ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ପାଟକୁରା ନିର୍ବାଚନରେ ବିଜେଡି ବାଜିମାତ୍‌ କରିବା ପରେ ଏବେ ବିଜେଡି ନଜରରେ ରହିଛି ବିଜେପୁର।

(ଭୁବନେଶ୍ୱରରୁ ସରୋଜ ମହାପାତ୍ର) : ପାଟକୁରା ନିର୍ବାଚନ ଶେଷ ହୋଇଛି। ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ହରାଇ ବିଜେଡି ବିଜୟୀ ହୋଇଛି। ପାଟକୁରାରେ କେମିତି ବିଜେଡି ନିର୍ବାଚନ ଲଢ଼ିଲା ତାହା ସମସ୍ତଙ୍କୁ ଜଣା। ଏବେ ପାଟକୁରା ନିର୍ବାଚନ ଶେଷ ହେବା ପରେ ବିଜେପୁର ଉପରେ ସମସ୍ତଙ୍କ ନଜର ରହିଛି। ନବୀନ ପଟ୍ଟନାୟକ ପାଟକୁରା ଆସନ ଛାଡ଼ିବା ପରେ ଏହି ଆସନରେ ଉପ-ନିର୍ବାଚନ ହେବାକୁ ଯାଉଛି। ପାଟକୁରା ଭଳି ବିଜେପୁର ଦଖଲ କରିବା ପାଇଁ ବିଜେଡି ପୂରା ଦମ୍‌ରେ ଲାଗିପଡ଼ିବ।

ବିଜେଡି ପାଇଁ ବିଧାନସଭାରେ ବିଧାୟକ ସଂଖ୍ୟା ବଢ଼ାଇବା ହେଉଛି ମୁଖ୍ୟ ଲକ୍ଷ୍ୟ। ୨୦୧୪ରେ ବିଜେଡି ୧୧୭ ବିଧାୟକ ପାଇଥିବା ବିଜେଡି ଏଥର ୧୧୨ ଆସନ ପାଇଥିଲା। ହେଲେ ନବୀନ ବିଜେପୁର ଆସନ ଛାଡ଼ିବା ପରେ ଆସନ ସଂଖ୍ୟା ୧୧୧କୁ ଖସି ଆସିଥିଲା। ଏବେ ପାଟକୁରା ବିଜୟ ପରେ ବିଧାୟକ ସଂଖ୍ୟା ୧୧୨ ହୋଇଛି। ସେହିପରି ବିଜେପୁର ଜିତି ବିଧାୟକ ସଂଖ୍ୟା ୧୧୩ କରିବାକୁ ବିଜେଡି ଜୋରଦାର ଉଦ୍ୟମ କରିପାରେ ବୋଲି ଚର୍ଚ୍ଚା ହେଉଛି।

୨୦୧୯ ନିର୍ବାଚନରେ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ପ୍ରାର୍ଥୀ ହୋଇଥିଲେ। ହିଞ୍ଜିଳି ଏବଂ ବିଜେପୁର ବିଧାନସଭା ଆସନରୁ ନବୀନ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। ନିର୍ବାଚନ ଶେଷ ହେବା ପରେ ଏବଂ ନୂଆ ସରକାର ଗଠନ ହେବା ପରେ ବିଜେପୁର ପାଇଁ ସ୍ପେଶାଲ ପ୍ୟାକେଜ ଘୋଷଣା କରି ବିଜେପୁର ଆସନରୁ ଇସ୍ତଫା ଦେଇଥିଲେ।

ଇସ୍ତଫା ଦେବାର ୬ ମାସ ଭିତରେ ଉପ-ନିର୍ବାଚନ ହେବ। ଇତିମଧ୍ୟରେ ଦୁଇ ମାସ ବିତି ଯାଇଛି। ଆଉ ୪ ମାସ ଭିତରେ ନିର୍ବାଚନ ହେବ। ଯଦିଓ ବିଜେପୁର ପାଇଁ ବିଜେଡି କିମ୍ବା ଅନ୍ୟ କୌଣସି ରାଜନୈତିକ ଦଳ ପ୍ରାର୍ଥୀ ଘୋଷଣା କରି ନାହାନ୍ତି, ତେବେ ଏହି ଆସନରେ ଜୋରଦାର ଲଢେ଼ଇ ହେବା ସ୍ପଷ୍ଟ ହୋଇଛି। ତେବେ ବିଜେପୁରରେ ବିଜେଡି କାହାକୁ ପ୍ରାର୍ଥୀ କରୁଛି ଏବଂ କେମିତି ରଣନୀତି କରୁଛି ତା’ ଉପରେ ନଜର ରହିଛି।

କିଏ ନେବେ ଟିକେଟ – ରୀତା ନା ସୁବାସ?

