ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇସିସି ବିଶ୍ଵକପର ୩୨ତମ ମ୍ୟାଚରେ ଘରୋଇ ଇଂଲଣ୍ଡ ଦଳକୁ ୬୪ରନରେ ପରାସ୍ତ କରିଛି ଡିପେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆ। ଏହି ମ୍ୟାଚ ଜିତି ଅଷ୍ଟ୍ରେଲିଆ ତା’ର ସେମିଫାଇନାଲ ଯିବା ରାସ୍ତାକୁ ମଜବୁତ କରିପାରିଛି। ୨୮୫ରନକୁ ପିଛା କରି ଇଂଲଣ୍ଡ ଦଳ ୨୨୧ରେ ଅଲଆଉଟ ହୋଇ ପରାଜୟ ହୋଇଥିଲା।

ଟସ ଜିତି ପ୍ରଥମେ ଅଷ୍ଟ୍ରେଲିଆକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ଇଂଲଣ୍ଡ। ଅଷ୍ଟ୍ରେଲିଆ ପକ୍ଷରୁ ଦୁଇ ଓପନର ଆରୋନ ଫିଞ୍ଚ ଓ ଡେଭିଡ ଓ୍ଵାର୍ନର ଭଲ ଆରମ୍ଭ କରିଥିଲେ। ୨୨ ଓଭରରେ ଦଳୀୟ ସ୍କୋର ୧୨୩ ହୋଇଥିବା ବେଳ ଡେଭିଡ ଓ୍ଵାର୍ନର ବ୍ୟକ୍ତିଗତ ୫୩ରନ କରି ପାଭିଲିୟନ ଫେରିଯାଇଥିଲେ। ପରେ ଉସମାନ ଖଓ୍ଵାଜା ଫିଞ୍ଚଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ।

ହେଲେ ପରବର୍ତ୍ତୀ ଓ୍ଵିକେଟରେ ଫିଞ୍ଚ ଶତକ କରି ପାଭିଲିୟନ ଫେରିଯିବା ପରେ କେହିବି ସନ୍ତୋଷଜନକ ପ୍ରଦର୍ଶନ କରିପାରିନଥିଲେ। ମାତ୍ର ଆଲେକ୍ସ କ୍ୟାରି ବ୍ୟକ୍ତିଗତ ୩୮ରନ କରି ଶେଷ ପର୍ଯ୍ୟନ୍ତ ଲଢ଼େଇ କରିଥିଲେ। ଫଳରେ ଦଳ ୨୮୫ ରନ କରିବାକୁ ସକ୍ଷମ ହୋଇଥିଲା।

୨୮୬ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଇଂଲଣ୍ଡ ଦଳକୁ ଆରମ୍ଭରୁହିଁ ଝଟକା ଲାଗିଥିଲା। ଦଳ ଖାତା ଖୋଲିନଥିବା ବେଳେ ପ୍ରଥମ ଓଭରର ଦ୍ଵିତୀୟ ବଲରେ ଜେମ୍ସ ଭାଇନ୍ସ ପାବିଲିୟନ ଫେରିଯାଇଥିଲେ। ପରେ ଦଳ ଘୋଟିଏ ପରେ ଗୋଟିଏ ଓ୍ଵିକେଟ ହରାଇ ଚାଲିଥିଲା। ୧୩ ଓଭର ଶେଷ ସୁଦ୍ଧା ଦଳୀୟ ସ୍କୋର ୫୩ରେ ୪ଟି ଓ୍ଵିକେଟ ହରାଇ ସଙ୍କଟର ସମ୍ମୁଖୀନ ହୋଇଥିଲା।

ପରେ ପଞ୍ଚମ ଓ୍ଵିକେଟରେ ବେନ ଷ୍ଟୋକ୍ସ ଲଢ଼ୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ। ପରେ ୩୬ ଓଭରରେ ଷ୍ଟୋକ୍ସ ବ୍ୟକ୍ତିଗତ ୮୯ରନ କରି ଆଉଟ ହୋଇଯିବା ପରେ ଦଳର ଅନ୍ୟ ବ୍ୟାଟ୍ସମ୍ୟାନ ଫେଲ ମାରିଥିଲେ। ଫଳରେ ଦଳ ୪୪ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୨୨୧ରନ କରି ୬୪ରନରେ ପରାସ୍ତ ହୋଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଜାସନ ଭେରେଣ୍ଡଡ୍ରଫ ୫ଟି ଓ୍ଵିକେଟ ଓ ମିଚେଲ ଷ୍ଟାର୍କ ୪ଟି ଓ୍ଵିକେଟ ନେଇଥିଲେ।

Comment