ମାନସ ପଣ୍ଡା
ଡିଜିଟାଲ ଇଣ୍ଡିଆ ସପ୍ତାହ ପାଳନର ଚତୁର୍ଥ ବାର୍ଷିକୀ ଅବସରରେ…
ଡିଜିଟାଲ୍ ଇଣ୍ଡିଆ ହେଉଛି ଭାରତ ସରକାରଙ୍କ ଏକ ପ୍ରମୁଖ କାର୍ଯ୍ୟକ୍ରମ, ଯାହାର ମୂଳ ଲକ୍ଷ୍ୟ ମଧ୍ୟରେ ରହିଛି ଏକ ଡିଜିଟାଲ-ସଶକ୍ତ ସମାଜ ତଥା ଜ୍ଞାନଭିତ୍ତିକ ଅର୍ଥନୀତି ଅଧାରରେ ଦେଶର ଏକ ବ୍ୟାପକ ରୂପାନ୍ତରଣ ହାସଲ କରିବା। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ଜୁଲାଇ ୧, ୨୦୧୫ରେ ଉଦ୍ଘାଟିତ ହୋଇଥିଲା। ଭାରତୀୟ ନାଗରିକମାନଙ୍କୁ ପ୍ରତ୍ୟେକ ସରକାରୀ କାର୍ଯ୍ୟକ୍ରମର ଉପଲବ୍ଧତା ପାଇଁ ବୈଷୟିକ କ୍ଷେତ୍ରରେ ବିକଶିତ ଡିଜିଟାଲ ବ୍ୟବସ୍ଥା ଏବଂ ଇଲେକଟ୍ରୋନିକ୍ସ ବ୍ୟବସ୍ଥା ମାଧ୍ୟମରେ ଅନ୍ଲାଇନ୍ ଭିତ୍ତିଭୂମି ଏବଂ ଇଣ୍ଟରନେଟ୍ର ପ୍ରସାର ମାଧ୍ୟମରେ ସୁନିଶ୍ଚିତ କରିବା ଏହାର ମୂଳ ଲକ୍ଷ୍ୟ।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମାଞ୍ଚଳରେ ହାଇସ୍ପିଡ୍ ଇଣ୍ଟରନେଟ୍ ସେବାକୁ ତ୍ୱରାନ୍ୱିତ କରିବା ପାଇଁ ଯୋଜନା ରହିଛି । ଡିଜିଟାଲ୍ ଇଣ୍ଡିଆ କାର୍ଯ୍ୟକ୍ରମକୁ ମୁଖ୍ୟତଃ ୩ଟି ଶ୍ରେଣୀରେ ବିଭକ୍ତ କରାଯାଇଛି, ଯେପରିକି ସୁରକ୍ଷିତ ଏବଂ ସ୍ଥାୟୀ ଡିଜିଟାଲ୍ ଭିତ୍ତିଭୂମିର ବିକାଶ, ଡିଜିଟାଲ୍ ବ୍ୟବସ୍ଥା ମାଧ୍ୟମରେ ସରକାରୀ କାର୍ଯ୍ୟକ୍ରମର ଉପଲବ୍ଧତା, ଏବଂ ସାର୍ବଜନୀନ ଭାବେ ଡିଜିଟାଲ୍ ସାକ୍ଷରତାର ବିକାଶ ।
ଡିଜିଟାଲ୍ ଇଣ୍ଡିଆ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱାସ୍ଥ୍ୟ, ଶିକ୍ଷା, ଶ୍ରମ ଏବଂ ନିଯୁକ୍ତି, ବାଣିଜ୍ୟ ଆଦି କ୍ଷେତ୍ରରେ ଜନସାଧାରଣଙ୍କୁ ଅଧିକ ସଶକ୍ତ କରିବା ପାଇଁ ସୂଚନା ଓ ବୈଷୟିକ ବିଦ୍ୟାର ପ୍ରାରମ୍ଭିକ ଉପଯୋଗ କରିବାକୁ ପ୍ରୟାସ କରାଯାଇଛି । ସେଥିପାଇଁ ଭାରତ ସରକାରଙ୍କ ଡିଜିଟାଲ୍ ଇଣ୍ଡିଆ କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଇବା ଏବଂ ବିଭିନ୍ନ ଡିଜିଟାଲ ସେବାର ପ୍ରୟୋଗକୁ ତ୍ୱରାନ୍ୱିତ କରି ସେମାନଙ୍କୁ ସଶକ୍ତ କରିବା ଏକ ଲକ୍ଷ୍ୟରେ ଏହି ଡିଜିଟାଲ୍ ଇଣ୍ଡିଆ ସପ୍ତାହ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।
