ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଶାସକ ବିଜୁ ଜନତା ଦଳ ଓ ବିଜେପି ମଧ୍ୟରେ ଦିନକୁ ଦିନ ସମ୍ପର୍କ ଘନିଷ୍ଠ ହେବାରେ ଲାଗିଛି। ଉଭୟ ଦଳ ସରକାର ଗଠନ ପରଠାରୁ ଏତେ ମାତ୍ରାରେ ପରସ୍ପର ଆଡ଼କୁ ଢଳିବାରେ ଲାଗିଛନ୍ତି ଯେ ତାହାର ଟେର ପାଇବା ବି କଷ୍ଟକର ହୋଇ ପଡୁଛି। ବିଗତ ଦୁଇ ମାସ ଭିତରେ ବିଜେଡି ଓ ବିଜେପି ଉଭୟେ ଉଭୟଙ୍କର ଆବଶ୍ୟକତାକୁ କେବଳ ଅନୁଭବ କରିଛନ୍ତି ତାହା ନୁହେଁ, ସେ ଦିଗରେ କାମ ମଧ୍ୟ କରିବାକୁ ପଛାଉନାହାନ୍ତି।

ଏହାର ତଟକା ଉଦାହରଣ ମିଳିଥିଲା ନିକଟରେ ଯେତେବେଳେ କଟକ ସାଂସଦ ଭର୍ତ୍ତୃହରି ମହତାବ ଲୋକସଭାରେ ଶାସକ ବିଜେପିର ଏକ ଦାବିକୁ ଗୃହରେ ସମର୍ଥନ ଜଣାଇଥିଲେ। ଦାବିଟି ହେଉଛି ଭାରତୀୟ ଜନ ସଂଘର ପ୍ରତିଷ୍ଠାତା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ରହସ୍ୟମୟ ମୃତ୍ୟୁ ଘଟଣା। ବିଜେପି ଚାହୁଁଛି ଏହାର ତଦନ୍ତ ହେଉ।

ମଜା କଥା ହେଲା ପ୍ରଥମେ ମହତାବ ନିଜ ଆଡୁ ଏହି ପ୍ରସଙ୍ଗଟିକୁ ଉତ୍ଥାପନ କରିଥିଲେ। ଅତୀତରେ ଏ ନେଇ ପଶ୍ଚିମବଙ୍ଗ ବିଧାନସଭାରେ ଗୃହୀତ ଏକ ପ୍ରସ୍ତାବକୁ ସ୍ମରଣ କରିବାକୁ ଯାଇ ମହତାବ କହିଲେ ଯେ କାଶ୍ମୀର ଜେଲରେ ଥିବା ବେଳେ ଅତି ରହସ୍ୟଜନକ ଭାବରେ ଶ୍ୟାମା ପ୍ରସାଦଙ୍କର ଯେଉଁ ଭଳି ମୃତ୍ୟୁ ହୋଇଥିଲା ତାହାର ନିରପେକ୍ଷ ଯାଞ୍ଚ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିହାତି ହେବା ଦରକାର।

ମହତାବ କହିଲେ ଯେ ପଶ୍ଚିମବଙ୍ଗ ବିଧାନସଭା ପକ୍ଷରୁ ଏହି ଗୃହୀତ ପ୍ରସ୍ତାବ ଉପରେ କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି। ଉଲ୍ଲେଖଯୋଗ୍ୟ ଯେ ଶ୍ୟାମା ପ୍ରସାଦ ମୁଖାର୍ଜୀ ସ୍ୱାଧୀନତା ପରେ କେନ୍ଦ୍ରରେ ପ୍ରଥମ ବାଣିଜ୍ୟ ମନ୍ତ୍ରୀ ଥିଲେ।

