ଓଡ଼ିଶାଲାଇଭ୍ ବ୍ୟୁରୋ

ଜାନୁଆରି ୫ ତାରିଖରୁ ଓଡ଼ିଶାରେ ଆରମ୍ଭ ହେବ ୫-ଜି ସେବା। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର, କଟକ ଭଳି ପ୍ରମୁଖ ସହରଗୁଡ଼ିକରେ ଏହି ସେବା ଉପଲବ୍ଧ ହେବ। ଏହା ପରେ ପର୍ଯ୍ୟାୟକ୍ରମେ ଏହି ସେବା ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ପହଞ୍ଚିବ। ବୁଧବାର ଦିନ ଓଡ଼ିଶାରେ ୫-ଜି ସେବାର ଶୁଭାରମ୍ଭ କରାଯିବ।

ଓଡ଼ିଶାରେ ୫-ଜି ସେବାର ଶୁଭାରମ୍ଭ ଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଟେଲିକମ କମ୍ପାନି ରିଲାଏନ୍ସ ଜିଓ ଏବଂ ଏୟାରଟେଲ ଏହି ସେବା ପ୍ରଦାନ କରିବେ। ୫-ଜି ସେବା ପାଇଁ ଜାନୁଆରି ୨ ତାରିଖ ସୁଦ୍ଧା ୫୦୧ଟି ବିଟିଏସ (ବେସ ଟ୍ରାନ୍ସିଭର ଷ୍ଟେସନ) ପ୍ରସ୍ତୁତ ହୋଇସାରିଛି।

୨୦୨୩ ଜାନୁଆରି ୨୬ ତାରିଖ ପୂର୍ବରୁ ରାଜ୍ୟରେ ୫-ଜି ସେବା ଉପଲବ୍ଧ ହେବ ବୋଲି ୨୦୨୨ ଡିସେମ୍ବର ୨୯ ତାରିଖରେ ଭୁବନେଶ୍ଵର ରେଳ ଷ୍ଟେସନ ନବକଳେବର ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅବସରରେ କେନ୍ଦ୍ର ରେଳ ଏବଂ ଆଇଟି ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ସୂଚନା ଦେଇଥିଲେ।

ଏହା ପୂର୍ବରୁ ଗତ ୨୦୨୨ ଅକ୍ଟୋବର ୧ ତାରିଖରେ ଭାରତରେ ୫-ଜି ସେବାର ଶୁଭାରମ୍ଭ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ, କୋଲକାତା, ଚେନ୍ନାଇ, ମୁମ୍ବାଇ, ଅହମଦାବାଦ, ବେଙ୍ଗାଳୁରୁ, ଚଣ୍ଡିଗଡ଼, ଗାନ୍ଧିନଗର, ଗୁରୁଗ୍ରାମ, ହାଇଦ୍ରାବାଦ, ଜାମନଗର, ଲକ୍ଷ୍ନୌ ଏବଂ ପୁଣେରେ ୫-ଜି ସେବା ଉପଲବ୍ଧ କରାଯାଇଥିଲା। ୨୦୨୩ ମସିହା ଡିସେମ୍ବର ମାସ ସୁଦ୍ଧା ଦେଶର ପ୍ରତି ରାଜ୍ୟରେ ୫-ଜି ସେବା ଯୋଗାଇବାକୁ ଲକ୍ଷ୍ୟ ରହିଛି।

Tags: #5GService #5GServiceinOdisha #UnionMinisterAshwiniVaishnaw

Comment