ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱରସ୍ଥିତ ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) କମ୍ୟୁନିକେସନ୍ ସ୍କୁଲର ‘କମେନ୍ସମେଣ୍ଟ ଡେ’ କାର୍ଯ୍ୟକ୍ରମ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଭାଗର ନୂତନ ବର୍ଷର ଏମ୍‌ଏଜେଏମ୍‌ସି ଓ ବିଏଜେଏମ୍‌ସି ଛାତ୍ରଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ୱାଗତ କରାଯାଇଥିଲା।

ଏହି ଅବସରରେ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଡକ୍ଟର ବି କେ ଦାସ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ଗତ ୫ ବର୍ଷ ତଳେ ମାତ୍ର ୧୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିବା ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଭାଗ ଆଜି ବିଶ୍ୱବିଦ୍ୟାଳୟର ଏକ ପ୍ରମୁଖ ଅଙ୍ଗ ହୋଇପାରିଛି ବୋଲି ସେ କହିଥିଲେ। ଓଡ଼ିଶା ଛଡ଼ା ଦେଶର ବିଭିନ୍ନ ପ୍ରାନ୍ତର ଛାତ୍ରଛାତ୍ରୀମାନେ ବିର୍ଲା ଗ୍ଲୋବାଲ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇବାକୁ ଆଗ୍ରହ ପ୍ରକାଶ କରୁଥିବାରୁ ଏହା ଶିକ୍ଷାନୁଷ୍ଠାନ ପାଇଁ ଗୌରବର ବିଷୟ ବୋଲି ସେ ବର୍ଣ୍ଣନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ହିଷ୍ଟ୍ରି ଟିଭି-୧୮ର ସିନିୟର ପ୍ରଡ୍ୟୁସର(ବ୍ରାଣ୍ଡେଡ୍‌ କେଣ୍ଟେଣ୍ଟ) ମୋନିକା ନନ୍ଦା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଜିର ଦିନରେ ମିଡିଆ ପାଠ୍ୟକ୍ରମର ଗୁରୁତ୍ୱ  ସମ୍ପର୍କରେ କହିଥିଲେ। ଗଣମାଧ୍ୟମ ଆଜି ପ୍ରିଣ୍ଟ ବା ଇଲେକ୍ଟ୍ରୋନିକ ମିଡିଆ ଭିତରେ ସୀମିତ ହୋଇ ରହିନାହିଁ। ବିଶେଷକରି ଡିଜିଟାଲ ଏବଂ ସୋସିଆଲ ମିଡିଆର ବ୍ୟାପକ ପ୍ରସାର ସାଙ୍ଗକୁ ଅତ୍ୟାଧୁନିକ ସ୍ମାଟଫୋନ ଏବଂ ଶସ୍ତାରେ ମିଳୁଥିବା ଇଣ୍ଟରନେଟ୍‌ ଆଜି ଗଣମାଧ୍ୟମର ପରିଭାଷା ଓ ପରିସୀମାକୁ ବ୍ୟାପକ କରିଦେଇଛି ବୋଲି ସେ କହିଥିଲେ।

ସେହିପରି ସନ୍‌ମାର୍ଗର ମୁଖ୍ୟ ମହାପ୍ରବନ୍ଧକ ଡକ୍ଟର ଅଶୋକ ପଣ୍ତା ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଭବିଷ୍ୟତରେ ଗଣମାଧ୍ୟମର ଜଣେ ପେସାଦାର ଭାବରେ କାମ କଲାବେଳେ ବିଭିନ୍ନ ଘଟଣାକୁ ସ୍ୱତନ୍ତ୍ର ନଜରରେ ଦେଖିବାକୁ ହେବ। ସାଧାରଣ ଦିଶୁଥିବା ଘଟଣା ଭିତରେ ଅସାଧାରଣ ଦିଗ ଖୋଜି ବାହାର କରିବା ହିଁ ସାମ୍ବାଦିକତା ବୋଲି ସେ କହିଥିଲେ। ଏଥିପାଇଁ ଛାତ୍ର ଜୀବନରୁ ନିଜକୁ ପ୍ରସ୍ତୁତ କରିବାକୁ ସେ ଗଣମାଧ୍ୟମ ବିଭାଗର ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

ମୁଖ୍ୟବକ୍ତା ଭାବେ ଯୋଗଦେଇ ଓଡ଼ିଶାଲାଇଭ୍‌ର ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ କହିଥିଲେ, “ବର୍ତ୍ତମାନ ଡିଜିଟାଲ ମିଡିଆର ଯୁଗ। ତେଣୁ ଜଣେ ସାମ୍ବାଦିକଙ୍କୁ ସଫଳ ହେବା ପାଇଁ କଣ୍ଟେଣ୍ଟ ବା ବିଷୟ ସହିତ ମିଡିଆ ଟେକ୍ନୋଲୋଜି ମଧ୍ୟ ବୁଝିବାକୁ ପଡ଼ିବ। ତେଣୁ ମିଡିଆର ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତ ପାଇଁ କ୍ୟାମ୍ପସରୁ ହିଁ ପ୍ରସ୍ତୁତ ହେବାକୁ ପଡ଼ିବ।”