ସାଧାରଣ ସମାଜରେ ଡିଜିଟାଲ୍ ବ୍ୟବସ୍ଥାର ପ୍ରତିଷ୍ଠା ଏବଂ ଅର୍ଥନୈତିକ ବ୍ୟବସ୍ଥା ସମ୍ପର୍କରେ ଜାଗରଣ ସୃଷ୍ଟି କରିବା ଡିଜିଟାଲ୍ ଇଣ୍ଡିଆ କାର୍ଯ୍ୟକ୍ରମ ଓ ଏହାର ପ୍ରଚାର ଓ ପ୍ରସାର ପଛର ପ୍ରଧାନ ଲକ୍ଷ୍ୟ। ଏଥିସହ ଡିଜିଟାଲ ଇଣ୍ଡିଆ କାଯ୍ୟକ୍ରମକୁ ଅଧିକ ଗତିଶୀଳ କରାଇ ଭାରତକୁ ଅର୍ଥନୈତିକ ବ୍ୟବସ୍ଥା ସମ୍ପର୍କରେ ଜାଗ୍ରତ କରିବା ଏବଂ ଏହାର ନାଗରିକମାନଙ୍କୁ ସୁଶାସନ ଯୋଗାଇ ଦେବା ଲକ୍ଷ୍ୟରେ ବିଭିନ୍ନ ପଦକ୍ଷେପ ନିଆଯାଉଛି।
ଇଲେକ୍ଟ୍ରୋନିକ୍ ସେବା, ଉତ୍ପାଦ, ମାନୁଫାକଚରିଂ ଏବଂ ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି ସହ ଏଥିରେ ସାମୂହିକ ଅଭିବୃଦ୍ଧି ଆଣିବା ଡିଜିଟାଲ୍ ଇଣ୍ଡିଆ କାର୍ଯ୍ୟକ୍ରମର ଅନ୍ୟତମ ଆଭିମୁଖ୍ୟ। ଏହାକୁ ମୁଖ୍ୟତଃ ତିନୋଟି ବିଭାଗରେ ବିଭକ୍ତ କରାଯାଇଛି:
- ପ୍ରତ୍ୟେକ ନାଗରିକଙ୍କ ବ୍ୟବହାର ପାଇଁ ଡିଜିଟାଲ୍ ଭିତ୍ତିଭୂମି
- ପ୍ରଶାସନିକ ଓ ସେବା କ୍ଷେତ୍ରରେ ଆବଶ୍ୟକତା
- ନାଗରିକମାନଙ୍କ ଡିଜିଟାଲ୍ ସଶକ୍ତିକରଣ
ଡିଜିଟାଲ୍ ଇଣ୍ଡିଆର ମୂଳଦୁଆ
ଡିଜିଟାଲ୍ ଇଣ୍ଡିଆ ଏକ ପ୍ରମୁଖ କାଯ୍ୟକ୍ରମ ଯାହାକି ବିଭିନ୍ନ ମନ୍ତ୍ରାଳୟ ଏବଂ ସରକାରୀ ବିଭାଗଗୁଡ଼ିକୁ ଗୋଟିଏ ଛତା ତଳେ ଯୋଡ଼ିଥାଏ। ବିଭିନ୍ନ କ୍ଷେତ୍ରରେ ସୃଷ୍ଟି ହୋଇଥିବା ଭାବନା ଓ ପରିକଳ୍ପନାକୁ ଏକତ୍ରିତ କରି ଏକକ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତ୍ୟେକ କାର୍ଯ୍ୟକ୍ରମର ଲକ୍ଷ୍ୟ ସାଧନ ଦିଗରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଦେଶର ସାମଗ୍ରିକ ବିକାଶ ସହିତ ଜଡ଼ିତ ୯ଟି ସ୍ତମ୍ଭ ଯେପରିକି, ବ୍ରଡ୍ବ୍ୟାଣ୍ଡ୍ ହାଇୱେଜ୍, ସାର୍ବଜନୀନ ମୋବାଇଲ ସେବା ସଂଯୋଗ, ସାଧାରଣ ଲୋକଙ୍କ ପାଇଁ ଇଣ୍ଟରନେଟ୍ ବ୍ୟବସ୍ଥାର