ତଦନ୍ତ ଦାବିରେ କେବଳ ମହତାବଙ୍କ ବିବୃତି ଶେଷ ହୋଇଥିଲା ତାହା ନୁହେଁ, ଶ୍ୟାମା ପ୍ରସାଦଙ୍କୁ ପଶ୍ଚିମବଙ୍ଗ ବ୍ୟତୀତ ଭାରତର ଜଣେ ଅତ୍ୟନ୍ତ ଲୋକପ୍ରିୟ ନେତା ଥିଲେ ବୋଲି ସେ କହିଥିଲେ। କେନ୍ଦ୍ର ମନ୍ତ୍ରୀପଦ ଛାଡ଼ିବା ପରେ ୧୯୫୦ ମସିହାରେ ଶ୍ୟାମା ପ୍ରସାଦଙ୍କ କଟକ ଗସ୍ତ ଓ ଡକ୍ଟର ହରେକୃଷ୍ଣ ମହତାବଙ୍କ ଦ୍ୱାରା କିଭଳି ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା ସେ ବିଷୟ ସେ ଗୃହରେ ଉଲ୍ଲେଖ କରି ଥିଲେ।

ନେତାଜୀ ସୁଭାଷ ବୋଷଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ ପାଇଁ ଏକାଧିକ ତଦନ୍ତ ହୋଇଥିଲେ ମଧ୍ୟ ଶ୍ୟାମା ପ୍ରସାଦଙ୍କ ମୃତ୍ୟୁର କାରଣ ଖୋଜିବା ଆବଶ୍ୟକ ନୁହେଁ କି ବୋଲି ସେ ଗୃହରେ ପ୍ରଶ୍ନ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ଶ୍ୟାମା ପ୍ରସାଦ ଆରଏସଏସର ନିକଟବର୍ତ୍ତୀ ଥିଲେ ଓ ହିନ୍ଦୁ ଜାତୀୟତାର ଜଣେ ବଡ଼ ସମର୍ଥକ ଥିଲେ।

ଲୋକସଭାରେ ବିଜେପିର ଦାବିକୁ ବିଜେଡି ସାଂସଦ ମହତାବ ସମର୍ଥନ ଦେବା ଘଟଣାରୁ ଗୋଟିଏ କଥା ସ୍ପଷ୍ଟ ଯେ ବିଜେଡି କ୍ରମଶଃ ବିଜେପିର ନିକଟବର୍ତ୍ତୀ ହେବାକୁ ଚାହୁଁଛି। ନିକଟରେ ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ ଘୋଷଣା କରିବା ପରେ ଉଭୟ ଦଳ ଭିତରେ ଥିବା ଭିତିରିଆ ସମ୍ପର୍କ ବାହାରକୁ ଆସିଥିଲା। ତାହା ଏବେ ଆହୁରି ବଳବତ୍ତର ହେବାରେ ଲାଗିଛି।

ଅବଶ୍ୟ ବିଜେପି ଓ ବିଜେଡି ମଧ୍ୟରେ ଏହି ସମ୍ପର୍କ କିଛି ନୂଆ ନୁହେଁ। ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ଉଭୟ ଦଳର ମେଣ୍ଟ ସରକାର ଓଡ଼ିଶାରେ ଥିଲା। ୨୦୦୮ରେ କନ୍ଧମାଳ ଦଙ୍ଗା ପରେ ବିଜେଡି ବିଜେପିଠାରୁ ଅଲଗା ହୋଇଥିଲା ଓ ନବୀନ ତା’ ପରଠାରୁ ତାଙ୍କର ସମଦୂରତ୍ୱ ଥିଓରୀ ବାହାର କରିଥିଲେ।। ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କହିଥିଲେ ସେ କଥା ଏବେ ବି ଲୋକଙ୍କ ମନରେ ଅଛି। ନବୀନ ଘୋଷଣା କରିଥିଲେ ଯେ ‘ମୋ ଦେହର ପ୍ରତିଟି ହାଡ଼ ଧର୍ମନିରପେକ୍ଷ।’

Comment