ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

୨୦୧୪ରେ ପାଟକୁରାରେ ଦୁଇ ନମ୍ବର ସ୍ଥାନରେ ଥିବା କଂଗ୍ରେସର ଏଥର ଅମାନତ ଉଡ଼ିଗଲା।

ଶେଷ ହୋଇଛି ପାଟକୁରା ଭୋଟ ଗଣତି। ବିଜୁ ଜନତା ଦଳ ବାଜିାମତ କରିଛି। ବିଜେପି ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ କଂଗ୍ରେସ ତୃତୀୟ ସ୍ଥାନରେ ରହିଛି। କଂଗ୍ରେସ କେବଳ ତୃତୀୟ ସ୍ଥାନରେ ନାହିଁ, ଶୋଚନୀୟ ପରାଜିତ ହୋଇଛି। ଏହି ପରାଜୟକୁ କଂଗ୍ରେସ ସ୍ୱୀକାର କରିଛି।

‘‘ବିଜୁ ଜନତା ଦଳ ଯେଉଁଭଳି ଭାବେ ନିର୍ବାଚନରେ ଟଙ୍କା ଖର୍ଚ୍ଚ କଲା ତାହା ଆମେ କରିବାରେ ଅସମର୍ଥ ହେଲୁ। ବିଜେଡି ଶାସନ କଳ, ଅର୍ଥ ବଳର ବ୍ୟବହାର କଲେ। ଫଳରେ ଆମ ପ୍ରାର୍ଥୀ ପରାଜିତ ହେଲା। ବିଜେଡି ଭଳି ବିଜେପି ମଧ୍ୟ ଟଙ୍କା ଖର୍ଚ୍ଚ କରିଛି। ହେଲେ ସେ ଦ୍ୱିତୀୟ ସ୍ଥାନରେ ରହିଛି। ପାଟକୁରା ପାଇଁ ବିଧାନସଭା ଖାଲି ହୋଇଗଲା। ବିଜେଡି ନେତା, ମନ୍ତ୍ରୀ ପାଟକୁରାରେ ଡେରା ପକାଇ ରହିଲେ। ହେଲେ ଯେଉଁ ବ୍ୟବଧାନରେ ଜିତିବେ ବୋଲି କହିଥିଲା ବିଜେଡି ତାହା ସମ୍ଭବ ହୋଇନି’’, କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି।

‘‘ଆମେ ପାଟକୁରାରେ ପରାଜିତ ହୋଇଛୁ। ଏହାକୁ ଆମେ ଗ୍ରହଣ କରୁଛୁ। ହେଲେ ସାମ୍ପ୍ରଦାୟିକ ଶକ୍ତିର ମଧ୍ୟ ପରାଜୟ ଘଟିଛି। ଏହାକୁ ଆମେ ସ୍ୱାଗତ କରୁଛୁ। ଗତ ନିର୍ବାଚନ ତୁଳନାରେ ଆମ ପ୍ରାର୍ଥୀ କମ୍ ଭୋଟ ପାଇଛନ୍ତି’’, କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର।

ପାଟକୁରାରେ କଂଗ୍ରେସ ଏଥର ଜୟନ୍ତ ମହାନ୍ତିଙ୍କୁ ପ୍ରାର୍ଥୀ କରିଥିଲା। ୨୦୧୪ରେ ମଧ୍ୟ ଜୟନ୍ତ ପାଟକୁରାରୁ ପ୍ରାର୍ଥୀ ହୋଇଥିଲେ। ଗତ ନିର୍ବାଚନରେ ସେ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲାଙ୍କୁ ଯକ୍କର ଦେଇ ଦୁଇ ନମ୍ବର ସ୍ଥାନରେ ରହିଥିଲେ।

୨୦୧୪ରେ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ୪୨ ହଜାର ୧୩୮ ଭୋଟ ପାଇଥିବା ବେଳେ ଏଥର ତାଙ୍କ ଅମାନତ ଉଡ଼ି ଯାଇଛି। ଜୟନ୍ତଙ୍କୁ ମାତ୍ର ୨୧୦୪ ଖଣ୍ଡ ଭୋଟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ପାଟକୁରାରେ କଂଗ୍ରେସର ବିପର୍ଯ୍ୟୟ ଘଟିଛି। କଂଗ୍ରେସ ମାଟିର ପୁଅ ସ୍ଲୋଗାନ ଦେଇ ନିର୍ବାଚନ ପ୍ରଚାର କରିଥିଲେ ମଧ୍ୟ ଭୋଟର ଏହାକୁ ଗ୍ରହଣ କରି ନାହାନ୍ତି।

ଜୟନ୍ତଙ୍କ ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ କଂଗ୍ରେସର ଅନ୍ୟ ବିଧାୟକ ଏବଂ ବରିଷ୍ଠ ନେତାମାନେ ପ୍ରଚାର କରିଥିଲେ। ହେଲେ ଭୋଟରଙ୍କ ମନ କିଣିପାରି ନଥିଲା କଂଗ୍ରେସ। କଂଗ୍ରେସକୁ ପାଟକୁରାବାସୀ ପ୍ରତ୍ୟାଖ୍ୟାନ କରିଛନ୍ତି।

ଗତ ୨୦୧୯ ନିର୍ବାଚନରେ ମଧ୍ୟ କଂଗ୍ରେସ ସାରା ରାଜ୍ୟରେ ଶୋଚନୀୟ ଭାବେ ପରାଜିତ ହୋଇଥିଲା। କଂଗ୍ରେସକୁ ମାତ୍ର ୯ ବିଧାନସଭା ଆସନ ଏବଂ ଗୋଟିଏ ଲୋକସଭା ଆସନରେ ସନ୍ତୁଷ୍ଟ ରହିବାକୁ ପଡ଼ିଥିଲା। ୨୦୧୪ରେ ଦୁଇ ନମ୍ବର ସ୍ଥାନରେ ଥିବା କଂଗ୍ରେସ ଏଥର ତିନି ନମ୍ବରକୁ ଖସି ଆସିଥିଲା।

ଗତ ୨୦୧୮ରେ ବିଜେପୁର ଉପ-ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁଙ୍କ ଅମାନତ ଉଡ଼ିଥିବା ବେଳେ ଏଥର ପାଟକୁରାରେ ଜୟନ୍ତ ମହାନ୍ତିଙ୍କ ଅମାନତ ଉଡ଼ିଛି। ଗତ ବିଧାନସଭା ନିର୍ବାଚନରେ ମଧ୍ୟ ବହୁ ପ୍ରାର୍ଥୀ ଅମାନତ ହାରିଛନ୍ତି।

Comment