ଓଡ଼ିଶାଲାଇଭ ବ୍ୟୁରୋ

ପୁଣି ଥରେ ବସ୍ ଭିତରେ ପାଇଥିବା ପର୍ସ ଫେରାଇ ନିଜ ମହାନତାର ପରିଚୟ ଦେଇଛନ୍ତି ‘ମୋ ବସ’ କର୍ମଚାରୀ। ବିଜେଇଏମ୍ ସ୍କୁଲର ଜଣେ ଶିକ୍ଷୟତ୍ରୀଙ୍କ ହଜିଥିବା ପର୍ସକୁ ‘ମୋ ବସ’ର ଡ୍ରାଇଭର ବୁଲୁ ପ୍ରଧାନ ଓ ହେଲପର ଜୀବନଜ୍ୟୋତି ରାଉତ ପାଇ ଫେରାଇବାରେ ସଫଳ ହୋଇଛନ୍ତି।

ମଙ୍ଗଳବାର ବିଜେଇଏମ୍ ସ୍କୁଲର ଜଣେ ଶିକ୍ଷୟତ୍ରୀ ମୋ ବସରେ ସ୍କୁଲ ଆସିବା ବେଳେ ବସ ଭିତରେ ପର୍ସ ଛାଡ଼ିଦେଇଥିଲେ। ବସ ରହିବା ପରେ ଗାଡ଼ି ଡ୍ରାଇଭର ପର୍ସଟିକୁ ପାଇ ବସ ଡିପୋରେ ଅଧିକାରୀଙ୍କୁ ଦେଇଥିଲେ। ଏହାପରେ ପର୍ସଟିକୁ କ୍ରୁଟ ମୁଖ୍ୟ କାର୍ଯ୍ୟାଳୟକୁ ପଠାଯାଇଛି।

ଏଥିରେ ସୁନା ଅଳଙ୍କାର, ଟଙ୍କା, ଏଟିଏମ କାର୍ଡ ଥିବାରୁ କ୍ରୁଟ କର୍ତ୍ତୁପକ୍ଷ ପର୍ସଟିକୁ ଫେରାଇବାକୁ ଉଦ୍ୟମ କରିଥିଲେ। ଫଳରେ ବୁଧବାର ବିଜେଇଏମର ଶିକ୍ଷୟତ୍ରୀ ସୁଜାତା ନାୟକ ତାଙ୍କ ପର୍ସ ଫେରିପାଇଛନ୍ତି।

ଶିକ୍ଷୟତ୍ରୀ ସୁଜାତା ନାୟକ ‘ମୋ ବସ’ ଡ୍ରାଇଭରଙ୍କ ସଚ୍ଚୋଟତା ପାଇଁ ତାଙ୍କୁ ପ୍ରଶଂସା କରିଥିଲେ। କ୍ରୁଟ ପକ୍ଷରୁ ମଧ୍ୟ ବସ ଡ୍ରାଇଭର ବୁଲୁ ପ୍ରଧାନ ଓ ହେଲପର ଜୀବନଜ୍ୟୋତି ରାଉତଙ୍କୁ ସମ୍ଵର୍ଦ୍ଧିତ କରାଯାଇଥିଲା।

ଗତ ଜୁନ୍ ୨୬ରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା। ‘ମୋ ବସ’ର ଡ୍ରାଇଭର ବିଶ୍ଵନାଥ ଖଟୁଆ ବସରୁ ଏକ ଟଙ୍କା ବ୍ୟାଗ ପାଇ ତା’ ମାଲିକ ପାଖରେ ପହଞ୍ଚାଇ ମହାନତାର ପରିଚୟ ଦେଇ ସାରିଛନ୍ତି।

LEAVE A REPLY

Please enter your comment!
Please enter your name here