ଓଡ଼ିଶାଲାଇଭ ବ୍ୟୁରୋ

ଆଇସିସି ବିଶ୍ଵକପର ୪୩ତମ ମ୍ୟାଚ ଆଜି ଲଣ୍ଡନରେ ଦୁଇ ଏସିୟ ଦଳ ପାକିସ୍ତାନ–ବାଂଲାଦେଶ ମଧ୍ୟରେ ହେବ। ଏଥିରେ ବାଂଲାଦେଶ ସେମିଫାଇନାଲ ଦୌଡ଼ରୁ ବାଦ ପଡ଼ିଥିଲା ବେଳେ ପାକିସ୍ତାନ ପାଖରେ ସୁଯୋଗ ରହିଛି ମାତ୍ର ତାହା ପୂରଣ କରିବା ଦିବା ସ୍ଵପ୍ନ ସହ ସମାନ।

ନ୍ୟୁଜିଲାଣ୍ଡ ୧୧ ପଏଣ୍ଟରେ ରହିଥିବା ବେଳେ ପାକିସ୍ତାନର ଆଉ ଗୋଟିଏ ମ୍ୟାଚ ବାକି ଥାଇ ୯ ପଏଣ୍ଟରେ ରହିଛି ଯଦି ଆଜିର ମ୍ୟାଚ ପାକିସ୍ତାନ ବିଜୟୀ ହୁଏ ତେବେ ୧୧ ପଏଣ୍ଟରେ ନ୍ୟୁଜିଲାଣ୍ଡ ସହ ସମାନ ରହିବ ହେଲେ ନେଟ ରନ ରେଟରେ ନ୍ୟୁଜିଲାଣ୍ଡ ୦.୧୭୫ରେ ଥିଲାବେଳେ ପାକିସ୍ତାନ -୦.୭୯୨ରେ ରହିଛି। ଯଦି ପାକିସ୍ତାନ ଆଜି ବାଂଲାଦେଶକୁ ୩୧୬ରନ ବ୍ୟବଧାନରେ ପରାସ୍ତ କରେ ତେବେ ପାକିସ୍ତାନ ପାଖରେ ସେମିଫାଇନାଲ ଖେଳିବାର ସୁଯୋଗ ରହିବ।

ପାକିସ୍ତାନ ଚଳିତ ବିଶ୍ଵକପରେ ୮ଟି ମ୍ୟାଚ ଖେଳି ୪ଟି ବିଜୟ, ୩ଟି ପରାଜୟ ଓ ଗୋଟିଏ ବାତିଲ ସହ ୯ ପଏଣ୍ଟରେ ରହିଛି। ଦଳକୁ ଏହି ମ୍ୟାଚ ଜିତିବାକୁ ହେଲେ ଏକ ବଡ଼ ସ୍କୋର କରିବାକୁ ହେବ। ଦଳରେ ମହମ୍ମଦ ହାଫିଜ, ବାବର ଆଜମ, ସରଫରାଜ ଖାନ ଭଳି ଦକ୍ଷ ଖେଳାଳିଙ୍କ ପାଖରେ ସାମର୍ଥ୍ୟ ରହିଛି ବଡ଼ ସ୍କୋର କରିବାର।

ସେହିପରି ମହମ୍ମଦ ଅମିର ଚଳିତ ବିଶ୍ଵକପରେ ଦମଦାର ପ୍ରଦର୍ଶନ କରିଛନ୍ତି। ତେବେ ଆଜିର ମ୍ୟାଚରେ ତାଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ରହିବ। ଦଳକୁ ଏହି ମ୍ୟାଚ ଜିତିବାକୁ ହେଲେ ପ୍ରଥମରୁ ହିଁ ବ୍ୟାଟିଂ ନେଇ ବାଂଲାଦେଶ ବୋଲରଙ୍କ ବିରୁଦ୍ଧରେ ଧୁଆଁଧାର ପ୍ରଦର୍ଶନ କରିବାକୁ ହେବ।

ଅନ୍ୟପକ୍ଷରେ ବାଂଲାଦେଶ ଚଳିତ ବିଶ୍ଵକପରେ ଶେଷ ପର୍ଯ୍ୟନ୍ତ ଲଢେଇ କରି ମଧ୍ୟ ସେମିଫାଇନାଲ ଯାଇପାରିନଥିଲା। ହେଲେ ଦଳ ପାଖରେ ସାମର୍ଥ୍ୟ ରହିଛି ପାକିସ୍ଥାନ ବିପକ୍ଷରେ ଭଲ ପ୍ରଦର୍ଶନ କରିବାର। ଭାରତ ବିପକ୍ଷ ମ୍ୟାଚରେ ୩୧୪ରନର ପିଛା କରି ଚମତ୍କାର ପ୍ରଦର୍ଶନ କରିଥାଲା ଦଳ। ସକିବ-ଅଲ-ହାସନ ସମମ୍ତ ମ୍ୟାଚରେ ଭଲ ପ୍ରଦର୍ଶନ କରି ଦଳକୁ ସେମିଫାଇନାଲ ଦୌଡ଼ରେ ସାମିଲ କରାଇପାରିଥିଲେ। ସେହିପରି ବୋଲିଂରେ ମୁସ୍ତାଫିଜୁର ରେହମାନ ବିପକ୍ଷ ପାଇଁ ଘାତକ ସାବ୍ୟସ୍ତ ହୋଇପାରନ୍ତି।

Comment