାକୁ ସୁଯୋଗ ମିଳିଥିଲା କହିଛନ୍ତି ବୋଲି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର।

୧୯୯୯ ମସିହା ମହାବାତ୍ୟାରେ ମୃତ୍ୟୁଞ୍ଜୟଙ୍କର ଭୂମିକା କ’ଣ ଥିଲା?

‘‘୧୯୯୮ ମସିହାରେ ଭୁବନେଶ୍ୱର ପାଣିପାଗ କେନ୍ଦ୍ରରେ ନଯୁକ୍ତି ପାଇଥିଲି। ୧୯୯୯ରେ ଓଡ଼ିଶା ସାମ୍ନା କଲା ମହାବାତ୍ୟାକୁ। ବାତ୍ୟା କ’ଣ ଜଣାଥିଲେ ବି ସେତେବେଳେ କିଛି ଟେକନୋଲୋଜୀ ନଥିଲା ବାତ୍ୟାର ପୂର୍ବାନୁମାନ କରିବା ପାଇଁ। ମାତ୍ର ୨୪ ଘଣ୍ଟାର ସଠିକ ପୂର୍ବାନୁମାନ କରିବାକୁ ଆମେ ସକ୍ଷମ ଥିଲୁ’’ କହିଥିଲେ ମୃତ୍ୟୁଞ୍ଜୟ।

ସେ ଆହୁରି କହିଥିଲେ, ‘‘ବାତ୍ୟା ପୂର୍ବ ଦିନ ଯେତେବେଳେ ଦ୍ୱି ପ୍ରହରରେ ଘୋଷଣା କରାଗଲା ବାତ୍ୟା ଓଡ଼ିଶା ଉପକୂଳ ଛୁଇଁ ପାରାଦୀପ ଦେଇ ଅତିକ୍ରମ କରିବ। ହେଲେ ସନ୍ଧ୍ୟାବେଳେ କଲିକତାସ୍ଥିତ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଗଲା ବାତ୍ୟା ତା’ର ଦିଗ ପରିବର୍ତ୍ତନ କରୁଛି। ସେତେବେଳେ ମୋ ପାଖକୁ ଫୋନ ଆସିଲା। ମାତ୍ର ମୋର ବିଶ୍ୱାସ ଥିଲା ଯେ ବାତ୍ୟା ପାରାଦୀପ ଆସୁଛି। ମୁଁ ପୁଣି ଦିଲ୍ଲୀ ଅଫିସ ଫୋନ କଲି। ଦିଲ୍ଲୀ ଅଫିସରୁ କୁହାଗଲା ଯେ ବାତ୍ୟା ପାରଦୀପ ହିଁ ଆସୁଛି।

ଫନିରେ କେମିତି ଥିଲା ମୃତ୍ୟୁଞ୍ଜୟଙ୍କ ପୂର୍ବାନୁମାନ?

୨୦୧୯ ରେ ହୋଇଥିବା  ବାତ୍ୟା ଫନିର ମଧ୍ୟ ପୂର୍ବାନୁମାନ କରିଥିଲେ ମୃତ୍ୟୁଞ୍ଜୟ ମହାପାତ୍ର। ତାଙ୍କର ପୂର୍ବାନୁମାନ ସମ୍ପୂର୍ଣ୍ଣ ସଠିକ ରହିଥିଲା। ସେଥିପାଇଁ ତାଙ୍କୁ ‘ସାଇକ୍ଲୋନ ମ୍ୟାନ ଅଫ୍ ଇଣ୍ଡିଆ‘ ବୋଲି ମଧ୍ୟ କୁହଯାଉଛି। ଏହି ପ୍ରସଙ୍ଗରେ ମୃତ୍ୟୁଞ୍ଜୟ କହନ୍ତି, ସେ ପାଣିପାଗ ବିଭାଗରେ କାର୍ଯ୍ୟ କରିବା ଭିତରେ ପ୍ରାୟ ୫୦ରୁ ଅଧିକ ବାତ୍ୟାର ପୂର୍ବାନୁମାନ କରିଛନ୍ତି। ସବୁ ସାଇକ୍ଲୋନର ରୂପରେଖ ଭିନ୍ନ ଥାଏ। ସବୁ ବାତ୍ୟା ଗୋଟିଏ ଗୋଟିଏ ଚାଲେଞ୍ଜ।

ବିଦେଶ ପାଣିପାଗ ବିଭାଗ ସହିତ ଭାରତୀୟ ପାଣିପାଗ ବିଭାଗ ସମାନ ହୋଇ ପାରିଛି କି?

