ଓଡ଼ିଶାଲାଇଭ୍ ବ୍ୟୁରୋ

 

ରାଜ୍ୟ ସରକାରଙ୍କ ‘ମୋ କଲେଜ’ ଅଭିଯାନ ଅଧୀନରେ କଟକସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟଠାରେ ‘ମାନସିକ ସ୍ୱାସ୍ଥ୍ୟ’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ବୁଧବାର ଦିନ ଆୟୋଜିତ କାର୍ଯ୍ୟକ୍ରମରେ କଲେଜ ଏବଂ ବିଶ୍ୱବିଦ୍ୟାଳୟସ୍ତରରୁ ଛାତ୍ରଛାତ୍ରୀମାନଙ୍କୁ ମାନସିକ ସ୍ୱାସ୍ଥ୍ୟ ଓ ଏହାର ଯତ୍ନ ସମ୍ପର୍କରେ ଶିକ୍ଷା ପ୍ରଦାନ କରିବାର ଗୁରୁତ୍ୱ ଉପରେ ଆଲୋଚନା କରାଯାଇଥିଲା।

ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର କ୍ଲିନିକାଲ ସାଇକୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଯଶୋବନ୍ତ ମହାପାତ୍ର ମୁଖ୍ୟ ଅତିଥି ଏବଂ ‘ମୋ କଲେଜ’ ଅଭିଯାନ ଅଧ୍ୟକ୍ଷ ଆକାଶ ଦାସନାୟକ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।

ପ୍ରଫେସର ଯଶୋବନ୍ତ ମହାପାତ୍ର ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇ କହିଥିଲେ, “ମାନସିକ ସ୍ୱାସ୍ଥ୍ୟ ସମସ୍ୟା ବର୍ତ୍ତମାନ ସମୟରେ ଏକ ବଡ଼ ଆହ୍ୱାନ ସୃଷ୍ଟି କରିଛି। ଯୁବପିଢ଼ି ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା ଭଳି କଠୋର ନିଷ୍ପତ୍ତି ନେଉଛନ୍ତି। ତେଣୁ ଏ ସମ୍ପର୍କରେ ଅଧିକରୁ ଅଧିକତର ସଚେତନତା ସୃଷ୍ଟି କରାଯିବା ଆବଶ୍ୟକ। ସଚେତନତା, ସଠିକ୍ ସମୟରେ ଡାକ୍ତରଙ୍କ ପରାମର୍ଶ ଏବଂ ପରିବାର ସଦସ୍ୟମାନଙ୍କ ସହଯୋଗ ଫଳରେ ଏହିଭଳି ସମସ୍ୟାକୁ ନିୟନ୍ତ୍ରଣ କରାଯାଇପାରିବ।’’

‘ମୋ କଲେଜ’ ଅଭିଯାନ ଅଧ୍ୟକ୍ଷ ଆକାଶ ଦାସନାୟକ କହିଥିଲେ, ‘‘ମାନସିକ ସ୍ତରରେ ସୁସ୍ଥ ରହିବା ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜ ସାମାଜିକ ସମ୍ପର୍କକୁ ସୁଦୃଢ଼ କରିବାକୁ ପଡ଼ିବ। ଏହାସହ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କରେ ଉପଯୁକ୍ତ ଶିକ୍ଷାର ମଧ୍ୟ ଆବଶ୍ୟକତା ରହିଛି। ତେଣୁ ବର୍ତ୍ତମାନ ସମୟରେ ଏ ବିଷୟରେ ସମସ୍ତେ ଧ୍ୟାନ ଦେବା ଜରୁରୀ।’’

ସେ ଆହୁରି କହିଥିଲେ ଯେ ପ୍ରତ୍ୟେକ ବ୍ୟକ୍ତି ଜୀବନରେ ଅନେକ ବାଧାବିଘ୍ନ ଦେଇ ଗତି କରିଥାଏ। ତେଣୁ ସମସ୍ତଙ୍କୁ ବିଭିନ୍ନ ପରିସ୍ଥିତିକୁ ସାମ୍ନା କରି ଆଗକୁ ବଢ଼ିବା ହିଁ ଜୀବନର ଲକ୍ଷ୍ୟ ହେବା ଉଚିତ। ପରିବାରବର୍ଗଙ୍କ ସହ ନିଜ ସମସ୍ୟା ବିଷୟରେ ଆଲୋଚନା କରିବା, ନିୟମିତ ଧ୍ୟାନ କରିବା, ବିଭିନ୍ନ ପ୍ରକାରର ବହି ପଢ଼ିବା ଏବଂ ବ୍ୟାୟାମ କରିବା ଦ୍ଵାରା ମନରେ ସକାରାତ୍ମକ ମନୋଭାବ ସୃଷ୍ଟି ହୋଇଥାଏ।

ରେଭେନ୍ସା ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ନାୟକ କହିଥିଲେ, ‘‘ବିଭିନ୍ନ କାରଣରୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ମାନସିକ ସମସ୍ୟା ଦେଖିବାକୁ ମିଳୁଛି। ତେଣୁ ଏହାକୁ ଦୂର କରିବା ପାଇଁ ସେମାନେ ବିଭିନ୍ନ ଲୋକଙ୍କ ସହ ସାମଜିକ ସଂସ୍ପର୍ଶରେ ଆସିବା ଦରକାର। ପ୍ରାକୃତିକ ପରିବେଶରେ ନିୟମିତ କିଛି ସମୟ କଟାଇବା ମଧ୍ୟ ଆବଶ୍ୟକ। ଏହିସବୁ ପଦକ୍ଷେପ ମନରେ ସକାରାତ୍ମକ ଭାବ ଜାଗ୍ରତ କରିପାରିବ।’’

ଏହି ଆଲୋଚନାଚକ୍ରରେ ମୋ କଲେଜ ଅଭିଯାନ ସଂଯୋଜକ ପ୍ରଫେସର ପ୍ରୀତିରେଖା ଦାସପଟ୍ଟନାୟକଙ୍କ ସହ ବିଭିନ୍ନ ବିଭାଗର ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

Tags: #Education #Seminar #MentalHealth #MoCollegeAbhiyan

Comment