ଓଡ଼ିଶାଲାଇଭ୍ ବ୍ୟୁରୋ

ବରିଷ୍ଠ ସାମ୍ବାଦିକ ତଥା ବିଜିନେସ୍‌ ଷ୍ଟାଣ୍ଡର୍ଡର ଓଡ଼ିଶା ବ୍ୟୁରୋ ଚିଫ୍‌ ଦିଲୀପ ଶତପଥୀ ଆଉ ନାହାନ୍ତି। ରବିବାର ବିଳମ୍ବିତ ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ହୋଇଥିଲା।

ବର୍ତ୍ତମାନ ଦିଲୀପ ଶତପଥୀଙ୍କ ମର ଶରୀର ସତ୍ୟ ନଗରସ୍ଥିତ ହୀରା ଆପର୍ଟମେଣ୍ଟରେ ରହିଛି। ଆଜି ଅପରାହ୍‌ଣରେ ସତ୍ୟନଗର ଶ୍ମସାନରେ ଶେଷକୃତ୍ୟ ସମ୍ପନ୍ନ ହେବ।

ରବିବାର ରାତିରେ ସେ ହଠାତ୍‌ ଅସୁସ୍ଥ ହୋଇପଡ଼ିବାରୁ ପରିବାର ଲୋକ ତାଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ।

ଦିଲୀପ ଶତପଥୀ ଓଡ଼ିଶାର ଜଣେ ଜଣାଶୁଣା ସମ୍ବାଦିକ ଥିଲେ। ସେ ଅର୍ଥନୀତି ସାମ୍ବାଦିକତା ବା ଇକୋନୋମିକ୍ସ ଜର୍ଣ୍ଣାଲିଜିମ୍‌କୁ ନିଜ କ୍ୟାରିୟର ହିସାବରେ ବାଛିଥିଲେ। ସେ ଦୀଘର୍ ବର୍ଷ ଧରି ବିଜିନେସ୍‌ ଷ୍ଟାଣ୍ଡର୍ଡର ବିଭିନ୍ନ ପଦପଦବୀରେ ରହି ଓଡ଼ିଶା ମୁଖ୍ୟ ହିସାବରେ ବହୁ ବର୍ଷ ଧରି କାର୍ଯ୍ୟ କରୁଥିଲେ।

ଦିଲୀପ ଶତପଥୀ ଜଣେ ପ୍ରତିଷ୍ଠିତ ସାମ୍ବାଦିକ ଥିଲେ। କେବଳ ଅର୍ଥନୀତି, ଶିଳ୍ପ ଓ ବାଣିଜ୍ୟ ବିଷୟ ନୁହେଁ, ରାଜନୀତିକ ସାମାଜିକ କ୍ଷେତ୍ର, ଶିକ୍ଷା ଓ ଅନ୍ୟାନ୍ୟ ବିଷୟରେ ବି ସେ ଦକ୍ଷ ଥିଲେ। ଗତ କିଛିବର୍ଷ ଧରି ଟିଭି ଡିବେଟ୍‌ରେ ଓ ପ୍ୟାନେଲ୍‌ ଡିସ୍କସନ୍‌ରେ ସେ ଜଡ଼ିତ ଥିଲେ।

ଦିଲୀପ ଶତପଥୀ ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଜଡ଼ିତ ଥିଲେ। (ଦେଖନ୍ତୁ ବାମରୁ ପଞ୍ଚମ)

ଓଡ଼ିଶା ବାହାରେ ରହୁଥିବା ଓଡ଼ିଶା ସଙ୍ଗଠନ ‘ଅସୀମ ଓଡ଼ିଶା’ର ସେ ରାଜ୍ୟ ସଭାପତି ଭାବେ ଗତ କିଛିବର୍ଷ ଧରି ସମ୍ପୃକ୍ତ ଥିଲେ। ଓଡ଼ିଶାର ପରିଚୟ ଏବଂ ସମାଗ୍ରିକ ବିକାଶ କ୍ଷେତ୍ରରେ ହେଉଥିବା ଅଗ୍ରଗତି ଓ ବିଭିନ୍ନ ସମସ୍ୟା ବିଷୟରେ ସଚେତନ ଥିଲେ ଏବଂ ପ୍ରତ୍ୟେକ୍ଷ ଭାବରେ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଉଥିଲେ।

୧୯୬୩ରେ ଜନ୍ମ ଗ୍ରହଣ କରିଥିବା ଦିଲୀପ ଶତପଥୀ କଟକ ରେଭେନ୍ସା କଲେଜ୍‌ରେ ଅଧ୍ୟୟନ କରିଥିଲେ। ଏହାପରେ ସେ ସାମ୍ବାଦିକ ଭାବେ ସନ୍‌ ଟାଇମ୍ସରେ ନିଜ କ୍ୟାରିୟର କରିଥିଲେ। ପରେ ଇଂଲିସ୍ ନ୍ୟୁଜ୍‌ ପେପର ବିଜନେସ୍‌ ଷ୍ଟାଣ୍ଡର୍ଡରେ ଇକୋନୋମିକ୍ସ ଜର୍ଣ୍ଣାଲିଜିମ୍‌ରେ କାର୍ଯ୍ୟରତ ଥିଲେ।

‘‘ସେ କେବଳ ଜଣେ ଦକ୍ଷ ସମ୍ବାଦିକ ନଥିଲେ, ଅତି ଭଦ୍ର ବ୍ୟକ୍ତି ମଧ୍ୟ ଥିଲେ। ଆଜିର ଦିନରେ ଏଭଳି ଅମାୟିକ ଓ ଭଲ ପାଉଥିବା ଲୋକଙ୍କ ସଂଖ୍ୟା ବହୁତ କମ୍‌। ମୁଁ ଇଟିଭିର ସମ୍ପାଦକ ଥିବା ବେଳେ ତାଙ୍କ ସହ ସମ୍ପୃକ୍ତ ହୋଇଥିଲି। ଆମେ ତାଙ୍କୁ ହାଇଦ୍ରାବାଦ୍‌ ଇଟିଭି ଅଫିସକୁ ଡାକିଥିଲୁ। ସେ ବଜେଟ୍‌ ଓ ଅନେକ ଅର୍ଥନୀତିକ କାର୍ଯ୍ୟକ୍ରମରେ ଆମ ସହ ଯୋଡ଼ି ହୋଇଥିଲେ। ପରବର୍ତ୍ତୀ ସମୟରେ ଓଡ଼ିଶାରେ ଇଟିଭି ଷ୍ଟୁଡିଓ ହେବା ପରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ନିୟମିତ ଭାବେ ଆମ ସହ ଯୋଡ଼ି ହୋଇ ରହିଥିଲେ । ଏହାଛଡ଼ା ଅସୀମ ଓଡ଼ିଶା କାର୍ଯ୍ୟକ୍ରମରେ ମୁଁ ତାଙ୍କ ସହ ବ୍ୟକ୍ତିଗତ ଭାବେ ଯୋଡ଼ି ହୋଇଥିଲି। ତାଙ୍କ ମୃତ୍ୟୁ ସମ୍ବାଦିକ ଜଗତ ପାଇଁ ବହୁତ ବଡ଼ କ୍ଷତି’’, କହିଛନ୍ତି ଓଡ଼ିଶାଲାଇଭ୍‌ର ମୁଖ୍ୟ ସମ୍ପାଦକ ନୀଳାମ୍ଵର ରଥ।

Comment