ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନାର ପ୍ରଥମ ଲହର ପରେ ଦ୍ଵିତୀୟ ଲହର ସଂକ୍ରମଣ ଥମିବାରେ ଲାଗିଲାଣି କିନ୍ତୁ ଏବେବି କୋରାପୁଟ ଜିଲ୍ଲାର ଅନେକ ଅଞ୍ଚଳରେ ପଶିପାରିନି ଅଦୃଶ୍ୟ କରୋନା ଭୂତାଣୁ। ଗାଁର କୌଣସି ବି ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇନାହାଁନ୍ତି। ଉକ୍ତ ଗାଁରେ ଭିନ୍ନ ଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ହେଉଥିବା ରୋଗୀ ଦେଖିବାକୁ ମିଳିଥିଲେ ସୁଦ୍ଧା ଏଯାଏଁ କରୋନା ରୋଗୀ ଚିହ୍ନଟ ହୋଇନଥିବା ବିଷୟ ଜିଲ୍ଲାବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି।

ଆଦିବାସୀ ବହୁଳ କୋରାପୁଟ ଜିଲ୍ଲାର ପାହାଡ଼ ଅଞ୍ଚଳରେ ଥିବା ଏକ ଗାଁ ହେଉଛି ଖେମୁଣ୍ଡୁ ଗୁଡ଼ା। ସେହି ଗାଁରେ ଆଦିବାସୀ ସମ୍ପ୍ରଦାୟର ଲୋକ ବସବାସ କରନ୍ତି। ପ୍ରାୟତଃ ସେମାନେ ଚାଷ କାର୍ଯ୍ୟ ଉପରେ ନିର୍ଭର କରି ନିଜର ଜୀବିକା ପ୍ରତିପୋଷଣ କରିଥାନ୍ତି। ସବୁଦିନ ସକାଳୁ ଉଠି କ୍ଷେତକୁ ଯାଆନ୍ତି ଏବଂ ସନ୍ଧ୍ୟା ସମୟରେ ଘରକୁ ଫେରନ୍ତି। ସେମାନଙ୍କର ଏହି ନୀତିଦିନିଆ କାମ ଭିତରେ କରୋନା କ’ଣ, କରୋନା ଭୂତାଣୁ ଦ୍ଵାରା କ’ଣ ହେଉଛି, କରୋନାକୁ ନେଇ ସମଗ୍ର ବିଶ୍ଵ ଓ ରାଜ୍ୟ କେତେ ପ୍ରଭାବିତ ତାହା ଜାଣିନାହାଁନ୍ତି।ସେହି ଗାଁର ଲୋକମାନଙ୍କୁ ପଚାରିଲେ କୁହନ୍ତି, “ଆମେ କରୋନା କ’ଣ ଜାଣିନାହୁଁ। ସମସ୍ତେ କହୁଛନ୍ତି ଦୁଇ ବର୍ଷ ହେଲା ଏହି ରୋଗ ଆସିଛି। ହେଲେ ଆମ ଗାଁର କୌଣସି ବି ଲୋକଙ୍କୁ କରୋନା ହୋଇନାହିଁ। ସରକାରଙ୍କ ତରଫରୁ ଗାଁରେ ଦୁଇ ଦୁଇଥର କରୋନା ପରୀକ୍ଷା କରାଯାଇଥଲେ ମଧ୍ୟ କାହାର ବି ରିପୋର୍ଟ ପଜିଟିଭ୍ ଆସିନାହିଁ। ଯେଉଁମାନେ ବାହାର ରାଜ୍ୟରେ ରହି କାମ କରୁଛନ୍ତି, ସେମାନଙ୍କୁ ଏହି ସମୟରେ ଗାଁକୁ ଆସିବାକୁ ବାରଣ କରାଯାଇଛି। ଯଦି କେହି ଆସୁଛନ୍ତି, ତେବେ ସେମାନଙ୍କୁ ଗାଁଠାରୁ ଦୂରରେ ଥିବା ଟିଏମସି କେନ୍ଦ୍ରରେ ରଖାଯାଉଛି। କରୋନା ରିପୋର୍ଟ ନେଗେଟିଭ୍ ଆସିଲାପରେ ଗାଁରେ ଭର୍ତ୍ତି କରାଯାଉଛି।”