ନୀଳାମ୍ବର ରଥ

‘ଛୋଟ ଛୋଟ କଥା’ ବରିଷ୍ଠ ସାମ୍ବାଦିକ ନୀଳାମ୍ବର ରଥଙ୍କ ଏକ ସାମୟିକ ସ୍ତମ୍ଭ। ଏହି କ୍ରମରେ ସେ ଆମ ଆଖି ଆଗରେ ପଡ଼ୁଥିବା ବିଭିନ୍ନ ଛୋଟ ଛୋଟ କଥାକୁ ଆପଣମାନଙ୍କ ସାମନାରେ ରଖିବାକୁ ଏକ ଛୋଟ ଉଦ୍ୟମ କରିଛନ୍ତି।

ଏ ରାଜ୍ୟରେ ଦିନେ ଯେତେବେଳେ ନାରୀଶିକ୍ଷାର ପ୍ରଥମ ପାହଚ ଆରମ୍ଭ ହୋ‍ଇଥିଲା, ସେତେବେଳେ ଏକ ବିଦ୍ରୁପଭରା ଢଗ ବେଶ ଲୋକପ୍ରିୟ ହୋ‍ଇଥିଲା। ଯାହାର ମୋଟାମୋଟି ମର୍ମ ଥିଲା: ‘ମୁଁ ତ ବି.ଏ.କୁ ତମେ ତ ବି.ଏ., ଛୁଆ କାଖେଇବ କିଏ?’ ଅର୍ଥାତ ଘରେ ମହିଳା ଯଦି ଶିକ୍ଷାଦିକ୍ଷା ଲାଭ କରେ, ବାହାରକୁ ବାହାରେ ଏବଂ ପୁରୁଷ ପରି ବିଭିନ୍ନ କାମ କରେ, ତେବେ ହାଣ୍ଡିଶାଳ ଓ ପିଲାଛୁଆଙ୍କ ଜଞ୍ଜାଳ ସମ୍ଭାଳିବ କିଏ?

ଏବେ ଦୁନିଆ ଯଥେଷ୍ଟ ବଦଳିଥିଲେ ମଧ୍ୟ ଏ ପ୍ରଶ୍ନ ବିଭିନ୍ନ ସମୟରେ ଘରେ ଘରେ ଉଠୁଛି। ତେବେ ଏହାର ଉତ୍ତର କିଏ କିଭଳି ପାଉଛି ଏବଂ ପରିବାର ଭିତରେ ବୁଝାମଣା କିଭଳି ରହୁଛି, ତା’ ଉପରେ ପରିବାରର ସୁଖଶାନ୍ତି ଓ ସାମଗ୍ରିକ ବିକାଶ ନିର୍ଭର କରେ।

ବିଭା ଆମ ସମୟର ଜଣେ ମହିଳା। ବାହାଘର ଆଗରୁ ବାପାଙ୍କୁ ତାଙ୍କ ବ୍ୟବସାୟରେ ସାହାଯ୍ୟ କରୁଥିଲେ। ବାହାଘର ପରେ ନିଜ ଉଦ୍ୟମରେ ଡିଟିପି ଶିଖି ଗୋଟିଏ ମିଡିଆ ହାଉସରେ ଅପରେଟର ଭାବେ କାମ ଆରମ୍ଭ କରିଥିଲେ। ତାଙ୍କ ସ୍ୱାମୀ ମଧ୍ୟ ମିଡିଆରେ ଚାକିରି କରନ୍ତି। ସେମାନେ ଭୁବନେଶ୍ୱରରେ ରହନ୍ତି। ମଝିରେ ବିଭାଙ୍କ ଶାଶୂ ଶ୍ୱଶୁର ଆସି ସେମାନଙ୍କ ସାଥିରେ ରହିଲେ। ବିଭା ତାଙ୍କ ସାନଛୁଆକୁ ଶାଶୂଙ୍କ ପାଖରେ ଛାଡ଼ି ଚାକିରିକୁ ଆସନ୍ତି।

