ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସରକାର ରାଜ୍ୟରେ ‘ମୋ ବସ୍’ ସେବାକୁ ସମ୍ପ୍ରସାରିତ କରିବା ଯୋଜନାକୁ ତୀବ୍ର ବିରୋଧ କରିଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ଏହି ସମ୍ପ୍ରସାରଣ ବସ୍ ମାଲିକ ଓ କର୍ମଚାରୀଙ୍କ ବ୍ୟବସାୟ ଓ ଜୀବିକାକୁ ପ୍ରଭାବିତ କରିବ ବୋଲି ସଂଘ ଅଭିଯୋଗ କରିଛି। ଏନେଇ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଚିଠି ଲେଖାଯାଇଛି।

ନିକଟରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ପୁରୀ ଓ କଟକକୁ ନୂଆ ‘ମୋ ବସ୍’ ଚଳାଚଳକୁ ସଂଘ ବିରୋଧ କରୁଥିବା ଉକ୍ତ ଚିଠିରେ ଉଲ୍ଲେଖ କରିଛି। ସେହିପରି କେନ୍ଦୁଝର ଓ ବ୍ରହ୍ମପୁର ଅଞ୍ଚଳରେ ମୋ ବସ୍ ସେବା ଆରମ୍ଭ କରିବା ସେମାନଙ୍କ ବ୍ୟବସାୟକୁ କ୍ଷତି ପହଞ୍ଚାଇବ ବୋଲି ସଂଘ ଆଶଙ୍କା କରିଛି।

ଗତ ଅକ୍ଟୋବର ୨୬ ତାରିଖରେ ବସ୍ ମାଲିକ ସଂଘ ଓ ସରକାରଙ୍କ ମଧ୍ୟରେ ହୋଇଥିବା ବୈଠକରେ ‘ମୋ ବସ୍’ ଚଳାଚଳ ରୁଟକୁ ବର୍ତ୍ତମାନ ପାଇଁ ଅପରିବର୍ତ୍ତିତ ରଖିବାକୁ ସରକାର ପ୍ରତିଶ୍ରୁତି ଦେଇଥିଲେ। ତେବେ ବିନା ଆଲୋଚନାରେ ରାଜ୍ୟ ସରକାର ‘ମୋ ବସ୍’ ସେବାକୁ ସମ୍ପ୍ରସାରଣ କରୁଥିବା ନେଇ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି।

ସରକାର ମୋ ବସ୍ ସେବା ସମ୍ପ୍ରସାରଣ ବାବଦରେ ନିଷ୍ପତ୍ତି ନେବାପାଇଁ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଥିଲେ ମଧ୍ୟ ଏନେଇ କିଛି ପଦକ୍ଷେପ ନେଉନଥିବା ସଂଘ ପକ୍ଷରୁ କୁହାଯାଇଛି।

Tags: #MoBusService #PrivateBusOwners #CMNaveenPatnaik #CRUT #Odisha

LEAVE A REPLY

Please enter your comment!
Please enter your name here