ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

୨୦୨୪ ବିଧାନସଭା ନିର୍ବାଚନ ଉପରେ ବିଜେପିର ନଜର।

‘‘ଆମର ଲକ୍ଷ୍ୟ ମିଶନ-୧୨୦। ବିଜେପିର ମିଶନ-୧୨୦ ଯେ ପର୍ଯ୍ୟନ୍ତ ପୂରା ହୋଇନି ସେ ଯାଏଁ ଆମେମାନେ ଦାୟିତ୍ୱରୁ ମୁକ୍ତ ହୋଇ ପାରିବା ନାହିଁ।’’

ଏହା ହେଉଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ। ଗତ ୮ ତାରିଖରେ ବିଜେପି ଭୁବନେଶ୍ୱରସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରିଥିଲା। ଏହି ସମ୍ବର୍ଦ୍ଧନା ଉତ୍ସବରେ ହିଁ ଧର୍ମେନ୍ଦ୍ର ମିଶନ-୧୨୦ କଥା କହିଥିଲେ।

୨୦୧୯ ନିର୍ବାଚନ ଶେଷ ହୋଇଥିବା ବେଳେ ଧର୍ମେନ୍ଦ୍ର କାହିଁକି ମିଶନ-୧୨୦ କଥା କହିଲେ ତାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ୨୦୨୪ ନିର୍ବାଚନକୁ ଆଖିରେ ରଖି ଧର୍ମେନ୍ଦ୍ର ମିଶନ-୧୨୦ କଥା ଦୋହରାଇଲେ କି ବୋଲି ଚର୍ଚ୍ଚା ହେଉଛି।

୨୦୨୪ ନିର୍ବାଚନକୁ ଆହୁରି ୫ ବର୍ଷ ବାକି ରହିଥିବା ବେଳେ ଏବେଠାରୁ ବିଜେପି ମିଶନ-୧୨୦ ପ୍ଲସକୁ ନେଇ ଗଣିତ କଷୁଥିବା ଚର୍ଚ୍ଚା ହେଉଛି।

୨୦୧୪ରେ ୧୦ଟି ବିଧାନସଭା ଏବଂ ଗୋଟିଏ ଲୋକସଭା ଆସନରେ ଖାତା ଖୋଲିବାରେ ସମର୍ଥ ହୋଇଥିବା ବିଜେପିର ଟାର୍ଗେଟରେ ଥିଲା ୨୦୧୯ ନିର୍ବାଚନ। ଏଥିପାଇଁ ଗତ ପାଞ୍ଚ ବର୍ଷ ତଳୁ ବିଜେପି ଓଡ଼ିଶାରେ ଅଭିଯାନ ଆରମ୍ଭ କରିଥିଲା।

୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପିର ଏହି ଅଭିଯାନ କିଛି ମାତ୍ରାରେ ସଫଳ ହୋଇଥିଲା। ଅର୍ଥାତ୍ ୨୦୧୪ ନିର୍ବାଚନରେ ତୃତୀୟ ସ୍ଥାନରେ ଥିବା ବିଜେପି ପଞ୍ଚାୟତ ନିର୍ବାଚନରେ ଦ୍ୱିତୀୟ ସ୍ଥାନକୁ ଆସିଥିଲା। ପଞ୍ଚାୟତ ନିର୍ବାଚନରେ ହିଁ ବିଜେପି ବିଜେଡିକୁ ନେକ୍ ଟୁ ନେକ୍ ଫାଇଟ୍ ଦେଇଥିଲା।

ପଞ୍ଚାୟତ ସଫଳତା ପରେ ବିଜେପି ୨୦୧୯ ନିର୍ବାଚନ ପାଇଁ ଆରମ୍ଭ କରିଥିଲା କସରତ। ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ୨୦୧୭ ଜୁଲାଇ ମାସରେ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ‘ମୋ’ ବୁଥ୍ ସବୁଠୁ ମଜଭୁତ’ କାର୍ଯ୍ୟକ୍ରମ ଶୁଭାରମ୍ଭ କରିବା ସହ ‘ମିଶନ୍-୧୨୦’ର ଲକ୍ଷ୍ୟ ରଖ୍‌ଥିଲେ।

୨୦୧୯ ନିର୍ବାଚନରେ ବିଜେପି ୧୨୦ରୁ ଅଧିକ ବିଧାନସଭା ଆସନ ପାଇ ସରକାର ଗଠନ କରିବାକୁ ଅମିତ ଶାହ କର୍ମୀ ଓ ନେତାମାନଙ୍କୁ ଆହ୍ୱାନ ଦେଇଥିଲେ।

ହେଲେ ବିଜେପି ମିଶନ-୧୨୦ ପ୍ଲସ୍ ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହୋଇ ନଥିଲା। ୧୨୦ ଆସନ ପଛରେ ଗୋଡ଼ାଇ ବିଜେପି ମାତ୍ର ୨୩ଟି ଆସନରେ ସନ୍ତୁଷ୍ଟ ହୋଇଥିଲା।

ତେବେ ୨୦୨୪ରେ ଏହି ମିଶନ ହାସଲ କରିବାକୁ ଧର୍ମେନ୍ଦ୍ର ଏବେଠୁ କର୍ମୀ ଓ ନେତାମାନଙ୍କୁ ଆହ୍ୱାନ ଦେଇଥିବା ଚର୍ଚ୍ଚା ହେଉଛି।

Comment