କିନ୍ତୁ କିଛିଦିନ ଭିତରେ ଘରେ ଏକପ୍ରକାର ବିରୋଧାଭାସ ଆସିଲା। ବିଭାଙ୍କ ଚାକିରିକୁ ନେଇ ପ୍ରଶ୍ନ ଉଠିଲା। ତାଙ୍କ ସାମନାରେ ରାସ୍ତା ଦୁଇଭାଗ ହୋ‍ଇଗଲା; ଗୋଟିଏ ପଟେ ପରିବାର, ଅନ୍ୟପଟେ କର୍ମକ୍ଷେତ୍ର। ବିଭାଙ୍କ ଦରମା ପରିବାରର ଦୈନନ୍ଦିନ ଖର୍ଚ୍ଚ ପାଇଁ ଏକ ବଡ଼ ବଳ ସହାୟକ ହୋ‍ଇଥିଲେ ମଧ୍ୟ ପାରିବାରିକ ନିକିତିରେ ସେ ଦିଗଟି ଓଜନ ହୋ‍ଇପାରିଲା ନାହିଁ। ଶେଷରେ ବିଭା ଚାକିରି ଛାଡ଼ି ଘରେ ଶାଶୂ ଶ୍ୱଶୂର ସ୍ୱାମୀ ଓ ଛୁଆ କଥା ବୁଝିବାକୁ ଉଚିତ ମନେକଲେ।

ଏବେ ଆଉ ଗୋଟିଏ ଘର କଥା ଦେଖିବା। ମନିତା ପାଠଶାଠ ପଢି ସରକାରୀ ଚାକିରି କଲେ। ବାହାଘର ପରେ ତାଙ୍କ କ୍ୟାରିଅର କେଉଁ ମୋଡ଼ ନେବ, ଏ ପ୍ରଶ୍ନ ତାଙ୍କ ମନରେ ଆସୁଥିଲା। ତାଙ୍କ ସ୍ୱାମୀ ଜଣେ ବ୍ୟାଙ୍କ ଅଫିସର। ସବୁବେଳେ ଅଫିସ କାମରେ ହଜିଯା’ନ୍ତି। ଆରମ୍ଭରୁ ମନିତାଙ୍କୁ ଘର ଓ ଚାକିରି ଭିତରେ ସମନ୍ୱୟ ରକ୍ଷା କରିବା ଲାଗି ବେଶ୍‍ ଅସୁବିଧା ହେଉଥିଲା। କିନ୍ତୁ ଏ ଅସୁବିଧାକୁ ଦୂର କରିଦେଲେ ମନିତାଙ୍କ ଶାଶୂ। ତା’ ସାଙ୍ଗକୁ ଘରେ ଜଣେ ହାଉସ୍‌ମେଡ୍‍ ନେବା ପରେ ଜୀବନ ଆହୁରି ସହଜ ହୋ‍ଇପାରିଲା। ଆଜି ମନିତା ଜଣେ ଦକ୍ଷ ଅଫିସର ଭାବେ ଅଫିସରେ ନିଜ କାମ କରନ୍ତି ଓ ନିଜ ପରିବାରକୁ ମଧ୍ୟ ସମୟ ଓ ଭଲପାଇବା ଦେଇ ଯୋଡ଼ି ରଖିଛନ୍ତି।

ବିଭା ଓ ମନିତା ଗୋଟିଏ ସମାଜର ଓ ଗୋଟିଏ ସମୟର ଦୁଇଜଣ ମହିଳା। କିନ୍ତୁ ଦୁଇଜଣଙ୍କ ଜୀବନକାହାଣୀ ଭିନ୍ନ। ଉଭୟଙ୍କ ଜୀବନରେ ରହିଛି ସଂଘର୍ଷ ଏବଂ ସଫଳତା ହାସଲ କରିବାର ସମ୍ଭାବନା। କିନ୍ତୁ ଜଣେ ନିରବୀ ଯାଉଛି, ଆଉ ଜଣେ ନିଜ ସ୍ୱପ୍ନ ଓ ସମ୍ଭାବନାକୁ ପରିବାର ଓ ସମାଜ ମାଧ୍ୟମରେ ସଫଳ କରିବା ପାଇଁ ସୁଯୋଗ ପାଉଛି। ଏହିକଥା ପଛରେ ଏକ ଗୁଢ଼ ରହସ୍ୟ ରହିଛି। ସେହି ରହସ୍ୟ ଯେଉଁ ପରିବାର ବୁଝିପାରିଛି, ସେଠାରେ ଅଛି ସୁଖ, ଶାନ୍ତି, ଆର୍ଥିକ ସ୍ୱଚ୍ଛଳତା ଓ ଏକ ସମ୍ଭାବନାମୟ ଭବିଷ୍ୟତ।