ଏ ପ୍ରସଙ୍ଗରେ ଡକ୍ଟର ମୃତ୍ୟୁଞ୍ଜୟ କହିଛନ୍ତି, ‘‘ସବୁକ୍ଷେତ୍ରରେ ନହେଲେ ବି ପାଣିପାଗ କ୍ଷେତ୍ରରେ ବିଦେଶ ଏଜେନ୍ସି ସହିତ ଏବେ ଭାରତ ସମକକ୍ଷ ହୋଇ ପାରିଛି। ସମଗ୍ର ବିଶ୍ୱରେ ପାଣିପାଗ କ୍ଷେତ୍ରରେ ଭାରତ ଏବେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି। ଲୋକଙ୍କ ମନରେ ଏହା ରହିଛି ଯେ ବିଦେଶ ଏଜେନ୍ସି ଅଧିକ ବିଶ୍ୱସନୀୟ। ମାତ୍ର ଏବେ ଧୀରେ ଧୀରେ ଏହି ଭାବନାରେ ପରିବର୍ତ୍ତନ ହେଉଛି। ଜାପାନ, ଅଷ୍ଟ୍ରେଲିଆ ଆଜି ଦେଶ ତୁଳନାରେ ଭାରତ ଆଗରେ ଅଛି‘‘।

 ଆଗାମୀ ଦିନରେ ମୃତ୍ୟୁଞ୍ଜୟଙ୍କ ପାଇଁ କ’ଣ ଚାଲେଞ୍ଜ ରହିବ?

ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେବା ପରେ ଆଗାମୀ ୫ ବର୍ଷରେ ମୃତ୍ୟୁଞ୍ଜୟଙ୍କ ଅନେକ ଚାଲେଞ୍ଜ ରହିବ। ଏ ବାବଦରେ ସେ କହନ୍ତି, ‘‘ଆଗମୀ ଦିନରେ ପର୍ଯ୍ୟବେକ୍ଷଣ ସ୍ଥିତି ସୁଧାରିବ, କାଳବୈଶାଖୀଠୁ ଆରମ୍ଭ କରି ମୌସୁମୀ ପର୍ଯ୍ୟନ୍ତ ସବୁର ସଠିକ ଆକଳନ କରିବା, ସମୟ ଅନୁସାରେ ସୂଚନା ଦେବା, ପ୍ରତି ଘରେ ପ୍ରତି ସମୟରେ କେମିତି ପାଣିପାଗ ଖବର ପହଞ୍ଚି ପାରିବ ସେନେଇ ପଦକ୍ଷେପ ନିଆଯିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏକ ମୋବାଇଲ ଆପ ବି କରିବାକୁ ଯାଉଛି। ଯାହାଦ୍ୱାରା ସାଧାରଣ ଲୋକ ସିଧାସଳଖ ଭାବେ ଖବର ପାଇ ପାରିବେ। ଏହାକୁ ଆଗକୁ କାର୍ଯ୍ୟକାରୀ କରିବାକୁ ଆଗାମୀ ଦିନରେ ପଦକ୍ଷେପ ନିଆଯିବା

କାହିଁକି ବଜ୍ରପାତରେ ଅଧିକ ଲୋକ ମୃତ୍ୟୁବରଣ କରୁଛନ୍ତି?

