ଓଡ଼ିଶାଲାଇଭ୍ ବ୍ୟୁରୋ

ଘୋଷଯାତ୍ରା ପ୍ରସ୍ତୁତି ପାଇଁ ସରିଲା ତୃତୀୟ ସମନ୍ୱୟ କମିଟି ବୈଠକ। ଏଥିରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି।

ଜୁଲାଇ ୪ରେ ଘୋଷଯାତ୍ରା। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ବସିଥିଲା ତୃତୀୟ ସମନ୍ୱୟ କମିଟି ବୈଠକ। ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ। ସମନ୍ୱୟ ବୈଠକରେ ସବୁ ବିଭାଗର କର୍ତ୍ତୃପକ୍ଷ ଉପସ୍ଥିତ ରହିଥିଲେ।

ଏହି ବୈଠକରେ ସ୍ୱାସ୍ଥ୍ୟ, ପରିମଳ, ସ୍ୱରେଜ, ଡ୍ରେନେଜ, ଆଲୋକ ବ୍ୟବସ୍ଥା, ସୁରକ୍ଷା, ରେଳ ବ୍ୟବସ୍ଥା, ଶୃଙ୍ଖଳିତ ବ୍ୟବସ୍ଥା ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା।

  • ଆସନ୍ତା ୨୫ ସୁଦ୍ଧା ସବୁ ବିଭାଗ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସବୁ ବିଭାଗର କର୍ତ୍ତୃପକ୍ଷମାନେ ନିର୍ଦ୍ଧାରିତ ସମୟରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି।
  • ବୈଠକରେୁ ଶ୍ରୀ ଜଗନ୍ନାଥ ବନ୍ୟ ପ୍ରକଳ୍ପକୁ ନେଇ ଉଦବେଗ ପ୍ରକାଶ ହୋଇଥିଲା। ୩ମାସ ମଧ୍ୟରେ ବାସ୍ତବଚିତ୍ର ଓ ହିସାବ ଦେବା ଲାଗି ବନବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।
  • ପୁରୀ ଜିଲ୍ଲାରେ ବିପର୍ଯ୍ୟୟ ସ୍ୱାସ୍ଥ୍ୟସେବାକୁ ସୁଧାରିବା ଉପରେ ଅଧିକ ଗୁରୁତ୍ୱାରୋପ ଦିଆଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସ୍ୱାସ୍ଥ୍ୟ ବିଭାଗକୁ ନେଇ ଏକ ଟିମ୍ ଗଠନ କରାଯିବ। ଏହି ଟିମ୍ ବିପର୍ଯ୍ୟୟ ସ୍ୱାସ୍ଥ୍ୟସେବାର ଅନୁଧ୍ୟାନ କରି ତୁରନ୍ତ ପଦକ୍ଷେପ ନେବା ନେଇ ଗୁରତ୍ୱାରୋପ କରିବ।
  • ସେହିପରି ପୁରୀ-ଭୁବନେଶ୍ୱର ରାସ୍ତାରେ ୫ଟି ଆମ୍ବୁଲାନ୍ସ ସଜାଗ ରଖିବାକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
  • ପୁରୀ-ଭୁବନେଶ୍ୱର ରାସ୍ତା କଡ଼ରେ ଜବର ଦଖଲ ହଟାଇବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି।
  • ରଥଯାତ୍ରା ସମୟରେ ପୁରୀକୁ ୧୯୨ଟି ଟ୍ରେନ୍ ଚଳାଚଳ କରିବାର ବ୍ୟବସ୍ଥା କରାଯାଇଛି। ପୁରୀ ସମେତ ୬୨ଟି ସ୍ଥାନରେ ଟ୍ରେନ୍ ବୁକିଂ ପାଇଁ କାଉଣ୍ଟର ରହିବ।
  • ଜୁନ୍ ୨୫ ସୁଦ୍ଧା ପୁରୀରେ ନାଳ ନର୍ଦ୍ଦମା ସଫା କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି।
  • ଜୁନ୍ ୩୦ ସୁଦ୍ଧା ପୁରୀ ଜିଲ୍ଲାରେ ବିଦ୍ୟୁତ୍ ସେବା ସ୍ୱାଭାବିକ ହେବା ନେଇ ନିର୍ଦ୍ଦେଶ ଦେଇଛନ୍ତି।
  • ରଥଯାତ୍ରା ସମୟରେ ପୁରୀରେ ୧୫୫ ପ୍ଲାଟୁନ୍ ପୋଲିସ ମୁତୟନ କରାଯିବ। ଏହାସହ ୩ ୟୁନିଟ୍ ଆତଙ୍କବାଦୀ ନିରୋଧୀ ସ୍କ୍ୱାଡ୍, ଦୁଇ କମ୍ପାନି ରାପିଡ୍ ଆକ୍ସନ ଫୋର୍ସ ଏବଂ ସ୍ୱିଫ୍ଟ ଆକ୍ସନ ଫୋର୍ସ ପୁରୀରେ ମୁତୟନ ହେବେ।
  • ବିଭିନ୍ନ ସମ୍ବେଦନଶୀଳ ଛକରେ ସିସିଟିଭି ଲଗାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

Comment