ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ ସରକାରଙ୍କ ‘ମୋ କଲେଜ’ ଅଭିଯାନ ଅଧୀନରେ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ଭିତ୍ତିଭୂମିର ବିକାଶ ଲାଗି ୧ ଲକ୍ଷ ଟଙ୍କା ଦାନ କରିଛନ୍ତି ଅଧ୍ୟାପିକା ଡକ୍ଟର ସ୍ନେହଲତା ଦାସ। ଏହାକୁ ସେ ନିଜ ପ୍ରିୟ ଗୁରୁ ପ୍ରଫେସର ରାଧାକାନ୍ତ ମିଶ୍ରଙ୍କ ସ୍ମୃତିରେ ଗୁରୁ ଦକ୍ଷିଣା ବୋଲି କହିଛନ୍ତି। ଏହି ଅର୍ଥରାଶିରେ ରାଜ୍ୟ ସରକାରଙ୍କ ଦୁଇଗୁଣା ଅନୁଦାନ ମିଶାଇ ରମାଦେବୀ ବିଶ୍ୱବିଦ୍ୟାଳୟର ହିନ୍ଦୀ ବିଭାଗ ପାଇଁ ଏକ ସ୍ମାର୍ଟ ଶ୍ରେଣୀଗୃହ ନିର୍ମାଣ କରାଯିବ।

ଯେଉଁ ଅନୁଷ୍ଠାନ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପ୍ରଦାନ କରି ସେମାନଙ୍କ ଭବିଷ୍ୟତ ଗଢ଼ି ତୋଳିଛି, ସେହି ଅନୁଷ୍ଠାନ ପ୍ରତି ନିଜର ଅବଦାନ ଦେବା ଏକ ସୌଭାଗ୍ୟର କଥା। ପୁରାତନ ଛାତ୍ରଛାତ୍ରୀମାନଙ୍କୁ ପୁଣିଥରେ ନିଜ ପ୍ରିୟ କଲେଜ ଓ ବିଶ୍ଵବିଦ୍ୟାଳୟ ସହ ଯୋଡ଼ି ରାଜ୍ୟର ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକର ସାମଗ୍ରିକ ବିକାଶରେ ସେମାନଙ୍କୁ ସହଭାଗୀ କରାଇବା ଲାଗି ଏକ ଅଭିନବ ପ୍ଲାଟଫର୍ମ ହେଉଛି ‘ମୋ କଲେଜ’ ଅଭିଯାନ।

ଏହି ଅଭିଯାନ ସହ ଯୋଡ଼ି ହୋଇଛନ୍ତି ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ହିନ୍ଦୀ ସ୍ନାତ୍ତକୋତର ବିଭାଗର ମୁଖ୍ୟ ତଥା ‘ମୋ କଲେଜ’ ଅଭିଯାନର ସଂଯୋଜକ ଡକ୍ଟର ସ୍ନେହଲତା ଦାସ। ତାଙ୍କର ଗୁରୁ ହେଉଛନ୍ତି ସ୍ଵର୍ଗତ ପ୍ରଫେସର ଡକ୍ଟର ରାଧାକାନ୍ତ ମିଶ୍ର। ତାଙ୍କରି ସ୍ମୃତିରେ ‘ମୋ କଲେଜ’ ଅଭିଯାନକୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।

“ଜଣେ ବିଦ୍ୟାର୍ଥୀର ସଫଳତା ପଛରେ ତା’ର ଶିକ୍ଷକର ମାର୍ଗଦର୍ଶନ ଗୁରୁତ୍ଵପୂର୍ଣ୍ଣ ଭୂମିକା ନେଇଥାଏ। ରମାଦେବୀ ବିଶ୍ୱବିଦ୍ୟାଳୟରେ ପାଠ ପଢୁଥିବା ସମୟରେ ପ୍ରଫେସର ରାଧାକାନ୍ତ ମିଶ୍ର ମୋତେ ଉପଯୁକ୍ତ ଶିକ୍ଷା ଗ୍ରହଣ ଲାଗି ସବୁ ପ୍ରକାର ସହଯୋଗ ଦେଇଥିଲେ ଏବଂ ଜଣେ ଅଭିଭାବକ ପରି ମୋତେ ବାଟ ଦେଖାଇଥିଲେ। ଡକ୍ଟରେଟ୍ ଉପାଧି ପାଇବାଠାରୁ ଆରମ୍ଭ କରି ନିଜର ପ୍ରଥମ ପୁସ୍ତକ ଲେଖିବା ପର୍ଯ୍ୟନ୍ତ, ସବୁବେଳେ ସେ ମୋତେ ମାର୍ଗଦର୍ଶନ କରାଇ ଆସିଛନ୍ତି। ଜୀବନରେ କିଛି ବଡ଼ କରିବାର ପ୍ରେରଣା ସେ ମୋତେ ଦେଇଥିଲେ। ‘ମୋ କଲେଜ’କୁ ମୋର ଏହି ଆର୍ଥିକ ଅନୁଦାନ ତାଙ୍କ ପ୍ରତି ମୋର ଗୁରୁ ଦକ୍ଷିଣା”, କହିଛନ୍ତି ଡକ୍ଟର ସ୍ନେହଲତା ଦାସ।

‘ମୋ କଲେଜ’ ଅଭିଯାନ ହେଉଛି ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକ ପ୍ରଗତିଶୀଳ ପରିକଳ୍ପନା। ଏହାରି ମାଧ୍ୟମରେ ରାଜ୍ୟର ବିଭିନ୍ନ ଉଚ୍ଚଶିକ୍ଷାନୁଷ୍ଠାନର ଶିକ୍ଷା ଓ ସାମଗ୍ରିକ ପରିବେଶରେ ଉନ୍ନତି ସହ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ଵ ଓ ଜୀବନ ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି।

Tags: #Education #Teacher #Student #GuruDakhina #Contribution #MoCollegeAbhijan #DrSnehalataDas

Comment