ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶ୍ରାବଣ ମାସ ହେଲାଣି, ହେଲେ ରାଜ୍ୟରେ ବର୍ଷାର ଦେଖା ଦର୍ଶନ ନାହିଁ। ଏଣେ ପାଣି ଅଭାବରୁ ଧାନ ବିଲରେ ମରୁଡ଼ି ପଡ଼ିବା ବେଳେ କିଛି ସ୍ଥାନରେ ବିଲ ଫାଟି ଆଁ କଲାଣି। ବିଶେଷ କରି ବଲାଙ୍ଗିର ଜିଲ୍ଲାରେ ଅନାବୃଷ୍ଟି କାରଣରୁ ସ୍ଥିତି ସଙ୍ଗୀନ ରହିଛି। ଏଭଳି ପରିସ୍ଥିତିରେ ଚାଷୀ ମୁଣ୍ଡରେ ଭାଳେଣୀ ପଡ଼ିଛି। ଏଣେ ମରୁଡ଼ିକୁ ପ୍ରସଙ୍ଗ କରି ଗୃହରେ ଶାସକ ଦଳକୁ ଟାର୍ଗେଟ୍‌ କରିଛି ବିରୋଧୀ କଂଗ୍ରେସ।

ଶୁକ୍ରବାର ବିଧାନସଭା ଶୂନ୍ୟକାଳରେ ଉଠିଥିଲା ମରୁଡ଼ି ପ୍ରସଙ୍ଗ। କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ମରୁଡ଼ି ପ୍ରସଙ୍ଗକୁ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ଘେରିଛନ୍ତି। ସନ୍ତୋଷ ସିଂହ ସାଲୁଜା କହିଛନ୍ତି,” ବର୍ଷା ଅଭାବରୁ ରାଜ୍ୟରେ ବର୍ତ୍ତମାନ ମରୁଡ଼ି ସ୍ଥିତି ଉପୁଜିଛି। ବିଶେଷ କରି ବଲାଙ୍ଗିର ଜିଲ୍ଲାରେ ଅନାବୃଷ୍ଟି କାରଣରୁ ୧୪ଟି ଯାକ ବ୍ଲକ୍‌ରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି। ଏହି ସ୍ଥାନରେ ତୁରନ୍ତ ମରୁଡି ପ୍ୟାକେଜ ଘୋଷଣା କରନ୍ତୁ।”

ଗତକାଲି ବଲାଙ୍ଗିର ଜିଲ୍ଲାର ହୋଇଥିବା ଚାଷୀ ଆତ୍ମହତ୍ୟାକୁ ନେଇ ଗୃହରେ ପ୍ରତିବାଦ କରିଥିଲେ ବିଧାୟକ ସନ୍ତୋଷ ସାଲୁଜା। ଏହାକୁ ନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଆସନ୍ତା ଦୁଇ ଦିନ ମଧ୍ୟରେ ଗୃହରେ ଉତ୍ତର ରଖିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Comment