ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯନ୍ତ୍ରୀଙ୍କୁ ମାଡ଼ ମାରିବା ପ୍ରତିବାଦରେ ବିଧାୟକ ସରୋଜ ମେହେରଙ୍କ କୁଶପୁତ୍ତଳିକା ଦାହ।

ପାଟଣାଗଡ଼ ନବ ନିର୍ବାଚିତ ବିଧାୟକ ସରୋଜ ମେହେରଙ୍କ ଦବଙ୍ଗଗିରି ଏବେ ଚର୍ଚ୍ଚା ବିଷୟ ପାଲଟିଛି। ବିଚ୍ ରାସ୍ତାରେ ପିଡବ୍ଲ୍ୟୁଡିର ଜୁନିୟର ଇଞ୍ଜିନିଅର ଜୟକାନ୍ତ ଶବରଙ୍କୁ କାନ ଧରି ବସ୍‌ଉଠ କରିବା ଏବଂ ମାଡ଼ ମାରିଥିଲେ। ଏହାକୁ ପ୍ରତିବାଦ କରି ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ବିଧାୟକ ସରୋଜ ମେହେରଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।

ଶନିବାର ଭୁବେନେଶ୍ୱର ଲୋୟର ପିଏମ୍‌ଜିଠାରେ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇ ବିଧାୟକ ସରୋଜ ମେହେରଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଏହା ଅତ୍ୟନ୍ତ ଲଜ୍ଜାଜନକ ଏବଂ ନିନ୍ଦନୀୟ ଘଟଣା ବୋଲି ଓଡ଼ିଶା ବିକାଶ ପରିଷଦର ସଭାପତି ସୁଶାନ୍ତ ପାଢ଼ୀ କହିଛନ୍ତି।

ଅନ୍ୟପକ୍ଷରେ ନିମ୍ନମାନର ରାସ୍ତା କାମରେ ବେଆଇନ୍‌ ପିସି କାରବାରକୁ ନେଇ ତଦନ୍ତ ଏବଂ ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ କୁହାଯାଇଛି। ଏହି ବିକ୍ଷୋଭରେ ପରିଷଦର ସଭାପତି ସୁଶାନ୍ତ ପାଢ଼ୀଙ୍କ ସମେତ ଉପସଭାପତି ହେମନ୍ତ ହାତୀ, ସମ୍ପାଦକ ମନ୍ମଥ ରାଉତ ଏବଂ ଅନ୍ୟ କର୍ମଚାରୀଙ୍କମାନେ ଉପସ୍ଥିତ ଥିଲେ।

Comment