କରୋନା କାଳରେ ଖେମୁଣ୍ଡୁ ଗୁଡ଼ା ଗାଁ ଏବଂ ତା’ର ଆଖପାଖ ପ୍ରାୟ ୧୪ଟି ଗାଁରେ ଆଶା, ଅଙ୍ଗନବାଡ଼ି, ୱାର୍ଡମେମ୍ବର ଓ ସ୍ଵାସ୍ଥ୍ୟକର୍ମୀମାନେ ଗୁରୁଦାୟିତ୍ଵ ନେଇଛନ୍ତି। କରୋନାର ଡର ନଥିଲେ ମଧ୍ୟ ଏମାନେ ଘର ଘର ବୁଲି ସଚେତନ କରିବା ବନ୍ଦ କରିନାହାଁନ୍ତି। ପ୍ରଥମ ଲହର ସମୟରେ ଯେଭଳି ସଚେତନ କରୁଥିଲେ, ଦ୍ଵିତୀୟ ଲହର ସମୟରେ ମଧ୍ୟ ସେଭଳି ସଚେତନ କରାଉଛନ୍ତି। ସମସ୍ତଙ୍କୁ ପରିଷ୍କାର ରହିବାକୁ କହିବା ସହ, ବାରମ୍ବାର ସାବୁନରେ ହାତ ଧୋଇବାକୁ କହୁଛନ୍ତି, ଜରୁରୀ ନଥିଲେ ନିଜ ଅଞ୍ଚଳରୁ ବାହାରକୁ ଯିବାକୁ ମନା କରୁଛନ୍ତି ଏବଂ କୌଣସି ବି କରୋନା ଜନିତ ଲକ୍ଷଣ ଦେଖାଗଲେ ପରୀକ୍ଷା କରିବା ପାଇଁ କହୁଛନ୍ତି। ଗର୍ଭବତୀ ମହିଳାମାନଙ୍କର ଉପଯୁକ୍ତ ଯତ୍ନ ନେବା ସହ ସେମାନଙ୍କୁ ସଠିକ୍ ସମୟରେ ଔଷଧ ଖାଇବାକୁ ଦେଉଛନ୍ତି। କରୋନା ଯୋଦ୍ଧାମାନଙ୍କର ଏଭଳି ସଚେତନ ମୂଳକ କାର୍ଯ୍ୟ ପାଇଁ ବୋଧହୁଏ ଅଞ୍ଚଳରେ କରୋନା ଭୂତାଣୁ ପ୍ରବେଶ କରିପାରିନାହିଁ ବୋଲି ଜିଲ୍ଲାରେ ଚର୍ଚ୍ଚା ହେଉଛି। ଅନ୍ୟପଟେ ଏବେ ରାଜ୍ୟରେ ଟିକାକରଣ ପ୍ରକ୍ରିୟା ଜାରି ରହିଛି। କରୋନା ମହାମାରୀ ସହ ଲଢ଼ିବା ପାଇଁ ସମଗ୍ର ଦେଶରେ ଟିକାକୁ ମୁଖ୍ୟ ଅସ୍ତ୍ର ଭାବରେ ବ୍ୟବହାର କରାଯାଉଛି। ଏଭଳି ପରିସ୍ଥିତିରେ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଟିକା ନେବାକୁ ଡରୁଥିବାବେଳେ, ସ୍ଵାସ୍ଥ୍ୟକର୍ମୀମାନଙ୍କ ବୁଝାସୁଝା ପରେ ଏବେ ଗାଁମାନଙ୍କରେ ବରିଷ୍ଠ ନାଗରିକମାନଙ୍କୁ ଟିକା ଦିଆଯାଉଛି। ଖୁବ୍ ଶୀଘ୍ର ଅନ୍ୟମାନଙ୍କୁ ଟିକାକରଣ କରାଯିବ ବୋଲି ସୂଚନା ମିଳିଛି।

Comment