ଓଡ଼ିଶାଲାଇଭ୍ ବ୍ୟୁରୋ

ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳ ୨୫ ତାରିଖରେ ଜେଲରୁ ମୁକୁଳିବା ପରେ ସେ କେଉଁଠି ରହିବେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଆଜି ଖବର ଆସୁଛି ଯେ ବାବା ଓଡ଼ିଶାରେ ନାହାନ୍ତି। ଓଡ଼ିଶା ଛାଡ଼ି ସେ ବାହାର ରାଜ୍ୟକୁ ଚାଲି ଯାଇଛନ୍ତି। ତେବେ ପ୍ରଶ୍ନ ଉଠୁଛି ଓଡ଼ିଶା ବାହାରକୁ ବାବାଙ୍କୁ ଯିବା ପାଇଁ ଅନୁମତି ଦେଲା କିଏ? ରାଜ୍ୟ ବାହାରେ ସାରଥି ଏବେ କରୁଛନ୍ତି କ’ଣ?

ତିନୋଟି ମାମଲାରେ ଓଡ଼ିଶା ହାଇକୋର୍ଟ ସାରଥିଙ୍କୁ ସର୍ତ୍ତମୂଳ ଜାମିନ ଦେଇଥିଲେ। ସାରଥିଙ୍କୁ ଜାମିନ ଦେବା ପାଇଁ ୫ଟି ସର୍ତ୍ତ ଲାଗୁ କରିଥିଲେ ହାଇକୋର୍ଟ। ସାକ୍ଷୀଙ୍କୁ ପ୍ରଭାବିତ କରି ପାରିବେ ନାହିଁ, ବାରିମୂଳ ଆଶ୍ରମକୁ ଯାଇ ପାରିବେ ନାହିଁ,  ରାଜ୍ୟ ବାହାରକୁ ଯାଇପାରିବେ ନାହିଁ,  କୌଣସି ସ୍ଥାନରେ ଧର୍ମୀୟ ସଭା କରିପାରିବେ ନାହିଁ, ତଦନ୍ତକାରୀ ଅଧିକାରୀଙ୍କୁ ତଦନ୍ତରେ ସହଯୋଗ କରିବା ପାଇଁ ହାଇକୋର୍ଟ ଜାମିନ ପ୍ରଦାନ ବେଳେ ନିର୍ଦ୍ଦେଶ ଦେଇଥିଲେ।

ଜେଲରୁ ମୁକୁଳିବାର ଦୁଇ ଦିନ ହୋଇନି ସାରଥି ଓଡ଼ିଶାରେ ନଥିବା କୁହାଯାଉଛି। ତେବେ ସାରଥି କାହା ଅନୁମତି ନେଇ ଓଡ଼ିଶା ଛାଡ଼ିଲେ ତାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।

‘‘ସାରଥି ଏବେ ରାଜ୍ୟ ବାହାରେ ଅଛନ୍ତି। ରାଜ୍ୟ ବାହାରକୁ ନଯିବା ନେଇ କୋର୍ଟଙ୍କ ବାରଣ ନଥିଲା। ତଦନ୍ତକାରୀ ଅଧିକାରୀଙ୍କୁ ଜଣାଇ ରାଜ୍ୟ ବାହାରକୁ ଯାଇ ପାରିବେ ବୋଲି କୋର୍ଟ କହିଥିଲେ। ତଦନ୍ତକାରୀ ଅଧିକାରୀଙ୍କୁ ଯାଉଥିବା ଜାଗାର ଠିକଣା ଏବଂ ଫୋନ ନମ୍ବର ଦେଇ ରାଜ୍ୟ ବାହାରକୁ ଯାଇପାରିବେ ବୋଲି କୋର୍ଟ କହିଥିଲେ’’, ଏହା କହିଛନ୍ତି ସାରଥିଙ୍କ ଓକିଲ ମାନସ କୁମାର ଚାନ୍ଦ।

୨୦୧୫ରେ ବାବାଙ୍କୁ ଓଡ଼ିଶା ବାହାରେ ଦେଖିବାକୁ ମିଳିଥିଲା। ହାଇଦ୍ରାବାଦର ଗୋଲକୁଣ୍ଡା ହୋଟେଲରେ ବାବା ଜଣେ ଯୁବତୀଙ୍କ ସହ ଧରାପଡ଼ିଥିଲେ। ବାବା ପାଟ ବସ୍ତ୍ର ଛାଡ଼ି ଜିନ୍ସ ପିନ୍ଧି ଜଣେ ଯୁବତୀଙ୍କୁ ନେଇ ହୋଟେଲରେ ରହିବା ବେଳେର ଭିଡିଓ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ଏହି ଭିଡିଓ ଧରାପଡ଼ିବା ପରେ ବାବା ବିବାଦରେ ଛନ୍ଦି ହୋଇ ଜେଲ୍ ଯାଇଥିଲେ।

