ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଆଜିଠାରୁ ଆରମ୍ଭ ହେଲା ୫-ଜି ଯୁଗ। କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର ଦିନ ୫-ଜି ସେବାର ଶୁଭାରମ୍ଭ କରିଛନ୍ତି। ଆସନ୍ତା ଦୁଇ ବର୍ଷ ମଧ୍ୟରେ ସମଗ୍ର ଓଡ଼ିଶାରେ ୫-ଜି ସେବା ପହଞ୍ଚିବ। ୪-ଜି ମୂଲ୍ୟ ସହ ୫-ଜିର ମୂଲ୍ୟ ସାମନ ରହିବ ବୋଲି ଆଇଟି ମନ୍ତ୍ରୀ ସୂଚନା ଦେଇଛନ୍ତି। ଭୁବନେଶ୍ଵରଠାରେ ଅନୁଷ୍ଠିତ ହୋଇଥିବା ଉଦଘାଟନୀ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଥିଲେ।

ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ଵର-କଟକ ଟୁଇନସିଟିରେ ୫-ଜି ସେବା ଉପଲବ୍ଧ କରାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ୫ଟି ସହରରେ ଏହି ସେବା ଆରମ୍ଭ ହେବ। ୫-ଜି ସେବା ଉପଲବ୍ଧ କରାଇବାକୁ ଟେଲିକମ କମ୍ପାନି ରିଲାଏନ୍ସି ଏବଂ ଏୟାରଟେଲକୁ ଅନୁମତି ମିଳିଛି। ଏଥିପାଇଁ ରିଲାଏନ୍ସ ଏବଂ ଏୟାରଟେଲ ପକ୍ଷରୁ ବିଭିନ୍ନ ସହରରେ ୫୧୦ଟି ବିଟିଏସ୍ ସ୍ଥାପନ କରାଯାଇଛି।

ଆଜିଠାରୁ ୪-ଜି ବ୍ୟବହାର କରୁଥିବା ଗ୍ରାହକଙ୍କୁ ଉନ୍ନତମାନର ଇଣ୍ଟରନେଟ ସେବା ମିଳିବ। ୪-ଜିଠାରୁ ୧୦ ଗୁଣା ସ୍ପିଡରେ ଚାଲିବ ୫-ଜି ସେବା।

୨୦୨୩ ଜାନୁଆରି ୨୬ ତାରିଖ ପୂର୍ବରୁ ରାଜ୍ୟରେ ୫-ଜି ସେବା ଉପଲବ୍ଧ ହେବ ବୋଲି ୨୦୨୨ ଡିସେମ୍ବର ୨୯ ତାରିଖରେ ଭୁବନେଶ୍ଵର ରେଳ ଷ୍ଟେସନ ନବକଳେବର ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅବସରରେ କେନ୍ଦ୍ର ରେଳ ଏବଂ ଆଇଟି ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ସୂଚନା ଦେଇଥିଲେ।

ଏହା ପୂର୍ବରୁ ଗତ ୨୦୨୨ ଅକ୍ଟୋବର ୧ ତାରିଖରେ ଭାରତରେ ୫-ଜି ସେବାର ଶୁଭାରମ୍ଭ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ, କୋଲକାତା, ଚେନ୍ନାଇ, ମୁମ୍ବାଇ, ଅହମଦାବାଦ, ବେଙ୍ଗାଳୁରୁ, ଚଣ୍ଡିଗଡ଼, ଗାନ୍ଧିନଗର, ଗୁରୁଗ୍ରାମ, ହାଇଦ୍ରାବାଦ, ଜାମନଗର, ଲକ୍ଷ୍ନୌ ଏବଂ ପୁଣେରେ ୫-ଜି ସେବା ଉପଲବ୍ଧ କରାଯାଇଥିଲା। ୨୦୨୩ ମସିହା ଡିସେମ୍ବର ମାସ ସୁଦ୍ଧା ଦେଶର ପ୍ରତି ରାଜ୍ୟରେ ୫-ଜି ସେବା ଯୋଗାଇବାକୁ ଲକ୍ଷ୍ୟ ରହିଛି।

Tags: #5G #5GService #Telecome #InformationTechnology #UnionMinisterDharmendraPradan #ITMinisterAshwiniVaishnaw #5GServiceinOdisha

Comment