ଉପଲବ୍ଧତା, ଇଶାସନ (ଯଥା: ବୈଷୟିକ ବ୍ୟବସ୍ଥା ମାଧ୍ୟମରେ ସରକାରୀ କଳର ସଂସ୍କାର), ଇ-କ୍ରାନ୍ତି (ଇଲେକ୍ଟ୍ରୋନିକ ଡେଲିଭରି ସେବା), ସମସ୍ତଙ୍କ ପାଇଁ ସୂଚନାସେବା, ଇଲେକଟ୍ରୋନିକ୍ସ ମାନୁଫାକ୍ଚରିଂ, ନିଯୁକ୍ତି ସୃଷ୍ଟି ପାଇଁ ସୂଚନା ପ୍ରଯୁକ୍ତି ବିଦ୍ୟା ଏବଂ ପ୍ରାକ୍ ସଫଳତା ହାସଲ ଆଦିକୁ ଡିଜିଟାଲ୍ ଇଣ୍ଡିଆ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରୋତ୍ସାହିତ କରିବା ଏହି ଯୋଜନାର ପ୍ରମୁଖ ଉଦ୍ଦେଶ୍ୟ। ଏଗୁଡିକ ମଧ୍ୟରୁ ପ୍ରତ୍ୟେକ କ୍ଷେତ୍ର ଗୋଟିଏ ଗୋଟିଏ ଯୌଗିକ କାର୍ଯ୍ୟକ୍ରମ ହୋଇଥିବାରୁ ଏହା ବିଭିନ୍ନ ମନ୍ତ୍ରାଳୟ ଏବଂ ବିଭାଗର ବ୍ୟୟ ହ୍ରାସ କରିବାରେ ସହାୟକ ହୋଇଥାଏ।
ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରାଳୟର ଏକ ଅଂଶ ଭାବେ ସବୁଠାରୁ ମହତ୍ୱାକାଂକ୍ଷୀ ଡିଜିଟାଲ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ଭାରତ ସରକାରଙ୍କ ଦ୍ୱାରା ଇଣ୍ଡିଆ ବିପିଓ ପ୍ରୋତ୍ସାହନ ଯୋଜନା (ଆଇବିପିଏସ୍) ପ୍ରଚଳନ କରାଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜାତୀୟସ୍ତରରେ ବିପିଓ ଏବଂ ଆଇଟିଇଏସ୍ ପରିଚାଳନା କ୍ଷେତ୍ରରେ ୪୮ ହଜାରରୁ ଊର୍ଦ୍ଧ୍ୱ ସିଟ୍ ସୃଷ୍ଟି ପାଇଁ ଶିଳ୍ପ ସଂସ୍ଥାମାନଙ୍କୁ ପ୍ରୋତ୍ସାହନ ଦେବାର ବ୍ୟବସ୍ଥା କରାଯାଇଛି। ସଫ୍ଟଓୟାର୍ ଟେକ୍ନୋଲୋଜି ପାର୍କସ୍ ଅଫ୍ ଇଣ୍ଡିଆ (ଏସ୍ଟିପିଆଇ) ଦ୍ୱାରା ଆଜି ଦେଶବ୍ୟାପୀ ଏହି ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରାଯାଉଛି ।
ପ୍ରତ୍ୟେକ ରାଜ୍ୟର ଜନସଂଖ୍ୟାକୁ ହିସାବକୁ ନେଇ ଏହି କାର୍ଯ୍ୟକ୍ରମ ଅଧୀନରେ ସିଟ୍ ସଂଖ୍ୟା ସ୍ଥିର କରାଯାଇଛି। ଇଣ୍ଡିଆ ବିପିଓ ପ୍ରୋତ୍ସାହନ ଯୋଜନା (ଆଇବିପିଏସ୍) ଲାଗି ମୋଟ୍ ୪୯୩ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରାଯାଇଛି । ଏହା ଦେଶର ଅପେକ୍ଷାକୃତ ଛୋଟ ଛୋଟ ସହରମାନଙ୍କରେ ଆଇଟି ଭିତ୍ତିଭୂମି ପ୍ରତିଷ୍ଠା କରିବାର କ୍ଷମତା ବୃଦ୍ଧି ସହ ଦକ୍ଷ ମାନବସମ୍ବଳ ସୃଷ୍ଟି କରିବା ଏବଂ ଆଗାମୀ ଦିନରେ ଆଇଟି/ଆଇଟିଇଏସ୍ କ୍ଷେତ୍ରର ବ୍ୟାପକ ଅଭିବୃଦ୍ଧି ପାଇଁ ସହାୟତା ଯୋଗାଇ ଦେଉଛି ।