ବିଜେପୁରରେ ହେବାକୁ ଥିବା ଉପ-ନିର୍ବାଚନରେ ବିଜେଡି ଟିକେଟ କିଏ ନେବ ତାହା ବଡ଼ ପ୍ରଶ୍ନ ହୋଇ ରହିଛି। ପୂର୍ବତନ ବିଧାୟକ ପୁଣି ରୀତା ସାହୁ ଟିକେଟ ନେବାକୁ ଆଗ୍ରହୀ ଥିବା ବେଳେ ବରିଷ୍ଠ ନେତା ସୁବାସ ଚୌହାନ ବି ଟିକେଟ ଦୌଡ଼ରେ ଅଛନ୍ତି। ରୀତା ମାତ୍ର ବର୍ଷକର ବିଧାୟକ ହୋଇଥିବାରୁ ତାଙ୍କୁ ଆଉ ପାଞ୍ଚ ବର୍ଷ ସୁଯୋଗ ଦେବାକୁ ସେ ଦାବି କରୁଛନ୍ତି। ସେହିପରି ସୁବାସ ମଧ୍ୟ ଟିକେଟ ଆଶାୟୀ ଅଛନ୍ତି।

ସୁବାସ ଚୌହାନ ହେଉଛନ୍ତି ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ନେତା। ୨୦୧୪ରେ ସେ ବରଗଡ଼ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଥିଲେ। କିନ୍ତୁ ପରାଜିତ ହୋଇଥିଲେ। ଏଥର ସେ ବିଜେପି ଟିକେଟ ପାଇଁ ଆଶାୟୀ ଥିଲେ। ହେଲେ ବିଜେପି ସୁରେଶ ପୂଜାରୀଙ୍କୁ ଟିକେଟ ଦେଇ ସୁବାସଙ୍କୁ ଅଣଦେଖା କରିଥିଲା। ନିର୍ବାଚନ ସମୟରେ ସୁବାସ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ହେଲେ ବିଜେଡି ତାଙ୍କୁ କୌଣସିଠାରେ ପ୍ରାର୍ଥୀ କରି ନଥିଲା।

ନିର୍ବାଚନ ବେଳେ ବିଜେଡି ଛାଡ଼ି ଆସିଥିବା ମୟୂରଭଞ୍ଜର ଟାଣୁଆ ନେତା ରାଜକିଶୋର ଦାସଙ୍କୁ ଦଳ ମୋରଡ଼ାରୁ ପ୍ରାର୍ଥୀ କରିଥିଲା। ହେଲେ ସୁବାସଙ୍କୁ କେବଳ ସାଙ୍ଗଠନିକ ଦାୟିତ୍ୱ ଦେଇ ସନ୍ତୁଷ୍ଟ କରିଥିଲା ଦଳ। ଏବେ ସୁବାସ ବିଜେପୁର ଟିକେଟ ଦୌଡ଼ରେ ଅଛନ୍ତି। ତେବେ ନବୀନ ଏ ଦୁହିଁଙ୍କ ଭିତରୁ କାହାକୁ ପ୍ରାର୍ଥୀ କରିବେ ତା’ ଉପରେ ନଜର ରହିଛି।

ବିଜେପୁର ପାଇଁ ବିଜେପି କଷିବ ଅଙ୍କ

ବିଜେପୁରରେ ଉପ-ନିର୍ବାଚନ ହେବା ସ୍ପଷ୍ଟ ହୋଇଯାଇଛି। ଶାସକ ବିଜେଡିରୁ କିଏ ପ୍ରାର୍ଥୀ ହେବ ତାହା ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ବିଜେପି କିନ୍ତୁ ଏଥର ମାପିଚୁପି ଅଙ୍କ କଷିବ ବୋଲି କୁହାଯାଉଛି । ପାଟକୁରା ବିଫଳତା ଯେମିତି ବିଜେପୁରରେ ନହୁଏ ସେନେଇ ବିଜେପି ମାପିଚୁପି ଗଣିତ କଷିବ ବୋଲି କୁହାଯାଉଛି।

