ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ଆଥଲେଟ୍ ତଥା ଦୌଡ଼ରାଣୀ ଦୂତୀ ଚାନ୍ଦକୁ ଆଉ ଏକ ସଫଳତା ମିଳିଛି। ଭାରତର ୫୦ କ୍ଷମତାଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଦୂତୀ। ଇଣ୍ଡିଆ ଟୁଡେ ହାଇ ଆଣ୍ଡ ମାଇଟି ରାଙ୍କିଂରେ ୪୭ ନମ୍ବର ସ୍ଥାନରେ ରହିଛନ୍ତି ଦୂତୀ।

୨୩ ବର୍ଷୀୟ ଦୂତୀ ଚାନ୍ଦ ଇଟାଲିରେ ଆୟୋଜିତ ହୋଇଥିବା ୟୁନିଭର୍ସିଟି ଗେମସରେ ସ୍ୱର୍ଣ୍ଣ ପଦକ ଜିତି ଭାରତର ତ୍ରିରଙ୍ଗା ଉଡ଼ାଇଥିଲେ। ଏହି ଅନ୍ତର୍ଜାତିୟ ପ୍ରତିଯୋଗିତାର ୧୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ଜିତିବାରେ ଦୂତୀ ପ୍ରଥମ ଭାରତୀୟ ଖେଳାଳି। ଏହି ଅବସରରେ ଦୂତୀଙ୍କୁ ଭେଟିଥିଲା ଓଡ଼ିଶାଲାଇଭ୍ ଟିମ୍।

‘‘ମୁଁ ଜଣେ ସୈନିକ। ଯେଉଁଭଳି ଜଣେ ସୈନିକ ଅହରହ ଦେଶର ସେବାରେ ନିଜକୁ ନିୟୋଜିତ କରିଥାଏ, ମୁଁ ମଧ୍ୟ ସେହିଭଳି ଭାବରେ ନିଜକୁ ଦେଶ ପାଇଁ ସମର୍ପିତ କରିଛି’’, କହିଛନ୍ତି ଦୂତୀ।

ସେ ଆହୁରି ମଧ୍ୟ କହିଛନ୍ତି, ‘‘ମୁଁ ସବୁବେଳେ ରାଜ୍ୟ ତଥା ଦେଶର ଗୌରବ ପାଇଁ ଚିନ୍ତା କରିଛି ଏବଂ କରିବି।’’

କିଛି ଦିନ ତଳେ ଇଟାଲିରେ ହୋଇଥିବା ୟୁନିଭର୍ସିଟି ଗେମ୍‌ସରେ ମାତ୍ର ୧୧.୩୨ ସେକେଣ୍ଡରେ ଦୂତୀ ୧୦୦ ମିଟର ଅତିକ୍ରମ କରିଥିଲେ। ପୂର୍ବରୁ କୌଣସି ଭାରତୀୟ ଏହି ଯୋଗ୍ୟତା ହାସଲ କରି ପାରି ନଥିଲେ। ଦୂତୀ ହେଉଛନ୍ତି ପ୍ରଥମ ମହିଳା ଭାତରୀୟ, ଯିଏକି ବିଶ୍ୱ ବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାର ୧୦୦ ମିଟର ରେସ୍‌ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

ଭାରତର ଦୌଡ଼ରାଣୀ ଭାବେ ପରିଚିତ ଦୂତୀ ଚାନ୍ଦ ୨୦୧୮ ମସିହାରେ ଏସିଆନ୍ ଗେମ୍ସରେ ଦୁଇ ଦୁଇଟି ସିଲଭର୍ ମେଡାଲ ପାଇ ସମସ୍ତଙ୍କର ଧ୍ୟାନ ଆକର୍ଷଣ କରିଥିଲେ। ସେହିପରି ନିକଟରେ ହୋଇଥିବା ୱାର୍ଲଡ ୟୁନିଭର୍ସିଟି ଗେମ୍ସରେ ସ୍ୱର୍ଣ୍ଣ ଜିତି ସେ ଭାରତ ପାଇଁ ଗୌରବ ଆଣିଛନ୍ତି ।

ବର୍ତ୍ତମାନ ସେ ଟୋକିଓ ଅଲିମ୍ପିକ୍ ଓ ୨୦୧୯ ଅକ୍ଟୋବରରେ ହେବାକୁ ଥିବା ୱାର୍ଲଡ ଚାମ୍ପିୟନସିପ୍‌ରେ ପାଇଁ ପ୍ରସ୍ତୁତି କରୁଛନ୍ତି। ପ୍ରତ୍ୟେକ ଦିନ ୬ ଘଣ୍ଟାରୁ ଅଧିକ ସମୟ ଅଭ୍ୟାସ କରୁଛନ୍ତି ଦୂତୀ। ସେ ଅଲିମ୍ପିକ୍ ପାଇଁ ସ୍ୱତନ୍ତ୍ର ଟ୍ରେନିଂ ନେଉଛନ୍ତି ଏବଂ ଖୁବ୍ ଶୀଘ୍ର ସେ ଏଥିପାଇଁ ଜର୍ମାନୀ ଯିବେ।

LEAVE A REPLY

Please enter your comment!
Please enter your name here