ଓଡ଼ିଶାଲାଇଭ ବ୍ୟୁରୋ

ଓ୍ଵେଷ୍ଟଇଣ୍ଡିଜ ଗସ୍ତ ପୂର୍ବରୁ ସାମ୍ଵାଦିକ ସମ୍ମିଳନୀରେ ରୋହିତଶର୍ମାଙ୍କ ସହ କୌଣସି ମତଭେଦ ନଥିବା ସ୍ପଷ୍ଟ କଲେ ବିରାଟ କୋହଲି।

ବିଶ୍ଵକପ ୨୦୧୯ର ସେମିଫାଇନାଲରୁ ଭାରତୀୟ ଦଳ ବିଦାୟ ନେବା ପରେ ଆରମ୍ଭ ହୋଇଥିଲା ବିରାଟ କୋହଲି-ରୋହିତ ଶର୍ମାଙ୍କ ମଧ୍ୟରେ ମତଭେଦ ଥିବା ଖବର। ଯାହାକୁ ନେଇ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହୋଇଥିଲା।

ତେବେ ରୋହିତଙ୍କ ସହ ଏହି ବିବାଦ ଘଟଣାରେ ପୂର୍ଣ୍ଣଛେଦ ପକାଇଛନ୍ତି ବିରାଟ। ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଆମେରିକା ଗସ୍ତ କରିବା ପୂର୍ବରୁ ଏହି ବିଷୟରେ ମୁହଁ ଖୋଲିଛନ୍ତି ବିରାଟ। ରୋହିତଙ୍କ ସହ ତାଙ୍କର କୌଣସି ମତଭେଦ ନଥିବା ସେ ସ୍ପଷ୍ଟ କରିଛନ୍ତି।

ସୋମବାର ଆୟୋଜିତ ସାମ୍ଵାଦିକ ସମ୍ମିଳନୀରେ ବିରାଟ କହିଛନ୍ତି, “ଏଭଳି ଖବରରେ କୌଣସି ସତ୍ୟତା ନାହିଁ। ଏମତି ଏକ ଖବର ପ୍ରଚାର କରିବା ବିଚିତ୍ର ଓ ଅସମ୍ମାନଜନକ। ରୋହିତ ଓ ମୁଁ ପାଖାପାଖି ୧୦ ବର୍ଷ ହେଇଯିବ ସାଙ୍ଗ ହୋଇ ଖେଳି ଆସୁଛୁ। ତାଙ୍କ ପ୍ରଦର୍ଶନକୁ ମୁଁ ସବୁବେଳେ ପ୍ରଶଂସା କରିଛି। ଯଦି ଆମ ଭିତରେ ବିବାଦ ରହିଥାନ୍ତା ତେବେ ଦଳ ବିଶ୍ଵକପରେ ଭଲ ପ୍ରଦର୍ଶନ କରିପାରିନଥାନ୍ତା।“

ସେ ଆହୁରି ମଧ୍ୟ କହିଥିଲେ, “ଯେତେବେଳେ ଆମେ କ୍ରିକେଟ ଆରମ୍ଭ କରିଥିଲୁ ୬ ନମ୍ଵରରେ ବ୍ୟାଟିଂ କରୁଥିଲୁ। ବର୍ତ୍ତମାନ ଆମେ ୧ ନମ୍ଵର ଓ ୨ ନମ୍ଵରରେ ପହଞ୍ଚିଛୁ। ଏହା କେବଳ ଆମର ବୁଝାମଣା ଯୋଗୁଁ ସମ୍ଭବ ହୋଇଛି।”

ଭାରତୀୟ କ୍ରିକେଟ ଟିମ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ପ୍ରଥମ ଦୁଇ ମ୍ୟାଚ ପାଇଁ ଆମେରିକା ଗସ୍ତ କରିବ। ଏହାପରେ ଶେଷ ଟି-୨୦ ଓ ଦିନିକିଆ ପାଇଁ ଓ୍ଵେଷ୍ଟଇଣ୍ଡିଜ ଗସ୍ତ କରିବ। ତେବେ ଏହି ସିରିଜ ପାଇଁ ଦଳ ସୋମବାର ଆମେରିକାର ପ୍ଲୋରିଡା ଗସ୍ତ କରିବ।

Comment