ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶ ଦୁନିଆ ସମ୍ପର୍କରେ ଧାରଣା ଦେଇ ଛାତ୍ରଛାତ୍ରୀଙ୍କ ଜ୍ଞାନର ପରିସୀମା ବ୍ୟାପକ କରିବା ପାଇଁ ରାଜ୍ୟ ସରକାରଙ୍କ ମୋ କଲେଜ ଅଭିଯାନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି କ୍ରମରେ ଶୁକ୍ରବାର ଦିନ  ‘ଶ୍ରୀଲଙ୍କା ସଙ୍କଟ: ଘରୋଇ ତିକ୍ତତା ମଧ୍ୟରେ ବୈଦେଶିକ ନୀତି’ ପ୍ରସଙ୍ଗ ଉପରେ ଏକ ଓ୍ୱେବିନାର ଆୟୋଜିତ ହୋଇଯାଇଛି। ‘ଦ ଇଣ୍ଟେଲେକ୍ଟସ୍’ ସହାୟତାରେ ଆୟୋଜିତ ଏହି ଓ୍ୱେବିନାରରେ ରାଜ୍ୟବ୍ୟାପୀ ବିଭିନ୍ନ କଲେଜର ୧ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ସହ ଅଧ୍ୟକ୍ଷ ଓ ଅଧ୍ୟାପକ, ଅଧ୍ୟପିକାମାନେ ଯୋଡ଼ି ହୋଇଥିଲେ।

ମୋ କଲେଜ ଅଭିଯାନ ପରିଚାଳନା ସଙ୍ଗଠନର ଅଧ୍ୟକ୍ଷ ଆକାଶ ଦାସ ନାୟକ ଏହି ଆଲୋଚନା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଚିନ୍ତାମଣି ମହାପାତ୍ର, ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ପୂର୍ବତନ ସଚିବ ତଥା ଆର୍ଜେଣ୍ଟିନାର ପୂର୍ବତନ ଭାରତୀୟ ରାଷ୍ଟ୍ରଦୂତ ଅମରେନ୍ଦ୍ର ଖଟୁଆ ଯୋଗ ଦେଇଥିଲେ।

‘‘କଲେଜରେ ପଢ଼ିବା ସମୟରେ ଦେଶ ଦୁନିଆରେ ଘଟୁଥିବା ବିଭିନ୍ନ ଘଟଣା ସମ୍ପର୍କରେ ଧାରଣା ରଖିବା ଜରୁରୀ। ଏହା ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ଜ୍ଞାନ ବଢ଼ାଇବା ସହ ସେମାନଙ୍କ ବ୍ୟକ୍ତିତ୍ୱର ବିକାଶ କରିଥାଏ।  ବର୍ତ୍ତମାନ ୠଷ-ୟୁକ୍ରେନ ଯୁଦ୍ଧ, ଆମେରିକାର ଅର୍ଥନୈତିକ ସଙ୍କଟ ଏବଂ ଶ୍ରୀଲଙ୍କାରେ ଚାଲିଥିବା ଅର୍ଥନୈତିକ ସଙ୍କଟ, ଏସବୁ ଘଟଣାର ପ୍ରଭାବ ଆମ ଦେଶ ଭାରତ ଉପରେ ପଡ଼ୁଛି। ତେଣୁ ବିଭିନ୍ନ ଦେଶ ସହ ଭାରତର ବୈଦେଶିକ ନୀତି ବିଷୟରେ ଛାତ୍ରଛାତ୍ରୀଙ୍କ ଧାରଣ ରହିବା ଦରକାର। ତେଣୁ ଏଭଳି ଆଲୋଚନା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଅନ୍ତର୍ଜାତୀୟ ଘଟଣା ସମ୍ପର୍କରେ ଅବଗତ କରାଇବା ପାଇଁ ମୋ କଲେଜ ପକ୍ଷରୁ ଉଦ୍ୟମ କରାଯାଉଛି’’, କହିଛନ୍ତି ଆକାଶ ଦାସନାୟକ।

ପ୍ରଫେସର ଚିନ୍ତାମଣି ମହାପାତ୍ର ଶ୍ରୀଲଙ୍କାରେ ଚାଲିଥିବା ଅର୍ଥନୈତିକ ସଙ୍କଟର ଭୟାବହତା, କୋଭିଡ ମହାମାରୀର ପ୍ରଭାବ, ଶ୍ରୀଲଙ୍କାରେ ଆର୍ଥନୈତିକ ସଙ୍କଟରେ ବଂଶବାଦ ରାଜନୀତି, ପଡ଼ୋଶୀ ରାଷ୍ଟ୍ର ଭାବେ ଭାରତର ସହାୟତା ସମ୍ପର୍କରେ ଏହି ଓ୍ୱେବିନାରରେବିଶେଷ ଆଲୋଚନା କରିଥିଲେ।

ସେହିପରି ଅମରେନ୍ଦ୍ର ଖଟୁଆ ଶ୍ରୀଲଙ୍କା ଆର୍ଥିକ ସଙ୍କଟ ପଛର ବିଭିନ୍ନ କାରଣ, ଭାରତର ଭୂମିକା ଓ ବୈଦେଶିକ ନୀତି ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ବିସ୍ତୃତ ଧାରଣା ଦେଇଥିଲେ।

‘ଦ ଇଣ୍ଟେଲେକ୍ଟସ୍’ର ଚେୟାରମ୍ୟାନ ଦେବେନ୍ଦ୍ର ନାଥ ରାଉତ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ ‘‘ବିଭିନ୍ନ ସମସାମୟିକ ବିଷୟ ଉପରେ ଆଲୋଚନା ପାଇଁ ସାରା ରାଜ୍ୟରୁ ଛାତ୍ରଛାତ୍ରୀମାନଙ୍କୁ ଏକାଠି କରିବା ହେଉଛି ଏହି ଓ୍ୱେବିନାରର ଉଦ୍ଦେଶ୍ୟ। ଏହା ସେମାନଙ୍କ ବୌଦ୍ଧିକ ବିକାଶରେ ସହାୟକ ହେବ।’’

ଏହି ଓ୍ୱେବିନାରରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ହୋଇଥିଲା। ଅତିଥିମାନଙ୍କୁ ଛାତ୍ରଛାତ୍ରୀମାନେ ଶ୍ରୀଲଙ୍କାର ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ।  ଅତିଥିମାନେ ଅତି ସୁନ୍ଦର ଭାବେ ସେମାନଙ୍କୁ ଉତ୍ତର ଦେଇଥିଲେ। ଶେଷରେ ‘ମୋ କଲେଜ’ ଅଭିଯାନର ରାଜ୍ୟ ସଂଯୋଜକ ପ୍ରଫେସର ହୃଷିକେଶ ମହାନ୍ତି ଧନ୍ୟବାଦ ଦେଇଥିଲେ।

Tags: #MoCollegeAbhijan #Webinar #SriLankaFinancialCrisis

Comment