ପ୍ରତ୍ୟେକ ରାଜ୍ୟରେ ସୂଚନା ପ୍ରଯୁକ୍ତି ବିଦ୍ୟା ଏବଂ ଆଇଟିଇଏସ୍ କ୍ଷେତ୍ରରେ ଆଞ୍ଚଳିକ ସମତୁଲ୍ୟତା ରକ୍ଷା ଏବଂ ନିଯୁକ୍ତି ସୃଷ୍ଟି କରିବା ହେଉଛି ଭାରତ ବିପିଓ ପ୍ରୋତ୍ସାହନ ଯୋଜନାର ମୂଳ ଲକ୍ଷ୍ୟ ।
ବିପିଓ/ଆଇଟିଇଏସ୍ ପରିଚାଳନା କ୍ଷେତ୍ରକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଭାରତ ବିପିଓ ପ୍ରୋତ୍ସାହନ ଯୋଜନା ମାଧ୍ୟମରେ ପ୍ରତ୍ୟେକ ସିଟ୍ ପାଇଁ ମୂଳ ପୁଞ୍ଜି ଏବଂ ପରିଚାଳନାଗତ ବ୍ୟୟ ସହାୟତା ଭାବେ ଯୋଗ୍ୟ କମ୍ପାନିମାନଙ୍କୁ ଭାୟାବିଲିଟି ଗ୍ୟାପ୍ ଫଣ୍ଡିଙ୍ଗ୍ ବ୍ୟବସ୍ଥାରେ ସିଟ୍ ପିଛା ୧ ଲକ୍ଷ ଟଙ୍କା ଯୋଗାଇ ଦିଆଯାଉଛି ।
ଏହି ଯୋଜନା ପାଇଁ ଏଜେନ୍ସି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ନିମନ୍ତେ ଭାରତ ସରକାରଙ୍କ ଇଲେକଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରାଳୟ ପକ୍ଷରୁ ସଫ୍ଟଓୟାର ଟେକ୍ନୋଲୋଜି ପାର୍କସ୍ ଅଫ୍ ଇଣ୍ଡିଆ (ଏସ୍ଟିପିଆଇ)କୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଦିଆଯାଇଛି।
ଓଡ଼ିଶା ଭଳି ରାଜ୍ୟରେ ଆଇବିପିଏସ୍ର କାର୍ଯ୍ୟକାରିତା ବୃଦ୍ଧି ପାଇଥିବା ବେଳେ ଏହା ରାଜ୍ୟର ନିର୍ଦ୍ଦାରିତ ଲକ୍ଷ୍ୟକୁ ଅତିକ୍ରମ କରିଛି। ପୂର୍ବରୁ ଆଇବିପିଏସ୍ ଯୋଜନା ଅଧୀନରେ ଓଡ଼ିଶାକୁ ୧୯୦୦ ସିଟ୍ ଆବଣ୍ଟନ କରାଯାଇଥିଲା। ସେମଧ୍ୟରୁ ୨୮୩୨ ସିଟ୍ ୨୦ଟି ପ୍ରମୁଖ କମ୍ପାନିକୁ ରାଜ୍ୟର ଭୁବନେଶ୍ୱର, ପୁରୀ, କଟକ, ଜଳେଶ୍ୱର, ସମ୍ବଲପୁର ଏବଂ ବାଲେଶ୍ୱର ଆଦି ସହରରେ ସେମାନଙ୍କ ଆଇଟିଇଏସ୍/ବିପିଓ ପ୍ରତିଷ୍ଠା ପାଇଁ ଆବଣ୍ଟିତ କରାଯାଇଛି। ଗ୍ରାମାଞ୍ଚଳର ଯୁବଗୋଷ୍ଠୀଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରାଯାଇ ଏହି ଯୋଜନାର ଲକ୍ଷ୍ୟ ସାଧନ କରାଯାଉଛି ।
