ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ ସରକାରଙ୍କ ‘ମୋ କଲେଜ’ ଅଭିଯାନ ଅଧୀନରେ କଟକସ୍ଥିତ ଶୈଳବାଳା ମହିଳା ସ୍ଵୟଂଶାସିତ ମହାବିଦ୍ୟାଳୟରେ ‘ମାନସିକ ସ୍ୱାସ୍ଥ୍ୟ ଏବଂ ଆଜିର ଯୁବପିଢ଼ି’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ‘ମୋ କଲେଜ’ ଅଭିଯାନ ପରିଚାଳନା ସଙ୍ଗଠନର ଅଧ୍ୟକ୍ଷ ଆକାଶ ଦାସନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

“ପ୍ରତ୍ୟେକ ଛାତ୍ରଛାତ୍ରୀ ମାନସିକ ସ୍ତରରେ ସୁସ୍ଥ ରହିବା ଆବଶ୍ୟକ। ସେମାନଙ୍କ ମାନସିକ ସ୍ଥିତି ଭଲ ରହିଲେ ହିଁ ସେମାନେ ଭବିଷ୍ୟତରେ ନିଜ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚି ସଫଳତା ହାସଲ କରିପାରିବେ। ଏଥିପାଇଁ କଲେଜ ସମୟରୁ ଛାତ୍ରଛାତ୍ରୀମାନଙ୍କୁ ଉପଯୁକ୍ତ ମାର୍ଗ ଦର୍ଶନ ମିଳିବା ଦରକାର’’, କହିଛନ୍ତି ମୋ କଲେଜ ଅଭିଯାନ ଅଧ୍ୟକ୍ଷ ଆକାଶ ଦାସନାୟକ।

ପୁରାତନ ଛାତ୍ରଛାତ୍ରୀମାନଙ୍କୁ ‘ମୋ କଲେଜ’ ଅଭିଯାନ ଅଧୀନରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକର ସାମଗ୍ରିକ ବିକାଶ ଲାଗି ପଦକ୍ଷେପ ନିଆଯାଉଛି। ବହୁ ପୁରାତନ ଛାତ୍ରଛାତ୍ରୀ ମଧ୍ୟ ଏଥିରେ ଯୋଡ଼ି ହୋଇ ନିଜର ପ୍ରିୟ ଶିକ୍ଷାନୁଷ୍ଠାନର ବିକାଶରେ ଭାଗିଦାରୀ ହେଉଛନ୍ତି। ତେଣୁ ଶୈଳବାଳା ମହିଳା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ବର୍ତ୍ତମାନ ପାଠ ପଢ଼ୁଥିବା ଛାତ୍ରୀମାନେ ଭବିଷ୍ୟତରେ ଏହି ଅଭିଯାନ ସହିତ ଯୋଡ଼ି ହୋଇ ନିଜ କଲେଜର ଦୀର୍ଘ ସ୍ଥାୟୀ ବିକାଶ ପାଇଁ ଆଗେଇ ଆସିବେ ବୋଲି ଆକାଶ ଦାସନାୟକ କହିଛନ୍ତି।

ଆଲୋଚନାଚକ୍ରରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ସହକାରୀ ପ୍ରଫେସର ତଥା ଚିକିତ୍ସା ମନୋବିଜ୍ଞାନ ବିଭାଗର ମୁଖ୍ୟ ଡାକ୍ତର ଯଶୋବନ୍ତ ମହାପାତ୍ର କହିଛନ୍ତି, “ବର୍ତ୍ତମାନ ସମୟରେ ମାନସିକ ସମସ୍ୟା ସମସ୍ତଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଛି। ଅନ୍ୟ ରୋଗ ଭଳି ଏହା ମଧ୍ୟ ଏକ ଜଟିଳ ସମସ୍ୟା। ତେଣୁ ସଠିକ୍ ସମୟରେ ସ୍ଵାସ୍ଥ୍ୟର ଯତ୍ନ ନେବା ନିହାତି ଜରୁରୀ’’।

ବିଭିନ୍ନ କଲେଜ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକର ଗୌରବ ବଜାୟ ରଖିବାରେ ‘ମୋ କଲେଜ’ ଅଭିଯାନ ବିଶେଷ ସହାୟକ ହୋଇପାରୁଛି। ପୁରାତନ ଛାତ୍ରଛାତ୍ରୀମାନେ ସେମାନଙ୍କ ଉଚ୍ଚଶିକ୍ଷାନୁଷ୍ଠାନ ସହ ପୁଣିଥରେ ଯୋଡ଼ି ହେବାର ସୁଯୋଗ ପାଉଛନ୍ତି ବୋଲି କହିଛନ୍ତି ଶୈଳବାଳା ମହିଳା ସ୍ଵୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ଡକ୍ଟର ସୁରେଖା ସୁନ୍ଦରୀ ସ୍ଵାଇଁ।

ଏହି ଅବସରରେ ମୋ କଲେଜ ଅଭିଯାନର ଅଧ୍ୟକ୍ଷ ଆକାଶ ଦାସନାୟକ ଶୈଳବାଳା ମହିଳା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଏକ ଉଦ୍ଭିଦ ଉଦ୍ୟାନ ଏବଂ ପାଠାଗାର ଉଦଘାଟନ କରିଥିଲେ। ଏହାସହ ବାସ୍କେଟ ବଲ ଏବଂ ବ୍ୟାଡମିଣ୍ଟନ ପାଇଁ ଆବଶ୍ୟକ ଭିତ୍ତିଭୂମି ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ଆଲୋଚନାଚକ୍ରରେ ଶୈଳବାଳା ମହିଳା ସ୍ଵୟଂଶାସିତ ମହାବିଦ୍ୟାଳୟ ଇଂରାଜୀ ବିଭାଗର ସହକାରୀ ପ୍ରଫେସର ଡକ୍ଟର ଦିପ୍ତୀ ପଣ୍ଡା, ମନୋବିଜ୍ଞାନ ବିଭାଗର ମୁଖ୍ୟ ଡକ୍ଟର ବିକାଶ କୁମାର ଦାସ ଏବଂ ମୋ କଲେଜ ସଂଯୋଜକ ତଥା ପ୍ରାଣୀ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡକ୍ଚର ପ୍ରୀତିପ୍ରଜ୍ଞା ସ୍ଵାଇଁ ପ୍ରମୁଖ ଯୋଗ ଦେଇଥିଲେ।

ଏହି ଅବସରରେ ଉଦ୍ଭିଦ ବିଜ୍ଞାନ ବିଭାଗର ସେମିନାର ବୁଲେଟିନ୍ ‘ବଟବୃକ୍ଷ’ ଏବଂ ଶୈଳବାଳା ମହିଳା ସ୍ୱୟଂ ଶାସିତ ମହାବିଦ୍ୟାଳୟର ସ୍ମରଣିକା ‘ମଧୁଶ୍ରୀ’ ଉନ୍ମୋଚନ କରାଯାଇଥିଲା। ମହାବିଦ୍ୟାଳୟର ଛାତ୍ରୀମାନଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯକ୍ରମ ପରିବେଷଣ ସହ ଯୋଗ ପ୍ରଦର୍ଶନ କରାଯାଇଥିଲା।

Tags: #MoCollge #SailabalaWomenCollege #AkashDasNayak #Autonomous College

Comment