ସାମ୍ବାଦିକତାର ମୂଳମନ୍ତ୍ର ମଧ୍ୟରେ ରହିଛି ସତ୍ୟକୁ ଖୋଜିବା, ନିର୍ଭିକତା ପ୍ରଦର୍ଶନ କରିବା ଏବଂ ଜଣେ ପେସାଦାର ଭାବେ ପ୍ରତିବଦ୍ଧତା ପ୍ରଦର୍ଶନ କରିବା। ଏହି ମୂଳ ଆଦର୍ଶ ସହିତ ଆଜିର ଡିଜିଟାଲ ଓ ମୋବାଇଲ ମଡିଆ ଯୁଗ ପାଇଁ ଆବଶ୍ୟକ ଦକ୍ଷତା ଏବଂ ଜ୍ଞାନକୌଶଳ ହାସଲ କରିବାକୁ ଛାତ୍ରଛାତୀମାନଙ୍କୁ ନୀଳାମ୍ବର ରଥ ଆହ୍ୱାନ ଦେଇଥିଲେ।

ନିଜର ସାମ୍ବାଦିକ ଜୀବନର ଅନୂଭୁତିକୁ ସଂକ୍ଷେପରେ ବର୍ଣ୍ଣନା କରିବା ଅବସରରେ ନୀଳାମ୍ବର ରଥ ଛାତ୍ରଛାତୀମାନଙ୍କୁ ‘ପାସ୍‌'(PASS) ଫର୍ମୁଲା କଥା କହିଥିଲେ। ତାହା ହେଉଛି : ଆଗ୍ରହ (Passion), ଦକ୍ଷତା(Ability), ସଫଳତା(Success) ଏବଂ ଅତ୍ମସନ୍ତୋଷ(Satisfaction)। ମନରେ ଥିବା ଆଗ୍ରହ ସହ ଜଣେ ବ୍ୟକ୍ତି ନିଜର ଦକ୍ଷତାକୁ ସୃଷ୍ଟି କରିପାରିଲେ ଜୀବନରେ ସଫଳତା ମିଳିବା ସହଜ ହୋଇଥାଏ। ଆଉ ଯଦି ସେ କରୁଥିବା କାର୍ଯ୍ୟ ତାକୁ ନିରନ୍ତର ଭାବେ ଆତ୍ମସନ୍ତୋଷ ଦେଉଥାଏ, ତେବେ ତାହା ଜଣେ ବ୍ୟକ୍ତିର ଜୀବନକୁ ପରିପୂର୍ଣ୍ଣ କରିଥାଏ। ଏହି ‘ପାସ୍‌’ ମନ୍ତ୍ରକୁ ନିଜ ଢଙ୍ଗରେ ବୁଝି କାମରେ ଲଗାଇବାକୁ ସେ ଭବିଷ୍ୟତର ଗଣମାଧ୍ୟମ ପ୍ରଫେସନାଲମାନଙ୍କୁ ପରାମର୍ଶ ଦେଇଥିଲେ।

ବିର୍ଲା ଗ୍ଲୋବାଲ ୟୁନିଭରସିଟିରେ କମ୍ୟୁନିକେସନ୍ ବିଭାଗର ନୂତନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯିବା ଲାଗି ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭାଗର ଉପର ଶ୍ରେଣୀର ଛାତ୍ରଛାତୀ, ଅଧ୍ୟାପକ ଏବଂ ଅବିଭାବକମାନେ  ଉପସ୍ଥିତ ଥିଲେ।

ସ୍କୁଲ ଅଫ କମ୍ୟୁନିକେସନ୍‌ର ବିଭାଗୀୟ ମୁଖ୍ୟ ପ୍ରଫେସର ଶିବଶଙ୍କର ଦାସ କାର୍ଯ୍ୟକ୍ରମ ଆରମ୍ଭରେ ଅତିଥି ଓ ଛାତ୍ରଛାତ୍ରମାନଙ୍କୁ ସ୍ୱାଗତ କରିଥିଲେ। ଗଣମାଧ୍ୟମର ବିଭିନ୍ନ ବିଭାଗରେ ଆଜି ଯେଉଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃ୍ଟେି ହୋଇଛି, ସେଥିପାଇଁ ଛତ୍ରଛାତ୍ରୀମାନଙ୍କୁ ପ୍ରସ୍ତୁତ ହେବାକୁ ସେ ଆହ୍ୱାନ ଦେଇଥିଲେ।

କାର୍ଯ୍ୟକ୍ରମ ଶେଷରେ ବିଭାଗର ଅଧ୍ୟାପିକା ପ୍ରଫେସର ତୂଳିକା ଧନ୍ୟବାଦ ଅର୍ପଣ କରିଥିଲେ।

Comment