ଆଗାମୀ ଦିନରେ ଇଣ୍ଡିଆ ବିପିଓ ପ୍ରୋତ୍ସାହନ ଯୋଜନାକୁ ଦେଶର ଗ୍ରାମାଞ୍ଚଳ ଏବଂ ଛୋଟ ଛୋଟ ସହରଗୁଡିକରେ ସଂପ୍ରସାରିତ କରାଯାଇ ଆଇଟି ବିପ୍ଳବରେ ସାମିଲ କରାଯିବ। ଏହାଫଳରେ ଆମ ଯୁବଗୋଷ୍ଠୀଙ୍କ ପାଇଁ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ରାଜ୍ୟର ଛୋଟ ସହରମାନଙ୍କରେ ଉନ୍ନତ ଭିତ୍ତିଭୂମି ସୃଷ୍ଟି କରାଯିବ ।
ଏହା ଅତ୍ୟନ୍ତ ଆନନ୍ଦର ବିଷୟ ଯେ, ବାଲେଶ୍ୱର ନିକଟସ୍ଥ ଛୋଟ ଛୋଟ ସହର ଜଳେଶ୍ୱର, ଶାସନରେ ବିପିଓ ୟୁନିଟ୍ ପ୍ରତିଷ୍ଠା କରାଯାଇ ଏହି ଯୋଜନାର ଉଦ୍ଦେଶ୍ୟ ସାଧନ କରାଯିବା ସହିତ ଗ୍ରାମାଞ୍ଚଳ ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରୁଛି ।
ଏହା ଅତ୍ୟନ୍ତ ଉଲ୍ଲେଖଯୋଗ୍ୟ ଯେ, ଆଇଟି/ଆଇଟିଇଏସ୍/ଇଏସ୍ଡିଏମ୍ ଶିଳ୍ପର ପ୍ରୋତ୍ସାହନ ଏବଂ ସଫ୍ଟଓୟାର ଓ ଆଇଟି ସେବା ରପ୍ତାନି ପାଇଁ ସ୍ୱତନ୍ତ୍ର ଲକ୍ଷ୍ୟ ରଖାଯାଇ ଭାରତ ସରକାରଙ୍କ ଇଲେକଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରାଳୟ ଅଧୀନରେ ସଫ୍ଟଓୟାର ଟେକ୍ନୋଲୋଜି ପାର୍କସ୍ ଅଫ୍ ଇଣ୍ଡିଆ (ଏସ୍ଟିପିଆଇ) ପ୍ରତିଷ୍ଠା କରାଯାଇଛି। ବିଗତ ଦୁଇ ଦଶନ୍ଧିରେ ଆଇଟି/ଆଇଟିଇଏସ୍ ଶିଳ୍ପର ବିଶେଷ ଅଭିବୃଦ୍ଧି ଦିଗରେ ଏସ୍ଟିପିଆଇ ଏକ ପ୍ରମୁଖ ସହଯୋଗୀ ଉଦ୍ୟୋଗ ଭାବେ ଭୂମିକା ତୁଲାଇଛି। ସେହିପରି ଭାରତକୁ ଏକ ଶକ୍ତିଶାଳୀ ଆଇଟି ସଫ୍ଟଓୟାର ଆଉଟ୍ସୋର୍ସିଂ ହବ୍ ଭାବେ ପ୍ରତିଷ୍ଠା କରିବାର ପଥ ଦେଖାଇବା ସହ ଜାତୀୟ ଜିଡିପିକୁ ମଧ୍ୟ ଏହା ପର୍ଯ୍ୟାପ୍ତ ଖୋରାକ୍ ଯୋଗାଇଛି ।