ଅନେକ ସମୟରେ ଦେଖାଯାଇଛି ବାତ୍ୟାରେ ଲୋକେ ଯେତିକି ପ୍ରାଣ ହରାଉ ନାହାନ୍ତି ତା’ଠୁ ଅଧିକ ବଜ୍ରପାତରେ ଲୋକ ପ୍ରାଣ ହରାଉଛନ୍ତିା କାଳବୈଶାଖୀ ପ୍ରଭାବରେ ଅଧିକ ଲୋକଙ୍କର ମୃତ୍ୟୁ ହେଉଛି। ଏହାର କାରଣ ଏନଭର୍ଣ୍ଣମେଣ୍ଟ ଏକ୍ସପୋଜର କଣ୍ଡିସନ ବଢ଼ିଯାଇଛି। ସେଥିପାଇଁ ବିଜୁଳିର ପୂର୍ବାନୁମାନ କରିବା ଏବଂ ବଜ୍ରପାତରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା ହ୍ରାସ କରିବା ପାଣିପାଗ ବିଭାଗ ପାଇଁ ଏକ ବଡ଼ ଚାଲେଞ୍ଜ। ଏହାକୁ ରୋକିବା ପାଇଁ ସବୁଠୁ ବଡ଼ ଯନ୍ତ୍ର ହେଲା ରାଡାର। ପୂରା ଦେଶକୁ କଭର କରିପାରୁଥିବା ରାଡାର ଆମ ପାଖରେ ନାହିଁ। ଆଗାମୀ ୫ ବର୍ଷ ଭିତରେ ଏହି ରାଡାର ଆଣିବାକୁ ଯୋଜନା କରାଯିବା

ପାଣିପାଗ ବିଜ୍ଞାନୀଙ୍କ ପାଇଁ ଓଡ଼ିଶା ଏକ ପ୍ରୟୋଗଶାଳା କାହିଁକି?

ଓଡ଼ିଶାକୁ ପାଣିପାଗ ବିଜ୍ଞାନୀଙ୍କ ପାଇଁ ଏକ ପ୍ରୟୋଗଶାଳା କୁହାଯାଉଛିା ଏହାର କାରଣ ଭାରତ ବର୍ଷରେ ଯେତେ ପ୍ରକାର ପ୍ରାକୃତିକ ଦୁର୍ବିପାକ ଅଛି ସେ ମଧ୍ୟରୁ ଅଧିକାଂଶ ଓଡ଼ିଶାରେ ହୋଇଥାଏ। ଓଡ଼ିଶା ଏକ ଦୁର୍ବିପାକ ପ୍ରବଣ ଅଞ୍ଚଳ। କାରଣ ହେଉଛି ଏହାର ଭୌଗଳିକି ସ୍ଥିତି।

କାରଣ ବାତ୍ୟା ସାଧାରଣତଃ ଏପ୍ରିଲ, ମେ, ଜୁନ୍, ଅକ୍ଟୋବର, ନଭେମ୍ବର, ଡିସେମ୍ବରରେ ହୋଇଥିାଏ। ଏହି ବାତ୍ୟାଗୁଡ଼ିକ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିାଏ। ପୃଥିବୀ ପଶ୍ଚିମରୁ ପୂର୍ବ ଘୂରି ବୁଲୁଥିବା ହେତୁ ବାତ୍ୟାଗୁଡ଼ିକ ଉତ୍ତର-ପଶ୍ଚିମ ଦିଗରେ ଗତି କରନ୍ତି। ଯଦି ବାତ୍ୟା ଦକ୍ଷିଣ ପୂର୍ବ ବଙ୍ଗୋପସାଗରରୁ ସୃଷ୍ଟି ହୋଇ ଉତ୍ତର ପଶ୍ଚିମ ଦିଗରେ ଗତି କରନ୍ତି ତାହାଲେ ବାତ୍ୟା ଉତ୍ତର ଆନ୍ଧ୍ରପ୍ରଦେଶ ନହେଲେ ଓଡ଼ିଶାକୁ ଆସିବେ।ତେଣୁ ପ୍ରତିବର୍ଷ ଓଡ଼ିଶାକୁ ଗୋଟିଏ ବାତ୍ୟା ପ୍ରଭାବିତ କରିଥାଏ।

Comment