ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

‘‘ପୋଲାଭରମ୍‌କୁ ନେଇ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ଦେଖାଦେଇଥିବା ବିବାଦ ସମାଧାନ କରିବାକୁ ଚେଷ୍ଟା କରିବି। ଉଭୟ ରାଜ୍ୟ ଭିତରେ କିପରି ସୁ-ସମ୍ପର୍କ ବଢ଼ି ସେଥିପ୍ରତି ଧ୍ୟାନ ଦେବି। ଓଡ଼ିଶାର ସ୍ୱାର୍ଥକୁ ଯଥାସମ୍ଭବ ଗୁରୁତ୍ୱ ଦେବି’’, ଆନ୍ଧ୍ର ରାଜ୍ୟପାଳ ଭାବେ ନିଯୁକ୍ତି ପାଇବା ପରେ ଏହା କହିଛନ୍ତି ବିଶ୍ୱଭୂଷଣ ହରିଚନ୍ଦନ।

ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଛନ୍ତି। ସେ ହେଉଛନ୍ତି ରାଜ୍ୟ ବିଜେପିର ଜଣେ ବରିଷ୍ଠ ନେତା। ରାଜ୍ୟପାଳ ଭାବେ ନିଯୁକ୍ତି ପାଇବା ପରେ ବିଶ୍ୱଭୂଷଣଙ୍କ ପାଖକୁ ଅଭିନନ୍ଦନର ସୁଅ ଛୁଟୁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି।

‘‘ଏହି ଖବର ଅକସ୍ମାତ ନଥିଲା। ମୁଁ ଏକଥା ଆଗରୁ ଜାଣିଥିଲି। ଗତ ୩୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ ଏମିତି କିଛି ଘଟିବ ବୋଲି ଜାଣିଥିଲି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ମଧ୍ୟ ଆଲୋଚନା କରିଥିଲି। ଗତ ଦୁଇ ଦିନ ତଳେ ପ୍ରଧାନମନ୍ତ୍ରୀ ମତେ ଫୋନ କରି ଏ ସମ୍ପର୍କରେ ପରୋକ୍ଷରେ ଇସାରା ଦେଇଥିଲେ। ତାହା ଆଜି ସ୍ପଷ୍ଟ ହୋଇଛି’’, କହିଛନ୍ତି ବିଶ୍ୱଭୂଷଣ ହରିଚନ୍ଦନ।

ବିଶ୍ୱଭୂଷଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ମୃହ ମନ୍ତ୍ରୀ ଅମିତ ଶାହ ଏବଂ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଦେଇଛନ୍ତି।

ବିଶ୍ୱୂଭୂଷଣ ଓଡ଼ିଶା ବିଧାନସଭାକୁ ୫ ଥର ନିର୍ବାଚିତ ହୋଇଛନ୍ତି। ୨ ଥର ଜନତା ଦଳ ଏବଂ ୩ ଥର ବିଜେପି ଟିକେଟରୁ ନିର୍ବାଚିତ ହୋଇଛନ୍ତି। ଏହାସହ ବିଜେପି-ବିଜେଡି ମେଣ୍ଟ ସରକାରରେ ବିଶ୍ୱଭୂଷଣ ମନ୍ତ୍ରୀ ମଧ୍ୟ ରହିଥିଲେ।

୧୯୭୧ରେ ବିଶ୍ୱଭୂଷଣ ଭାରତୀୟ ଜନସଂଘରେ ସାମିଲ ହୋଇଥିଲେ। ସେ ଜନସଂଘର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଏବଂ ରାଜ୍ୟ ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ତୁଲାଇଥିଲେ। ପରେ ସେ ବିଜେପିରେ ଯୋଗ ଦେଇଥିଲେ। ୧୯୮୦ରୁ ୧୯୮୮ ପର୍ଯ୍ୟନ୍ତ ବିଶ୍ୱଭୂଷଣ ରାଜ୍ୟ ବିଜେପିର ସଭାପତି ରହିଥିଲେ।

ବିଜେପି ଛାଡ଼ି ବିଶ୍ୱଭୂଷଣ ଜନତା ପାର୍ଟିରେ କିଛିଦିନ ଧରି ରହିଥିଲେ। ଜନତା ପାର୍ଟିର ରାଜ୍ୟ ଉପ-ସଭାପତି ରହିଥିଲେ। ୧୯୯୬ରେ ପୁଣି ସେ ବିଜେପିରେ ଯୋଗ ଦେଇଥିଲେ।

ବିଶ୍ୱଭୂଷଣ ହେଉଛନ୍ତି ବିଜେପିର ଜଣେ ବରିଷ୍ଠ ନେତା। ମୋଦି ସରକାର କେନ୍ଦ୍ରରେ ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଆସିବା ପରେ ବିଶ୍ୱଭୂଷଣଙ୍କୁ ଏହି ସମ୍ମାନଜନକ ପଦବୀ ମିଳିଥିବା କୁହାଯାଉଛି। ମୋଦି ସରକାରଙ୍କ ପ୍ରଥମ ପାଳିରେ ମୟୂରଭଞ୍ଜର ନେତ୍ରୀ ଦୌପଦୀ ମୁର୍ମୁଙ୍କୁ ଝାଡ଼ଖଣ୍ଡ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିଲା।

Comment