ଗତ ବର୍ଷମାନଙ୍କରେ ଏସ୍ଟିପିଆଇ ରାଜ୍ୟରେ ଆଇଟି ରପ୍ତାନି କ୍ଷେତ୍ରରେ ନୂତନ ମାଇଲ୍ଖୁଣ୍ଟ ପ୍ରତିଷ୍ଠା କରିବା ସହିତ ରାଜ୍ୟରୁ ୪ହଜାର କୋଟି ଟଙ୍କାର ରପ୍ତାନି କରିବାକୁ ସମର୍ଥ ହୋଇଛି । ଷ୍ଟାର୍ଟଅପ୍,ଏମ୍ଏସ୍ଏମ୍ଇ ଏବଂ ଏସ୍ଏମ୍ଇ ଶିଳ୍ପ ସଂସ୍ଥାମାନଙ୍କୁ ପ୍ରୋତ୍ସାହନ ଦେବାରେ ଆରମ୍ଭରୁ ଏସ୍ଟିପିଆଇ ଏକ ଅଗ୍ରଣୀ ଅନୁଷ୍ଠାନ ଭାବେ କାର୍ଯ୍ୟ କରି ଆସୁଛି। ଫଳରେ ଏହା ବିଭିନ୍ନ ଶିଳ୍ପ ସଂସ୍ଥାର ସ୍ଥାୟୀ ଅଭିବୃଦ୍ଧି ପଥରେ ସହାୟକ ହୋଇପାରିଛି। ଔଦ୍ୟୋଗିକ ବିପ୍ଳବ, ଷ୍ଟାର୍ଟଅପ୍ ଓ ନବ ଉନ୍ମେଷ ଏବଂ ସରକାରଙ୍କ ଡିଜିଟାଲ ଇଣ୍ଡିଆ ଓ ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଭଳି ବିଭିନ୍ନ ପ୍ରମୁଖ ଯୋଜନାର କାର୍ଯ୍ୟକାରିତା ପାଇଁ ଏସ୍ଟିପିଆଇ ଆଜି ଏକ ଆଗଧାଡ଼ିର ଅନୁଷ୍ଠାନ ଭାବେ କାର୍ଯ୍ୟ କରୁଛି। ନବ ଉନ୍ମେଷ ଆଧାରିତ ଔଦ୍ୟୋଗିକତାର ବିକାଶ ପାଇଁ ଏସ୍ଟିପିଆଇ ରାଜ୍ୟ ସରକାର, ଶିଳ୍ପ ଉଦ୍ୟୋଗ ଏବଂ ବିଭିନ୍ନ ଅନୁଷ୍ଠାନମାନଙ୍କର ନିକଟତର ହୋଇ କାର୍ଯ୍ୟ କରିବା ସହ ଆଇପିଆର୍ ଅଭିବୃଦ୍ଧି ପଥକୁ ତ୍ୱରାନ୍ୱିତ କରିବା ଏବଂ ଉତ୍ପାଦ ବିକାଶ ଓ ଦେଶବ୍ୟାପୀ ଆଇଟି ରପ୍ତାନି କ୍ଷେତ୍ରକୁ ପ୍ରୋତ୍ସାହିତ କରି ନିଯୁକ୍ତି ସୃଷ୍ଟି ପାଇଁ ଲକ୍ଷ୍ୟ ରଖିଛି।
ବର୍ତ୍ତମାନ ସାରା ଦେଶରେ ଏସ୍ଟିପିଆଇର ୫୯ଟି କେନ୍ଦ୍ର ରହିଥିଲା ବେଳେ ଓଡ଼ିଶା ଭଳି ରାଜ୍ୟରେ ଭୁବନେଶ୍ୱର, ରାଉରକେଲା ଏବଂ ବ୍ରହ୍ମପୁର ସହରରେ ୩ଟି କେନ୍ଦ୍ର ରହିଛି। ସେହିପରି ବାଲେଶ୍ୱରରେ ଏହାର ଚତୁର୍ଥ କେନ୍ଦ୍ର ଏବେ କାର୍ଯ୍ୟ ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇସାରିଛି। ଜାତୀୟସ୍ତରରେ ୧ ନିୟୁତ ବର୍ଗ ଫୁଟ୍ ପରିମିତ ଅଞ୍ଚଳରେ କାର୍ଯ୍ୟ କରିବାକୁ ଏସ୍ଟିପିଆଇ ଉଦ୍ୟମ ଜାରି ରଖିଥିବା ବେଳେ ଆଇଟି/ଆଇଟିଇଏସ୍/ଇଏସ୍ଡିଏମ୍ ଶିଳ୍ପଗୁଡିକୁ ଲାଭଦାୟକ କରିବା, ଏବଂ ସର୍ବୋପରି ଛୋଟ ଛୋଟ ସହରରେ ଆଇଟି ଭିତ୍ତିଭୂମିର ବିକାଶ ଲାଗି ଉଦ୍ୟମ କରୁଛି। ଓଡ଼ିଶା ଭଳି ରାଜ୍ୟରେ ଏସ୍ଟିପିଆଇ ୨ ଲକ୍ଷ ବର୍ଗ ଫୁଟ୍ର ଇନ୍କ୍ୟୁବେସନ୍ ସ୍ପେସ୍ ପ୍ରସ୍ତୁତ କରି ଏସ୍ଏମ୍ଇ/ଏମ୍ଏସ୍ଏମ୍ଇ ଏବଂ ଷ୍ଟାର୍ଟଅପ୍ଗୁଡିକର ବିକାଶ ସାଧନ ସହ ଆଇପିଆର୍ ଏବଂ ଉତ୍ପାଦ ବିକାଶ ପାଇଁ କାର୍ଯ୍ୟ କରୁଛି ।
