ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ପାଟକୁରାବାସୀ ଏବଂ ବିଜେଡି କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେଲେ ନବୀନ ପଟ୍ଟନାୟକ।

ପାଟକୁରାରେ ବଡ଼ ବିଜୟ ହାସଲ କରିଛି ବିଜେଡି। ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲା ୧୭ ହଜାର ୯୨୦ ଭୋଟରେ ପରାଜିତ କରିଥିବାରୁ ରାଜଧାନୀ ଭୁବନେଶ୍ୱରରେ ଦଳ ବିଜୟ ଉତ୍ସବ ପାଳନ କରିଛି।

ଭୁବନେଶ୍ୱରସ୍ଥିତ ବିଜେଡି ପାର୍ଟି ଅଫିସ୍‌ରୁ ବାଇକ ରାଲିରେ ଦଳୀୟ କର୍ମୀ ନବୀନ ନିବାସ ପର୍ଯ୍ୟନ୍ତ ଯାଇଥିଲେ। ଯୁବ, ଛାତ୍ର ଏବଂ ମହିଳା ବିଜେଡିର କର୍ମକର୍ତ୍ତାମାନେ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ବାଜା ବଜାଇ ସେମାନେ ନାଚି ନାଚି ବିଜୟ ଉତ୍ସବ ପାଳିଥିଲେ। ନବୀନ ପଟ୍ଟନାୟକ ଜିନ୍ଦାବାଦ ଧ୍ୱନିରେ ପରିବେଶ କମ୍ପିଥିଲା।

ନବୀନ ନିବସରେ ନବୀନଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିଲେ ବିଜେଡି କର୍ମୀ। ନବୀନ ମଧ୍ୟ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

‘‘ଏ ବିଜୟ ହେଉଛି ପାଟକୁରାବାସୀଙ୍କର। ପାଟକୁରାବାସୀ ବିଜେଡିକୁ ସମର୍ଥନ ଦେଇଥିବାରୁ ସେମାନଙ୍କୁ ଧନ୍ୟବାଦ। ଏହାସହ ବିଜେଡିର ସବୁ କର୍ମକର୍ତ୍ତା ପାଟକୁରାରେ କଠିନ ପରିଶ୍ରମ କରିଥିବାରୁ ଏହି ବିଜୟ ସମ୍ଭବ ହୋଇଛି। ସେମାନଙ୍କୁ ମଧ୍ୟ ଧନ୍ୟବାଦ’’, କହିଛନ୍ତି ନବୀନ ପଟ୍ଟନାୟକ।

ପାଟକୁରାରେ ବିଜେଡି ବିଜୟ ଉତ୍ସବ ପାଳନ କରୁଛି। ଦଳୀୟ କର୍ମୀମାନେ ଖୁସିରେ ଝୁମୁଛନ୍ତି। ଏପଟେ ଭୁବନେଶ୍ୱରରେ ମଧ୍ୟ ଉତ୍ସବ କିଛି କମ୍ ନଥିଲା। ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମଧ୍ୟ-ଭୁବନେଶ୍ୱର ବିଧାୟକ ଅନନ୍ତନାରାୟଣ ଜେନା ଏବଂ ଭୁବନେଶ୍ୱର-ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ନେତୃତ୍ୱରେ ବିଜୟ ଉତ୍ସବ ପାଳନ ହୋଇଥିଲା।

‘‘ବିଜେଡି ହେଉଛି ଏକ ଶୃଙ୍ଖଳିତ ଦଳ। ଦଳରେ ଶୃଙ୍ଖଳାକୁ ପ୍ରାଧାନ୍ୟ ଦେଉଥିବାରୁ ସବୁ ନିର୍ବାଚନରେ ଆମର ବିଜୟ ହେଉଛି। ଆମ ନେତା ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କ ଭରସା ବଢ଼ିଛି’’, କହିଛନ୍ତି ଅଶୋକ ଚନ୍ଦ୍ର ପଣ୍ଡା।

ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କୁ ୯୬, ୦୧୭ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ୭୮ ହଜାର ୯୭ ଭୋଟ ମିଳିଛି। ସାବିତ୍ରୀ ବିଜୟୀ ହୋଇଥିବା ବେଳେ ବିଜୟ ପରାଜିତ ହୋଇଛନ୍ତି। କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି ୨୧୦୪ ଭୋଟ ପାଇ ଅମାନତ ହାରିଛନ୍ତି।

ପାଟକୁରାରେ ଚାଲିଥିଲା ଜୋରଦାର ଲଢ଼େଇ। ବିଜୟ ଏବଂ ନବୀନଙ୍କ ଭିତରେ ସିଧାସଳଖ ଲଢ଼େଇ ଚାଲିଥିଲା। ପାଟକୁରାରେ ସମ୍ମାନ ବାଜିରେ ଲାଗିଥିଲା। ଶେଷରେ ବିଜେଡି ପାଟକୁରା ମଇଦାନରେ ବାଜିମାତ କରିଛି।

Comment