ଓଡ଼ିଶାଲାଇଭ୍ ବ୍ୟୁରୋ

ରଥଯାତ୍ରା ଭଳି ଏକ ଅତି ପ୍ରାଚୀନ, ଧାର୍ମିକ ତଥା ସାର୍ବଜନୀନ କାର୍ଯ୍ୟକ୍ରମକୁ ବିକିବାକୁ ସରକାରଙ୍କ ନିଷ୍ପତ୍ତିକୁ ନେଇ ଓଡ଼ିଶାଲାଇଭକୁ ପ୍ରତିକ୍ରିୟା ରଖିଛନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ।

ଜୁଲାଇ ୪ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ରଥଯାତ୍ରାର ସିଧାପ୍ରସାରଣ କରିବାକୁ ବିଭିନ୍ନ ଟିଭି ଚ୍ୟାନେଲ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। କିନ୍ତୁ ସ୍ନାନ ପୂର୍ଣ୍ଣିମାର ମାତ୍ର ୧୦ ଦିନ ପୂର୍ବରୁ ସରକାର ଏକ ଅଭୁତ ନିୟମ ଆଣି ସିଧାପ୍ରସାରଣ ଉପରେ କଟକଣା ଲଗାଇଛନ୍ତି।

ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି, ‘‘ରଥଯାତ୍ରାର ସିଧାପ୍ରସାରଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ଏକ ପ୍ରସ୍ତାବ ମାତ୍ର। ଏନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ। ଶ୍ରୀମନ୍ଦିର ପ୍ରଶାସନ ଛତିଶା ନିଯୋଗଙ୍କ ସହ ଆଲୋଚନା କରିବା ପରେ ହିଁ ଯାଇ ସିଧାପ୍ରସାରଣ ସମ୍ପର୍କରେ ନିଷ୍ପତ୍ତି ନିଆଯିବା’’

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଟେଲିଭିଜନ ମାଧ୍ୟମରେ କୋଟି କୋଟି ଦର୍ଶକ ଦେଖୁଥିଲେ। ପ୍ରଥମ ଥର ଲାଗି ରାଜ୍ୟ ସରକାର ସିଧାପ୍ରସାରଣ ଉପରେ ଏଭଳି କଟକଣା ଲଗାଇବା ଦ୍ୱାରା ବହୁତ ଲୋକ ଦେଖିପାରିବେ ନାହିଁ। ସାମୁଦ୍ରିକ ଝଡ଼ ଫନିରେ ପୁରୀ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏ ପର୍ଯ୍ୟନ୍ତ ଅନେକ ସ୍ଥାନରେ ବିଦ୍ୟୁତ ସେବା ବି ମିଳିପାରି ନାହିଁ। ଟିଭି ମଧ୍ୟ ସଠିକ୍ ଭାବେ କାମ କରୁନାହିଁ।

ଏନେଇ ମନ୍ତ୍ରୀ କହିଛନ୍ତି, ‘‘ଏହା ଜଗନ୍ନାଥଙ୍କ କଥା ହୋଇଥିବାରୁ ଏବଂ ଏଥିରେ କୋଟି କୋଟି ଓଡ଼ିଆଙ୍କ ଭାବାବେଗ ଜଡ଼ିତ ଥିବାରୁ ସମସ୍ତଙ୍କ ସହମତି ଲୋଡ଼ାଯିବ। ସହମତି ଭିତ୍ତିରେ ହିଁ ଏ ଦିଗରେ ସରକାର ପଦକ୍ଷେପ ନେବୋ’’

ସରକାରଙ୍କ ଏହି ନିଷ୍ପତ୍ତିରୁ ଗୋଟିଏ କଥା ସ୍ପଷ୍ଟ ହୋଇଯାଇଛି ଯେ ଏବେ ଯେଉଁ ଚ୍ୟାନେଲ ନିଲାମ ବେଳେ ଅଧିକ ଟଙ୍କା ଡାକିବେ ତାଙ୍କ ହାତକୁ ରଥଯାତ୍ରାର ଏକଚାଟିଆ ରାଇଟ୍ସ ଚାଲିଯିବ। ଅର୍ଥାତ ସେହି ସଂସ୍ଥା ଅନ୍ୟ ମିଡିଆଗୁଡ଼ିକୁ ସିଗ୍‌ନାଲ ଦେବା ବେଳେ ନିଜ ଇଚ୍ଛାରେ ଦେୟ ଦାବି କରିବେ। ଫଳରେ ପୂର୍ବ ବର୍ଷଗୁଡ଼ିକ ଭଳି ଏଥର ସବୁ ଛୋଟ ବଡ଼ ଚ୍ୟାନେଲ ଏପରିକି ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ହୁଏତ ଆଉ ରଥଯାତ୍ରାର ସିଧାପ୍ରସାରଣ ଦେଖିବାକୁ ମିଳିବ ନାହିଁ।

ଗୋଟେ ପଟେ ସିଧାପ୍ରସାରଣ ଲାଗି ବିଜ୍ଞପ୍ତି ପ୍ରକାଶ ପାଇସାରିଥିବା ବେଳେ ମନ୍ତ୍ରୀ କହୁଛନ୍ତି ଯେ ସମସ୍ତଙ୍କ ସହମତି ଆସିଲେ ନିଷ୍ପତ୍ତି ନିଆଯିବ। ଏଥିରୁ ମନେ ହେଉଛି ଯେ ଶ୍ରୀମନ୍ଦର ପ୍ରଶାସନ ଗୋଟେ କଥା କହୁଥିବା ବେଳେ ମନ୍ତ୍ରୀ ଆଉ ଗୋଟେ କଥା କହୁଛନ୍ତି। ତେବେ ଆଗାମୀ ଦିନରେ ଭୟଙ୍କର ପ୍ରତିକ୍ରିଆ ସୃଷ୍ଟି ହେବାକୁ ଯାଉଛି।

Comment