ଓଡ଼ିଶାଲାଇଭ୍ ବ୍ୟୁରୋ

ପିଜି ପାଠ୍ୟକ୍ରମରେ ନାମଲେଖା ପାଇଁ ଅଧିକାଂଶ ବିଶ୍ଵବିଦ୍ୟାଳୟରେ ଜୁଲାଇ ପ୍ରଥମ ସପ୍ତାହରୁ ପ୍ରବେଶିକା ପରୀକ୍ଷା ଆରମ୍ଭ ହେବ। ପରୀକ୍ଷା ଦିନ ଓ ସମୟ ଧାର୍ଯ୍ୟ ହେବା ପରେ ଛାତ୍ରଛାତ୍ରୀଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି। ଗୋଟିଏ ଦିନରେ ସମାନ ବିଷୟ ଲାଗି ଏକାଧିକ ବିଶ୍ୱବିଦ୍ୟାଳୟରେ ପ୍ରବେଶିକା ପରୀକ୍ଷା ହେବ, ଯାହାକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ।

ଜୁଲାଇ ୫ ତାରିଖରେ କମ୍ପ୍ୟୁଟର ସାଇନ୍ସ ବିଭାଗ ଲାଗି ଉତ୍କଳ ବିଶ୍ୱବିଦ୍ୟାଳୟ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପରୀକ୍ଷା ରହିଛି। ଜୁଲାଇ ୬ ତାରିଖରେ ଫିଜିକ୍ସ, ଓଡ଼ିଆ ଓ ଇଂରାଜୀ ବିଭାଗ ପାଇଁ ରେଭେନ୍ସା ବିଶ୍ୱବିଦ୍ୟାଳୟ, ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପରୀକ୍ଷା ରହିଛି। ଜୁଲାଇ ୭ ତାରିଖରେ ଇଂରାଜୀ, ବଟନି ଓ ଜୁଲୋଜି ବିଭାଗ ଲାଗି ରେଭେନ୍ସା ବିଶ୍ୱବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପରୀକ୍ଷା ରହିଛି।

ସେହିପରି ୮ ତାରିଖରେ ଜିଓଲୋଜି ବିଭାଗ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ ଓ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ପରୀକ୍ଷା ରହିଛି।

ଏକାଧିକ ବିଷୟ ସମାନ ଦିନରେ ଥିବାରୁ ଛାତ୍ରଛାତ୍ରୀମାନେ ପୀରକ୍ଷା ଦେବାରୁ ବଞ୍ଚିତ ହେବେ। ଏନେଇ ରାଜ୍ୟପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ। ରାଜ୍ୟପାଳଙ୍କୁ ଛାତ୍ରଛାତ୍ରୀଙ୍କ ସମସ୍ୟା ଜଣାଇବା ସହ ପ୍ରବେଶିକା ପରୀକ୍ଷାର ଦିନ ବଦଳାଇବାକୁ କହିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ।

Comment