ଓଡ଼ିଶାଲାଇଭ୍ ବ୍ୟୁରୋ

ଅର୍ଥନୈତିକ ବିକାଶ ଉପରେ ବିଜିୟୁର ବିର୍ଲା ଗ୍ଲୋବାଲ ସ୍କୁଲ୍  ଅଫ୍ ସୋସିଆଲ୍ ସାଇନ୍ସ ଆଣ୍ଡ୍ ହ୍ୟୁମାନିଟିଜ୍ ପକ୍ଷରୁ ଏକ ଦୁଇ ଦିନିଆ ସେମିନାର ଆୟୋଜିତ ହୋଇଯାଇଛି।

ଜାନୁଆରି ୯ ଏବଂ ୧୦ ତାରିଖ ଦୁଇଦିନ ଧରି ଏହି ସେମିନାର ବିର୍ଲା ଗ୍ଲୋବାଲ୍ ବିଶ୍ୱବିଦ୍ୟାଳୟ(ବିଜିୟୁ)ର ଗୋଠପାଟଣା କ୍ୟାମ୍ପସରେ ଆୟୋଜିତ ହୋଇଥିଲା। ଏଥିରେ ‘ଅର୍ଥନୈତିକ ବିକାଶ- ଯୁକ୍ତିଯୁକ୍ତତା ଓ ଜନହିତକାରୀ’ ବିଷୟ ଉପରେ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲଚରଲାଲ୍ ଇକୋନୋମିକ୍ସ ଆଣ୍ଡ ପଲିସି ରିସର୍ଚ୍ଚର ପ୍ରଫେସର ଡକ୍ଟର ପ୍ରତାପ ସିଂହ ବିର୍ଥଲ ମୁଖ୍ୟ ଅତିଥ ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସେ ବର୍ତ୍ତମାନ ପରିସ୍ଥିତିରେ ଦେଶର ଅର୍ଥନୈତିକ ବିକାଶ ବିଷୟରେ ଆଲୋଚନା କରିଥିଲେ। ତାଙ୍କ ସହିତ ଗୁଜୁରାଟର ଏନ୍ ଏସ୍ ପଟେଲ ଆର୍ଟ୍ସ କଲେଜର ଅଧ୍ୟକ୍ଷ ଡକ୍ଟର ମୋହନ ପଟେଲ ଓ ଉତ୍ତରପ୍ରଦେଶର ସେଣ୍ଟ୍ ଜନ୍ କଲେଜର ଅର୍ଥନୀତି ବିଭାଗର ପ୍ରଫେସର ଡକ୍ଟର ଆଲୋକ କୁମାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହି ବିଷୟ ଉପରେ ଆଲୋଚନା କରିଥିଲେ।

ଏଥିସହିତ ଏହି ସେମିନାରରେ ନର୍ଥ-ଇଷ୍ଟ ହିଲ୍ ୟୁନିଭରସିଟିର ଅର୍ଥନୀତି ପ୍ରଫେସର ବିଶ୍ୱମ୍ବର ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ଏହି ଅବସରରେ ସମସ୍ତ ଅତିଥି ଅର୍ଥନୀତି ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ସୁଧାକର ପଣ୍ଡା ସେମିନାର ଉପରେ ଏକ ପୁସ୍ତକକୁ ଉନ୍ମୋଚନ କରିବା ସହ ଏହି ସେମିନାରର ପ୍ରଥମ ଉଦଘାଟନୀ ସମାରୋହ ଶେଷ ହୋଇଥିଲା।

ଏହାପରେ ସେମିନାରରେ ଏକ ପ୍ୟାନେଲ୍ ଆଲୋଚନା ହୋଇଥିଲା। ଏଥିରେ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡକ୍ଟର ସୁଧାଂଶୁ ଶେଖର ରଥ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ଅର୍ଥନୀତି ପ୍ରଫେସର ଜଗନ୍ନାଥ ଲେଙ୍କା, ଉତ୍କଳ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ମିତାଲି ଚିନାରା ପ୍ରମୁଖ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ସହ ଆଇଆଇଟି ହାଇଦ୍ରାବାଦର ପ୍ରଫେସର ବଦ୍ରି ନାରାୟଣ ରଥ, ଏନ୍ଆଇଟି ରାଉରକେଲାର ଆସୋସିଏଟ୍ ପ୍ରଫେସର ନାରାୟଣ ସେଠୀ ଓ ଲକ୍ଷ୍ନୌରୁ ଆସିଥିବା ପ୍ରଫେସର ଭୁପେନ୍ଦ୍ର ବାହାଦୂର ତିୱାରୀ ମଧ୍ୟ ଯୋଗଦେଇଥିଲେ। ଅତିଥିମାନେ ଏହି ଆଲୋଚନାରେ ଦେଶର ଅର୍ଥନୈତିକ ବିକାଶ ଉପରେ ଅନେକ ଆଲୋଚନା କରିଥିଲେ।

ଶେଷରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡକ୍ଟର ସୁଧାଂଶୁ ଶେଖର ରଥ ଓ ସିଣ୍ଡିକେଟ୍ ବ୍ୟାଙ୍କର ଓଡ଼ିଶା ଶାଖାର ଜେନେରାଲ୍ ମ୍ୟାନେଜର ବିଶ୍ୱନାଥ ଦାସ ଶେଷରେ ଅର୍ଥନୈତିକ ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ। ଏହାପରେ ବିର୍ଲା ସ୍କୁଲ ଅଫ୍ ସୋସିଆଲ୍ ସାଇନ୍ସ ଆଣ୍ଡ୍ ହ୍ୟୁମାନିଟିଜର ଆସୋସିଏଟ୍ ପ୍ରଫେସର ଡକ୍ଟର ସେବା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here