ଜେଲରୁ ବାହାରୁ ବାହାରୁ ସାରଥି ପୁଣି ଓଡ଼ିଶା ବାହାରକୁ ଯାଇଛନ୍ତି। ସେଠି ସେ କ’ଣ କରୁଛନ୍ତି ଏବଂ କେଉଁ ଅବସ୍ଥାରେ ଅଛନ୍ତି ତାହା ଜାଣିବା ପାଇଁ ବିଭିନ୍ନ ମହଲରେ ଉତ୍କଣ୍ଠା ବଢ଼ିଛି।

ସାରଥି ଗିରଫ ହେବା ଦିନରୁ ବାରିମୂଳ ଆଶ୍ରମ ଇଡି ହେପାଜତରେ ରହିଥିଲା। ଏହି ଆଶ୍ରମକୁ ନଯିବା ପାଇଁ କୋର୍ଟ ବାରଣ କରିଥିଲେ। ଏହାସହ ବାରିମୂଳ ଗାଁରେ ଥିବା ପୈତୃକ ଘରେ ସାରଥିଙ୍କୁ ପୂରାଇ ଦେବେ ନାହିଁ ବୋଲି ଗାଁ ଲୋକେ କହିଥିଲେ। ଫଳରେ ସାରଥି କୁଆଡ଼େ ଯିବେ ତାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା।

୨୦୧୫ମସିହା ଅଗଷ୍ଟ ମାସ ୮ତାରିଖରେ ବବାରିମୂଳ ଆଶ୍ରମରେ କ୍ରାଇମବ୍ରାଞ୍ଚ ଚଢାଉ କରି ବିଭିନ୍ନ ସାମଗ୍ରୀ ସହ ଟଙ୍କା ସୁନା ଓ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ଜବତ କରି ସାରଥିକୁ ଗିରଫ କରିଥିଲା।  ସାରଥିଙ୍କ ନାଁରେ ପୃଥକ ପୃଥକ ତିନୋଟି ମାମଲା ରୁଜୁ ହୋଇଥିଲା। ହାଇଦ୍ରାବାଦର ଗୋଲକୁଣ୍ଡା ହୋଟେଲରେ ଜିନ୍ ପ୍ୟାଣ୍ଟ ପିନ୍ଧି ଜନୈକା ଯୁବତୀଙ୍କ ସହ ବାବା ସାରଥି ରହିବା ଭିଡିଓ ଭାଇରାଲ୍ ହେବା ଘଟଣା ବେଶ୍ ଚର୍ଚ୍ଚା ଜୋର ଧରିଥିଲା।

କେନ୍ଦ୍ରାପଡା ସଦରଥାନା ହଳଦୀଡିହ ଗ୍ରାମର ଜନୈକା ଯୁବତୀଙ୍କୁ ବିବାହ କରାଇ ଦେବାକୁ କହି ଜମି ପଟ୍ଟା , ଟଙ୍କା ଓ ଅଳଙ୍କାର ଲୁଟିନେବା ଅଭିଯୋଗରେ ଛନ୍ଦି ହୋଇ ପଡିଥିଲେ ସାରଥି। ୨୦୧୫ ଅଗଷ୍ଟ ୮ ତାରିଖରେ ସାରଥି ଗିରଫ ହେବାପରେ  ଯୁବତୀ ଜଣକ ଗତ ୨୦୧୫ ଅଗଷ୍ଟ ୨୦ ତାରିଖରେ  କ୍ରାଇମବ୍ରାଞ୍ଚ ନିକଟରେ ଏହି ଅଭିଯୋଗ କରିବାରୁ କ୍ରାଇମବ୍ରାଞ୍ଚ ଭାରତୀୟ ଦଣ୍ଡ ସଂହତି ଧାରା ୧୨୦ବି , ୪୨୦,୩୫୪,୫୦୬୵ ୩୪ରେ ମାମଲା ରୁଜୁ କରିଥିଲେ।

୩ଟି ମାମଲାରେ ଜାମିନ ଆବେଦନ କେନ୍ଦ୍ରାପଡା ଏସଡିଜେଏମ, ଏଡିଜେ କୋର୍ଟରେ ଖାରଜ ହେବା ପରେ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସାରଥି। ଶେଷରେ ସାରଥିଙ୍କୁ ସର୍ତ୍ତମୂଳକ ଜାମିନ ମିଳିଥିଲା।

Comment