୨୦୧୮ ଉପ-ନିର୍ବାଚନ ଏବଂ ୨୦୧୯ ନିର୍ବାଚନରେ ବିଜେଡିକୁ କଡ଼ା ଫାଇଟ୍ ଦେଇଥିଲା ବିଜେପି। ଉପ-ନିର୍ବାଚନ ବେଳେ ବିଜେପି ଅଶୋକ ପାଣିଗ୍ରାହୀଙ୍କୁ ଟିକେଟ ଦେଇଥିଲା। ଅଶୋକ ବିଜେଡି ଟିକେଟ ନପାଇବାରୁ ବିଜେପିରେ ଯୋଗଦେଇ ଟିକେଟ ନେଇଥିଲେ। ତାଛଡ଼ା ଅଶୋକ ୨୦୦୦ରେ ବିଜେଡି ଟିକେଟରେ ବିଧାନସଭା ଆସିଥିଲେ। କିନ୍ତୁ ୨୦୧୪ରେ ଦଳ ବିରୋଧୀ କାମ କରିବା ଅଭିଯୋଗରେ ନିଲମ୍ବିତ ହୋଇଥିଲେ।

ଉପ-ନିର୍ବାଚନରେ ଯେଉଁ ବିଜେପି ଅଶୋକଙ୍କ ଉପରେ ଭରସା କରିଥିଲା, ୨୦୧୯ରେ କିନ୍ତୁ ତାଙ୍କୁ ଟିକେଟ ଦେଇ ନଥିଲା। ସନତ ଗଡ଼ତିଆଙ୍କୁ ପାର୍ଟି ଟିକେଟ ଦେଇଥିଲା। ନବୀନଙ୍କ ବିରୋଧରେ ପ୍ରାର୍ଥୀ ହୋଇ ସନତ ୫୩ ହଜାର ୪୮୨ ଭୋଟ ପାଇଥିଲେ। ନବୀନଙ୍କ ଲୋକପ୍ରିୟତା ଆଗରେ ସେ ପରାଜିତ ହୋଇଥିଲେ। କିନ୍ତୁ ହେବାକୁ ଥିବା ଉପ-ନିର୍ବାଚନରେ ନବୀନ ପ୍ରାର୍ଥୀ ହେବେନି। ଏଣୁ ବିଜେପି ବିଜେପୁରରେ ହେବାକୁ ଥିବା ଉପ-ନିର୍ବାଚନରେ ମାପିଚୁପି ଟିକେଟ ଦେବ ବୋଲି ଚର୍ଚ୍ଚା ହେଉଛି।

ନବୀନ କାହିଁକି ଛାଡ଼ିଲେ ବିଜେପୁର?

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୧୯ ବର୍ଷ ପରେ ପ୍ରଥମ ଥର ପାଇଁ ଦୁଇଟି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ୨୦୦୦ ମସିହାରୁ ନିର୍ବାଚିତ ହୋଇ ଆସୁଥିବା ହିଞ୍ଜିଳିରୁ ନବୀନ ଏଥର ପ୍ରାର୍ଥୀ ହେବା ସହ ବରଗଡ଼ର ବିଜେପୁର ଆସନରୁ ମଧ୍ୟ ନବୀନ ପ୍ରାର୍ଥୀ ହୋଇଥିଲେ। ଦୁଇଟି ଜାକ ଆସନରୁ ନବୀନ ବିପୁଳ ଭୋଟରେ ବିଜୟୀ ହୋଇଥିଲେ।

ହେଲେ ପଞ୍ଚମ ପାଳି ସରକାର ଗଠନ ହେଉ ହେଉ ନବୀନ ବିଜେପୁର ଆସନରୁ ଇସ୍ତଫା ଦେଇ ହିଞ୍ଜିଳି ଆସନ ରଖିଛନ୍ତି। ନବୀନ ବିଜେପୁରରୁ ପ୍ରାର୍ଥୀ ହେବା ପଛରେ ଅନେକ କାରଣ ରହିଥିବା କୁହାଯାଉଛି। ପଶ୍ଚିମ ଓଡ଼ିଶା ଥିଲା ବିଜେପିର ଗଡ଼। ଏହି ଗଡ଼କୁ ଭାଙ୍ଗିବା ପାଇଁ ନବୀନ ବିଜେପୁରରୁ ପ୍ରାର୍ଥୀ ହୋଇଥିଲେ। ହେଲେ ନବୀନଙ୍କ ପ୍ରଭାବ ପଶ୍ଚିମ ଓଡ଼ିଶାର କୌଣସି ଲୋକସଭା ଆସନ ଉପରେ ପଡ଼ି ନଥିଲା। ପଶ୍ଚିମ ଓଡ଼ିଶାର ୫ଟି ଯାକ ଲୋକସଭା ଆସନ ବିଜେପି ଖାତାକୁ ଚାଲି ଯାଇଥିଲା।

