ଓଡ଼ିଶାଲାଇଭ ବ୍ୟୁରୋ

“ଭାରତ ପାଇଁ କାର୍‌ଗିଲ୍ ଯୁଦ୍ଧ ବହୁତ ଜଟିଳ ଓ ଭୟଙ୍କର ଥିଲା। ଏହି ଯୁଦ୍ଧ ଯୋଗୁଁ ଭାରତକୁ ଅନେକ କ୍ଷତି ସହିବାକୁ ପଡ଼ିଥିଲା। ମାତ୍ର ପରିଶେଷରେ ଭାରତ ବିଜୟୀ ହୋଇଥିଲା। ପାକିସ୍ତାନ ଯିଏକି ଭାରତକୁ ଶାନ୍ତି ସ୍ଥାପନା ନାଁରେ ବିଶ୍ଵାସଘାତକତା କରିଥିଲା ଶେଷରେ ତାକୁ ଲୋକହସା ହେବାକୁ ପଡ଼ିଥିଲା।“ କାର୍‌ଗିଲ୍ ବିଜୟ ଦିବସ ଅବସରରେ ଓଡ଼ିଶାଲାଇଭକୁ କାରଗିଲ ବିଜୟକୁ ଏଭଳି ବର୍ଣ୍ଣନା କରିଛନ୍ତି ମେଜର ଜେନେରାଲ ବସନ୍ତ କୁମାର ମହାପାତ୍ର।

କାରଗିଲ ବିଜୟକୁ ୨୦ ବର୍ଷ ପୂରିଛି। ସେହି ବୀରତ୍ଵ ଓ ବଳିଦାନର ଦିନକୁ ସାରା ଭାରତ ମନେପକାଉଛି। ଏହି ଅବସରରେ ଭାରତୀୟ ସେନାର ତ୍ୟାଗ, ବଳିଦାନ ଓ ବୀରତ୍ଵର କାହାଣୀକୁ ମନେ ପକାଇଛନ୍ତି ଭାରତୀୟ ସେନାର ଅବରପ୍ରାପ୍ତ ମେଜର ଜେନେରାଲ ବସନ୍ତ କୁମାର ମହାପାତ୍ର। ମେଜର ଜେନେରାଲ ବସନ୍ତ ମହାପାତ୍ର ଜଣେ ଓଡ଼ିଆ ଲୋକ। ବହୁ ସମୟ ଧରି ସେ ଭାରତୀୟ ସେନାରେ କାମ କରିଛନ୍ତି। ତାଙ୍କର ଅନେକ ଯୁଦ୍ଧ ଅନୂଭୁତି ମଧ୍ୟ ରହିଛି। ତେବେ ଆସନ୍ତୁ ଜାଣିବା ସେ କିପରି ବର୍ଣ୍ଣନା କରିଛନ୍ତି କାର୍‌ଗିଲ୍ ଯୁଦ୍ଧ କେତେ ଜଟିଳ ଓ ଭୟଙ୍କର ଥିଲା ଏବଂ ଭାରତୀୟ ସେନା ତାକୁ କିପରି ସାମ୍ନା କରିଥିଲା।

“ଭାରତର ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଚପେୟୀ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ୍ କାଶ୍ମୀର ବିବାଦକୁ ଆପୋଶ ବୁଝାବମଣାରେ ସମାଧାନ କରିବାକୁ କୋଳାକୋଳି ହେଉଥିବା ବେଳେ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ ମୁଶାରଫ ଭାରତ ବିରୋଧରେ ଏହି ଷଡ଼ଯନ୍ତ୍ର କରିଥିଲେ। ପାକିସ୍ତାନର ସେନାମାନେ ଅନୁପ୍ରବେଶକାରୀଙ୍କ ବେଶରେ ଆସି କାର୍‌ଗିଲ୍ ପାହାଡ଼ରେ କବଜା କରି ରହିଥିଲେ। ପରବର୍ତ୍ତୀ ଅବସ୍ଥାରେ ଭାରତୀୟ ସେନା ଏ ବିଷୟରେ ଜାଣିବାକୁ ପାଇଥିଲେ ମାତ୍ର ବହୁତ ବିଳମ୍ବ ହୋଇଯାଇଥିଲା। ପରେ ଅନୁପ୍ରବେଶକାରୀଙ୍କୁ ରୋକିବାକୁ ଯୁଦ୍ଧ ହୋଇଥିଲା।“ ଏହିପରି ଭାବରେ କାରଗିଲ ଯୁଦ୍ଧ ଆରମ୍ଭ ହୋଇଥିଲା ବୋଲି କହିଥିଲେ ମେଜର ଜେନେରାଲ ବସନ୍ତ ମହାପାତ୍ର।Salam Sahid

ସେ ଆହୁରି ମଧ୍ୟ କହିଥିଲେ ଯେ,”ଯୁଦ୍ଧ ଏତେ ଭୟାଭୟ ହୋଇଥିଲା ଯେ ଏହା ଯଦି ରୋକଯାଇନଥାନ୍ତା ତେବେ ପାକିସ୍ତାନ ବହୁତ ବଡ଼ କ୍ଷତି ସହିଥାନ୍ତା। ସେଥିପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଆମେରିକାର ପ୍ରେସିଡେଣ୍ଟଙ୍କୁ ଏହି ଯୁଦ୍ଧ ରୋକିବାକୁ କହିଥିଲେ। ତେଣୁ ଏହି ଯୁଦ୍ଧ ରୋକିବାରେ ଆମେରିକାର ମଧ୍ୟ ବହୁତ ବଡ଼ ଭୂମିକା ରହିଛି।“