ବୈଷୟିକ ପ୍ରାଧାନ୍ୟ କ୍ଷେତ୍ରଗୁଡିକରେ ନେତୃତ୍ୱ ଏବଂ ପରବର୍ତ୍ତୀ ପିଢିର ଉଦ୍ୟୋଗୀ ସୃଷ୍ଟି ପାଇଁ ଭାରତ ସରକାରଙ୍କ ଇଲେକଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରାଳୟ ଓ ରାଜ୍ୟ ସରକାରମାନଙ୍କ ସହାୟତାରେ ଜାତୀୟସ୍ତରରେ ଏବଂ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସେଣ୍ଟର ଅଫ୍ ଏକ୍ସିଲେନ୍ସି (ସିଓଇ) ପ୍ରତିଷ୍ଠା କରୁଛି । ଏହି ପ୍ରମୁଖ ସିଓଇଗୁଡିକ ମଧ୍ୟରେ ଭୁବନେଶ୍ୱରଠାରେ ଇଲେକ୍ଟ୍ରୋପେନ୍ୟୁଅର ପାର୍କ ଏବଂ ଭର୍ଚୁଆଲ ଆଣ୍ଡ ଅଗ୍ମେଣ୍ଟେଡ୍ ରିୟଲିଟି (ଭିଏଆର୍) ଫାବ୍ରିକେସନ୍ ଲ୍ୟାବ୍ ପ୍ରତିଷ୍ଠା କରାଯାଇ ନବ ଉନ୍ମେଷ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା, ଶିଳ୍ପଭିତ୍ତିକ ଗବେଷଣା, ଉଦ୍ୟୋଗଗୁଡିକୁ ଡାଟା ପରିଚାଳିତ ବ୍ୟବସ୍ଥାରେ ନିଷ୍ପତ୍ତି ନେବାରେ ପ୍ରୋତ୍ସାହିତ କରିବା, ସ୍ୱତନ୍ତ୍ର କ୍ଷେତ୍ରରେ ଉପଯୁକ୍ତ ଦକ୍ଷତା ଏବଂ ମେଧା ବିକାଶ, ସର୍ବୋପରି ଶିଳ୍ପ ସଂସ୍ଥାମାନଙ୍କୁ ଆଗ୍ରହୀ କରିବା ପାଇଁ ଏକ ଉତ୍ତମ ପରିବେଶ ସୃଷ୍ଟି କରିବାର ଲକ୍ଷ୍ୟ ରଖାଯାଇଛି ।
ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ମାଧ୍ୟମରେ ଭୁବନେଶ୍ୱରସ୍ଥିତ ଏସ୍ଟିପିଆଇ କାର୍ଯ୍ୟାଳୟ ଅନେକ ନୂତନ କାର୍ଯ୍ୟ ହାତକୁ ନେବା ପାଇଁ ଯୋଜନା କରିଛି ଯାହାକି ରାଜ୍ୟର ଆଇଟି କ୍ଷେତ୍ରରେ ଏକ ବିପ୍ଳବାତ୍ମକ ପରିବର୍ତ୍ତନ ଆଣିବାରେ ସହାୟକ ହୋଇପାରିବ। ଏସ୍ଟିପିଆଇ ଏହାର ପ୍ରୟାସରେ ସଫଳ ରହି ଏହାର ସୁଦୂରପ୍ରସାରୀ କାର୍ଯ୍ୟକ୍ରମ ଜାରି ରଖିଛି ଯାହାକି, ଆଇଟି କ୍ଷେତ୍ରରେ ଓଡ଼ିଶାକୁ ସାରା ଦେଶରେ ଏକ ପ୍ରମୁଖ ଲକ୍ଷ୍ୟସ୍ଥଳ ଭାବେ ଗଢ଼ି ତୋଳିବା ଦିଗରେ ସହାୟକ ହୋଇପାରିବ।
(ମାନସ ପଣ୍ଡା, ଏସଟିପିଆଇ ଭୁବନେଶ୍ୱରର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି।)