କେବଳ ବିଧାନସଭା ଆସନଗୁଡ଼ିକ ବିଜେଡି ହାତରେ ରହିଥିଲା। ନବୀନ ଯେଉଁ ବରଗଡ଼ ଲୋକସଭା ଆସନ ଅଧିନରେ ଆସୁଥିବା ବିଜେପୁରରୁ ପ୍ରାର୍ଥୀ ହୋଇଥିଲେ ସେହି ଲୋକସଭା କ୍ଷେତ୍ର ବି ବିଜେପି କବ୍‍ଜା କରିଥିଲା। ଏଣୁ ନବୀନ ନିର୍ବାଚନ ଶେଷ ହେବା ପରେ ବିଜେପୁର ଛାଡ଼ିଥିବା କୁହାଯାଉଛି।

୨୦୧୮ରେ ହୋଇଥିଲା ହାଇଭୋଲଟେଜ ଉପ-ନିର୍ବାଚନ

ବିଜେପୁର ଆସନ ଥିଲା କଂଗ୍ରେସର ଗଡ଼। ଏହି ଆସନରୁ ସୁବଳ ସାହୁ କଂଗ୍ରେସ ଟିକେଟରେ ଲଗାତର ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇ ଆସିଥିଲେ। କିନ୍ତୁ ୨୦୧୭ରେ ତାଙ୍କର ଦେହାନ୍ତ ହୋଇଥିଲା। ଫଳରେ ବିଜେପୁର ପାଇଁ ଉପ-ନିର୍ବାଚନ ବିଗୁଲ ବାଜିଥିଲା। ୨୦୧୮ ଫେବ୍ରୁଆରିରେ ବିଜେପୁରରେ ହୋଇଥିଲା ଉପ-ନିର୍ବାଚନ।

ଏହି ଉପ-ନିର୍ବାଚନରେ ବିଜେଡି ମାଷ୍ଟର ଷ୍ଟ୍ରୋକ ଖେଳିଥିଲା। ଅନୁକମ୍ପାମୂଳକ ଭୋଟ ହାତେଇବା ଲକ୍ଷ୍ୟରେ ସୁବଳ ସାହୁଙ୍କ ସ୍ତ୍ରୀ ଏବଂ ପୁଅକୁ ବିଜେଡି ଆଣିଥିଲା। ଶେଷରେ ବିଜେଡି ରୀତା ସାହୁଙ୍କୁ ପ୍ରାର୍ଥୀ କରିଥିଲା। ରୀତାଙ୍କୁ ଜିତାଇବା ପାଇଁ ବିଜେଡି ପୂରା ଦମ୍‍ ଲଗାଇ ଦେଇଥିଲା।

ଦଳର ନେତା, ମନ୍ତ୍ରୀ ବିଜେପୁରରେ ଡେରା ପକାଇଥିଲେ। ୨୦୧୯ ନିର୍ବାଚନ ପୂର୍ବରୁ ବିଜେପୁର ଉପ-ନିର୍ବାଚନ ସବୁ ଦଳ ପାଇଁ ଏସିଡ୍‍ ଟେଷ୍ଟ ହୋଇଥିବାରୁ ବିଜେପି ଏବଂ କଂଗ୍ରେସ ମଧ୍ୟ ନିଜ ନିଜ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଜୋରଦାର ଉଦ୍ୟମ କରିଥିଲେ। ବିଜେପି ଏଠାରେ ଅଶୋକ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ପ୍ରଣୟ ସାହୁଙ୍କୁ ପ୍ରାର୍ଥୀ କରିଥିଲା। ଶେଷରେ ରୀତା ହିଁ ବିଜୟ ମୁକୁଟ ପିନ୍ଧିଥିଲେ।

ରୀତା ବିଧାନସଭାକୁ ଯିବାର ମାତ୍ରକ ବର୍ଷକ ଭିତରେ ସାଧାରଣ ନିର୍ବାଚନ ହୋଇଥିଲା। ହେଲେ ସାଧାରଣ ନିର୍ବାଚନରେ ରୀତାଙ୍କୁ ଟିକେଟ ନଦେଇ ନିଜେ ନବୀନ ପ୍ରାର୍ଥୀ ହୋଇଥିଲେ। ଶେଷରେ ନବୀନ ଜିତିବା ପରେ ଏବେ ଏହି ଆସନ ଛାଡ଼ିଛନ୍ତି। ତେବେ ବିଜେପୁରରେ ହେବାକୁ ଥିବା ଉପ-ନିର୍ବାଚନରେ ବିଜେଡି ଟିକେଟ କିଏ ନେବ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Comment