“ଏହି ଯୁଦ୍ଧ ଭାରତ ପାଇଁ ଅତି ଜଟିଳ ଥିଲା କାରଣ ଅନୁପ୍ରବେଶକାରୀ ପାହାଡ଼ ଶୀର୍ଷରେ ରହିଥିଲେ। ପ୍ରାୟ ୧୫ ହଜାର, ୧୬ ହଜାର, ୧୭ ହଜାର ଉଚ୍ଚତା ପାହାଡ଼ ଉପରେ ସେମାନେ ଭାରତୀୟ ସେନାଙ୍କୁ ଟାର୍ଗେଟ କରୁଥିଲେ। ରାସ୍ତା ଉପରୁ ଏତେ ଉଚ୍ଚରୁ ଥାଇ ସେମାନେ ଭାରତୀୟ ସେନାଙ୍କୁ ସ୍ପଷ୍ଟ ଭାବରେ ଦେଖିପାରୁଥିଲେ। ତେଣୁ ଭାରତୀୟ ସେନାଙ୍କୁ ପାହାଡ଼ ଶୀର୍ଷକୁ ଯିବାକୁ କଷ୍ଟ ହେଉଥିଲା” କହିଥିଲେ ମେଜର ଜେନେରାଲ ବସନ୍ତ କୁମାର ମହାପାତ୍ର

ପାହାଡ଼ ଉପରକୁ ଯିବା ବେଳେ ଭାରତୀୟ ସେନାଙ୍କୁ ଗୁଳି, ଗ୍ରିନେଡ ମାଡ଼ ଓ ମେସିନ ଫାୟାର କରୁଥିଲେ ଶତ୍ରୃ। ତଥାପି ଏହା ଖାତିର ନକରି ଯବାନମାନେ ପାହାଡ଼ ଚଢୁଥିଲେ। ଯବାନମାନଙ୍କୁ ଯେତେବେଳେ ଅର୍ଡର ଦିଆଗଲା ତମେ ଉପରକୁ ଯାଇ କବଜା କର, ସେମାନେ ଓ ତାଙ୍କ ଅଫିସରମାନେ ମଧ୍ୟ ଜାଣିଥିଲେ ଆମେ ଆଉ ଫେରିବୁନାହିଁ। ସେଥିପାଇଁ ବିକ୍ରମ ବତ୍ରାଙ୍କ ଉଦାହରଣ ଦେଇ ସେ କହିଥିଲେ, “ଯେତେବେଳେ ବିକ୍ରମ ବତ୍ରା ପାହାଡ଼ ଉପରକୁ ଯାଇଥିଲେ ତାଙ୍କ ସାଥିମାନଙ୍କୁ କହିଥିଲେ ‘ମୁଁ ବିଜୟୀ ହୋଇ ପାହାଡ଼ ଶିଖରରେ ତ୍ରିରଙ୍ଗା ଉଡ଼ାଇବି, ନଚେତ ମୋ ଶରୀର ତ୍ରିରଙ୍ଗାରେ ଘୋଡ଼ା ହୋଇ ଆସିବ।’

“ଶେଷରେ ଅନେକ ବଳିଦାନ, ତ୍ୟାଗ ପରେ ଭାରତୀୟ ସେନା କାରଗିଲର ଗୋଟିଏ ପରେ ଗୋଟିଏ ଶୃଙ୍ଗ ଚଢ଼ି ଶତ୍ରୃକୁ ନିପାତ କରି ସେଠାରେ ତ୍ରିରଙ୍ଗା ଉଡ଼ାଇ ଯବାନମାନଙ୍କ ବୀରତ୍ଵର କାହାଣୀ ପ୍ରତିଷ୍ଠା କରିଥିଲେ। ସେହି ଅବସରରେ ଆଜି ବିଜୟ ଦିବସ ପାଳନ କରାଯାଉଛି“ ବୋଲି କହିଥିଲେ ମେଜର ଜେନେରାଲ ବସନ୍ତ କୁମାର ମହାପାତ୍ର।

ମେଜର ଜେନେରାଲ ବସନ୍ତ କୁମାର ମହାପାତ୍ରଙ୍କୁ ଭାରତୀୟ ସେନାର ଟ୍ୟାଙ୍କମ୍ୟାନ କୁହାଯାଉଥିଲା। ସେ ପ୍ରଥମ ଓଡ଼ିଆ ଥିଲେ ଯିଏକି ମେଜର ଜେନେରାଲ ପଦବୀ ପାଇଥିଲେ। ୧୯୬୨ ଭାରତ-ଚୀନ ଯୁଦ୍ଧ, ୧୯୬୫ ଓ ୧୯୭୨ ପାକିସ୍ତାନ ସହ ଯୁଦ୍ଧ ବେଳେ ଭାରତୀୟ ସେନାରେ ରହିଥିଲେ। ମାତ୍ର କାର୍‌ଗିଲ୍ ଯୁଦ୍ଧ ପୂର୍ବରୁ ସେ ଅବସର ନେଇସାରିଥିଲେ।

Comment