ମଣିଷ ଜୀବନରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ପାଇଁ ଆର୍ଥିକ ସ୍ୱଚ୍ଛଳତା ନିଶ୍ଚିତ ଭାବେ ଏକ ମାପଦଣ୍ଡ। ଆଜିର ଖର୍ଚ୍ଚବହୁଳ ସମାଜରେ ଦୁଇଟି ହାତର ଆୟ ଅପେକ୍ଷା ଚାରୋଟି ହାତର ଆୟ ନିଶ୍ଚିତ ଭାବେ ପରିବାର ପାଇଁ ବଡ଼ ସହାୟକ ହେବ। ନିଜର ଦୈନନ୍ଦିନ ଖର୍ଚ୍ଚ, ପିଲାଙ୍କ ପାଠପଢା ଓ ଭବିଷ୍ୟତ ପାଇଁ ସୁରକ୍ଷା, ଚିକିତ୍ସା ଏବଂ ବନ୍ଧୁବାନ୍ଧବ ଶଙ୍ଖୋଳା ସହିତ ଗାଡ଼ିଘୋଡ଼ା କି ଘର ପାଇଁ ଋଣ କରିଥିଲେ, ତା’ର ନିୟମିତ ପରିଶୋଧ ପାଇଁ ପ୍ରତି ମାସରେ ଲୋଡ଼ା ଟଙ୍କା। ଯଦି ଗୋଟିଏ ପରିବାରରେ ପୁଅ ସହିତ ବୋହୂ ନିଜ ଇଛା ମୁତାବକ ବା ସମ୍ଭାବନା ଅନୁଯାୟୀ କୌଣସି ସରକାରୀ ବା ବେସରକାରୀ ଚାକିରି କରୁଥାଏ ବା ଘରେ ବସି ଆତ୍ମନିଯୁକ୍ତିର କିଛି ରାସ୍ତା ବାହାର କରିପାରେ, ଏଥିରେ ଅସୁବିଧା କ’ଣ?

ଆଜିର ଦିନରେ ଚାକିରି କରିବାକୁ ବୋହୂର ବିଳାସ ବା ସ୍ୱାଧୀନତା ବୋଲି ନଭାବି ଯଦି ଆମେ ଏକ ସମସାମୟିକ ସାମାଜିକ ଧାରା ଏବଂ ପାରିବାରିକ ସ୍ୱଚ୍ଛଳତାର ଏକ ପ୍ରମୁଖ ଅଙ୍ଗ ଭାବେ ଧରିନେବା ଏବଂ ସେହି ଅନୁଯାୟୀ ନିଜ ନିଜର ଆଚରଣ ଓ ଉଚ୍ଚାରଣକୁ ନିୟନ୍ତ୍ରଣ କରିପାରିବା, ତେବେ ଆମକୁ ଏକ ନୂଆ ଦିଗ ମିଳିଯିବ। ପୁଅ ଓ ଝିଅ ଯେମିତି ସମାନ ବୋଲି ଆମେ ଭାବୁ, ବୋହୂ ମଧ୍ୟ ସେହିଭଳି ସମାନ।

ଚାକିରିଆ ବୋହୂ କେବଳ ବାହାର କଥା ନୁହେଁ, ଘର କଥା ଭଲ ବୁଝିପାରିବ। ବିଶେଷକରି ବୟସ୍କ ଶାଶୂ ଓ ଶ୍ୱଶୂରଙ୍କ ପାଇଁ ସେମାନଙ୍କ ନିଜ ଝିଅ ଭଳି ବୋହୂ ବି ହୋ‍ଇପାରିବ ଏକ ବଡ଼ ମାନସିକ ଓ ଆର୍ଥିକ ଆଶାବାଡ଼ି। ଏ କଥାରେ ସନ୍ଦେହ ନକରି ବିଶ୍ୱାସ କରନ୍ତୁ ଓ ଦୁଇହାତରେ ତାଳି ବଜାଇବା ପାଇଁ ଆଜିଠୁଁ ଉଦ୍ୟମ କରନ୍ତୁ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ। ଏହି ଲେଖାରେ ପ୍ରକାଶିତ ମନ୍ତବ୍ୟ ଲେଖକଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିଗତ।)

Comment