ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ମହାମାରୀ ଭଳି ବିପତ୍ତି ସମୟରେ ଗରିବଙ୍କୁ ସହାୟତା ପାଇଁ ପ୍ରଯୁକ୍ତିବିଦ୍ୟା ଓ ପରିଚାଳନା ସମ୍ପର୍କିତ ଓ୍ୱେବିନାର ଆୟୋଜନ କରିଛି ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି। ଏହାର କୁଳପତି ପ୍ରଫେସର ଡକ୍ଟର ପ୍ରେମେନ୍ଦୁ ପି. ମାଥୁର ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ ଗରିବଙ୍କୁ ସହାୟତା ପାଇଁ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ଉପରେ ଏହି ପରିସ୍ଥିତି ନିଶ୍ଚୟ କିଛି ନୂଆ ଦୃଷ୍ଟି ଦେବ। ମହାମାରୀ ବିଭିନ୍ନ ଲୋକଙ୍କୁ ବିଭିନ୍ନ ପ୍ରକାର ଶିକ୍ଷା ଦେଇଛି। ଏହି ସମୟରେ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ହିଁ ଶିକ୍ଷା, ସ୍ୱାସ୍ଥ୍ୟସେବା, ଘରୁ ଅଫିସ୍ କାମ, ଏବଂ ଗରିବ ଲୋକଙ୍କୁ ଯୋଡ଼ିଛି।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ତଥା ଷ୍ଟ୍ରାଟେଜିକ ଏଚ୍ଆର୍‌ ଗ୍ରୁପ୍ ପ୍ରେସିଡେଣ୍ଟ ବିଜୟ ସାହୁ କହିଥିଲେ ଯେ ଭାରତର ଅଭିବୃଦ୍ଧି ପାଇଁ ଅର୍ଥବ୍ୟବସ୍ଥାରେ ଭାବନାର ଲାଭ ଉଠାଇବା ଓ ସ୍ଥିତାବସ୍ଥା ପାଇଁ ଆତ୍ମନିର୍ଭର ଭାରତର ଆବଶକ୍ୟତାରେ ପ୍ରଯୁକ୍ତିବିଦ୍ୟା ଓ ପରିଚାଳନାର ଗୁରୁତ୍ୱ ଅଧିକ ରହିଛି। ଏହି ଅବସରରେ ସେ କାର୍ଯ୍ୟ ନୀତି ପାଇଁ ଉତ୍ତର କୋରିଆ ଓ ଦ୍ୱୈତ ଶିକ୍ଷା ପ୍ରଣାଳୀ ପାଇଁ ଜର୍ମାନୀର ଉଦାହରଣ ଦେଇଥିଲେ। ଭାରତରେ ଏହି ଶିକ୍ଷା ପ୍ରଣାଳୀ କାର୍ଯ୍ୟକାରୀ କରିବାର ଆବଶ୍ୟକତା ସମ୍ପର୍କରେ ବିଶଦ୍ ବର୍ଣ୍ଣନା କରି ସେ କହିଥିଲେ, ଜର୍ମାନୀର ଜଣେ ଛାତ୍ର ଶିକ୍ଷା ସାରିବା ପରେ ଯାହା ବି କିଛି କରନ୍ତି, ସେଥିରେ ସେମାନେ କୁଶଳୀ ହୁଅନ୍ତି। କାରଣ ସେମାନେ କେବଳ ପଢୁଛି ଭିତରେ ସୀମିତ ନ ରହି କାମ ସହ କିପରି ଅଧିକ ପଢ଼ିପାରିବି, ତାହା ଉପରେ ଜୋର୍ ଦିଅନ୍ତି। ସାହୁ ଆଜିର ଯୁବପିଢ଼ିଙ୍କୁ ଆହ୍ୱାନ ଦେଇ କହିଥିଲେ ଯେ ସେମାନେ ଯାହା କରୁଛନ୍ତି, ନିଷ୍ଠା ଓ ଧୈର୍ଯ୍ୟର ସହ କରନ୍ତୁ। ନିଯୁକ୍ତି ସୂଚନା ପ୍ରଦାନକାରୀ ଆପ୍ ‘ମୋ ସହାୟ’ ପଛରେ ଥିବା ପରିକଳ୍ପନା ସମ୍ପର୍କରେ ସେ କହିଥିଲେ ଯେ କିପରି ସେ ଓ ତାଙ୍କ ଟିମ୍ ପ୍ରବାସୀମାନଙ୍କୁ ନିଜ ସ୍ଥାନକୁ ଫେରିବା ସହ ନିଯୁକ୍ତି ଖୋଜିବାରେ ସାହାଯ୍ୟ କରୁଛନ୍ତି।

ବିର୍ଲା ଗ୍ଲୋବାଲ ୟୁନିଭର୍ସିଟିର ରେଜିଷ୍ଟ୍ରାର ପ୍ରଫେସର ବି.କେ. ଦାସ ଧନ୍ୟବାଦ ଅର୍ପଣ କରି କହିଥିଲେ ଯେ ଶ୍ରୀଯୁକ୍ତ ସାହୁ ନିଜ କାର୍ଯ୍ୟ ଦ୍ୱାରା ସମାଜକୁ ମହତ୍ ସେବା ଯୋଗାଉଛନ୍ତି। ନିଜ କାମ ଦ୍ୱାରା ସେ ଓଡ଼ିଶାକୁ ଗୌରବାନ୍ୱିତ ମଧ୍ୟ କରିଛନ୍ତି। ବିର୍ଲା ଗ୍ଲୋବାଲ ୟୁନିଭର୍ସିଟିର ବିର୍ଲା ସ୍କୁଲ ଅଫ୍ ମ୍ୟାନେଜମେଣ୍ଟର ଡକ୍ଟର ଅର୍ଚ୍ଚନା ଚୌଧୁରୀଙ୍କ ଆବାହନରେ ଏହି ଓ୍ୱେବିନାର ହୋଇଥିଲା।

Comment