ଓଡ଼ିଶାଲାଇଭ୍‌ ବ୍ୟୁରୋ

‘‘ଦକ୍ଷ ପ୍ରତିଭା, ଦୂରଦୃଷ୍ଟି ସମ୍ପନ୍ନ ଶାସନ ନୀତି, ବିଶ୍ୱସ୍ତରୀୟ ଷ୍ଟାର୍ଟଅପ୍‌ ଓ ଅଭିନବ ଯୋଜନା, ସର୍ବାଧିକ ଇନକ୍ୟୁବେଟର ଏବଂ ବ୍ୟବସ୍ଥା ସହ ସମସ୍ତ ଅଂଶୀଦାରମାନଙ୍କ ସମନ୍ୱୟ ଯୋଗୁଁ ଭାରତର ଇକୋ ସିଷ୍ଟମ ଭିତରେ ଓଡ଼ିଶା ସମ୍ମାନଜନକ ସ୍ଥିତିରେ ରହିଛି’’, କହିଛନ୍ତି ଷ୍ଟାର୍ଟଅପ୍‌ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡକ୍ଟର ଓମକାର ରାୟ।

ଦେଶ ବିଦେଶର ନିବେଶକାରୀମାନଙ୍କୁ ଓଡ଼ିଶା ପ୍ରତି ଆକର୍ଷିତ କରିବା ଲାଗି ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣ ଭୁବନେଶ୍ୱରଠାରେ ଆରମ୍ଭ ହୋଇଛି। ଏହି ଅବସରରେ ଡକ୍ଟର ଓମକାର ରାୟ ଓଡ଼ିଶାଲାଇଭକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଓଡ଼ିଶାରେ ଷ୍ଟାର୍ଟଅପ୍‌ ପାଇଁ ରହିଥିବା ଅନୁକୂଳ ପରିବେଶ ବିଷୟରେ କହିଛନ୍ତି।

‘‘କୃଷି ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ ହେଉଛି। ତା’ଛଡ଼ା ଓଡ଼ିଶାରେ ପ୍ରଚୁର ପ୍ରାକୃତିକ ସମ୍ପଦ ଏବଂ ଖଣିଜ ସମ୍ପଦ ଭରି ରହିଛି। ବୟନଶିଳ୍ପ ଏବଂ ହସ୍ତତନ୍ତ ସହିତ ଅନେକ ପର୍ଯ୍ୟଟନ କ୍ଷେତ୍ର ମଧ୍ୟ ରହିଛି। ଷ୍ଟାର୍ଟଅପ୍‌ ପ୍ରତିଷ୍ଠା ଦିଗରେ ଏହା ବିଶେଷ ସହାୟକ ହୋଇପାରିବ। ତେଣୁ ଏ ଦିଗରେ ଓଡ଼ିଶାର ଯୁବକ ଯୁବତୀମାନେ ଆଗକୁ ଆସି ବିଭିନ୍ନ କ୍ଷେତ୍ରରୁ ଲାଭ ଉଠାଇ ପାରିବେ’’, କହିଛନ୍ତି ଡକ୍ଟର ଓମକାର ରାୟ।

ସେ ଆହୁରି କହିଛନ୍ତି ଯେ, ଓଡ଼ିଶା ଷ୍ଟାର୍ଟଅପ୍‌ ନୀତି-୨୦୧୬ ଆଧାରରେ ଷ୍ଟାର୍ଟଅପଗୁଡ଼ିକୁ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି। ବିଭିନ୍ନ ଅଂଶୀଦାରମାନଙ୍କୁ ଏକାଠି ନେଇ କାମ କରିବା ସହ ନୂଆ ନୂଆ ଇନକ୍ୟୁବେଟର ପ୍ରତିଷ୍ଠା ଲାଗି ମଧ୍ୟ ଷ୍ଟାର୍ଟଅପ୍‌ ଓଡ଼ିଶା ସହଯୋଗ କରି ଆସୁଛି।

ବର୍ତ୍ତମାନ ଓଡ଼ିଶାରେ ୨୮ଟି ଇନକ୍ୟୁବେଟର ରହିଛି। ଏହି ସଂଖ୍ୟା ଆଗକୁ କିପରି ବଢ଼ିପାରିବ ସେନେଇ ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ ଗବେଷଣା ସଂସ୍ଥାର ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରାଯାଉଛି। ରାଜ୍ୟରେ ଇନକ୍ୟୁବେଟର ଭିତ୍ତିଭୂମିକୂ ସୁଦୃଢ଼ କରିବା ଲାଗି ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି ଡକ୍ଟର ଓମକାର ରାୟ କହିଛନ୍ତି।

‘‘ଓଡ଼ିଶାରେ ଉଦ୍ୟୋଗ ସ୍ଥାପନ ଏବଂ ବ୍ୟବସାୟ ପାଇଁ ଭଲ ବାତାବରଣ ରହିଛି। ଆମ ପାଖରେ ବିଶ୍ୱସ୍ତରୀୟ ବୈଷୟିକ ଶିକ୍ଷାନୁଷ୍ଠାନ ଏବଂ ଉଚ୍ଚତର ଗବେଷଣା ସଂସ୍ଥା ରହିଛି। ଷ୍ଟାର୍ଟଅପ୍‌ ପ୍ରତିଷ୍ଠା ଲାଗି ସରକାର ମଧ୍ୟ ଆବଶ୍ୟକ ସହଯୋଗ ଯୋଗାଇ ଦେଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ଓଡ଼ିଶାକୁ ଭାରତର ଶ୍ରେଷ୍ଠ ତିନିଟି ଷ୍ଟାର୍ଟଅପ୍‌ ଇକୋ ସିଷ୍ଟମ ଭିତରେ ସ୍ଥାନ ଦେବା ପାଇଁ ଆମେ କାମ କରୁଛୁ’’, ଓଡ଼ିଶାଲାଇଭକୁ କହିଛନ୍ତି ଡକ୍ଟର ଓମକାର ରାୟ।

ଷ୍ଟାର୍ଟଅପ୍‌ ଓଡ଼ିଶା ପକ୍ଷରୁ ବର୍ତ୍ତମାନ ଆଞ୍ଜେଲ ନିବେଶକ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯାଉଛି। ଏହାକୁ ଆଗାମୀ ଦିନରେ ବ୍ୟାପକ କରାଯିବ। ତା’ଛଡ଼ା ରାଜ୍ୟରେ ଶିଳ୍ପ ପାଇଁ ଅନୁକୂଳ ପରିବେଶ ବା ଇଣ୍ଡଷ୍ଟ୍ରିଆଲ ଇକୋ ସିଷ୍ଟମ ସୃଷ୍ଟି କରିବା ଲାଗି ପଦକ୍ଷେପ ନିଆଯାଉଥିବା ଡକ୍ଟର ରାୟ କହିଛନ୍ତି।

ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ-୨୦୨୨ରେ ଦେଶ ବିଦେଶରୁ ନାମୀଦାମୀ ଶିଳ୍ପପତିମାନେ ଯୋଗ ଦେବେ। ତେଣୁ ସେମାନଙ୍କ ଆଗରେ ଷ୍ଟାର୍ଟଅପ୍‌ ଓଡ଼ିଶାର ଯାତ୍ରା ଏବଂ ସଫଳତା ବିଷୟରେ ଉପସ୍ଥାପନ ଲାଗି ଏକ ବଡ଼ ସୁଯୋଗ ଆସିଛି ବୋଲି ସେ କହିଛନ୍ତି।

#MakeInOdishaConclave2022 #StartupOdisha #InvestOdisha #Startup

Comment