ଓଡ଼ିଶାଲାଇଭ୍ ବ୍ୟୁରୋ

ଛାତ୍ରଛାତ୍ରୀମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ କରିବା ସହିତ ସେମାନଙ୍କ ଭିତରେ ସେବା ମନୋଭାବ ବୃଦ୍ଧି କରିବା ପାଇଁ ‘ମୋ କଲେଜ ଅଭିଯାନ’ ଅଧୀନରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟସ୍ତରରେ ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଓ ସଚେତନତାମୂଳକ କାର୍ଯ୍ୟକ୍ରମ କରାଯାଉଛି। ଛାତ୍ରଛାତ୍ରୀମାନେ ଏଥିରେ ଉତ୍ସାହର ସହ ସାମିଲ ହେଉଛନ୍ତି।

ଗଜପତି ଜିଲ୍ଲାର ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଡିଗ୍ରୀ କଲେଜରେ ପିପୁଲ୍ସ ଗ୍ରାମୀଣ ଶିକ୍ଷା ଆନ୍ଦୋଳନ ସଂଗଠନର ସହଯୋଗରେ ‘ଶିଶୁ ଶ୍ରମକୁ ନା’ ଉପରେ ସଚେତନତାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସେହିପରି ବ୍ରହ୍ମପୁରସ୍ଥିତ ବିନାୟକ ଆଚାର୍ଯ୍ୟ କଲେଜରେ ‘ଶିଶୁ ଶ୍ରମକୁ ନା’ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଓଡ଼ିଶାରେ ଶିଶୁ ଶ୍ରମିକଙ୍କ ଯାଞ୍ଚ ପ୍ରୟାସକୁ ସୁଦୃଢ଼ କରିବା ପାଇଁ ‘ମୋ କଲେଜ ଅଭିଯାନ’ ସହ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର କମିଶନ, ଶିଶୁ ଅଧିକାର ସଂଗଠନ ଇଡିୟୁସିଓ ଏବଂ ପିପୁଲ୍ସ ଗ୍ରାମୀଣ ଶିକ୍ଷା ଆନ୍ଦୋଳନ ମିଳିତ ଭାବେ ଏକ ଦସ୍ତଖତ ଅଭିଯାନ ଆୟୋଜନ କରାଯାଇଥିଲା। ପିପୁଲ୍ସ ଗ୍ରାମୀଣ ଶିକ୍ଷା ଆନ୍ଦୋଳନର ପ୍ରୋଜେକ୍ଟ ମ୍ୟାନେଜର ଜେ ଚନ୍ଦ୍ରଶେଖର ଏହି ପ୍ରସଙ୍ଗରେ ଆଲୋକପାତ କରି ଶିଶୁ ଶ୍ରମକୁ ରୋକିବା ଉପରେ ଗୁରୁତ୍ୱ ଦେଇଥିଲେ। ଏହି ଆଲୋଚନାରେ ପ୍ରାୟ ୬୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ।

ବଲାଙ୍ଗିର ଜିଲ୍ଲାର ଲୋଇସିଂହା ଡିଗ୍ରୀ କଲେଜରେ ଛାତ୍ରଛାତ୍ରୀମାନଙ୍କ ଭିତରେ ସର୍ଜନାତ୍ମକ ପ୍ରତିଭାର ବିକାଶ ଲାଗି ବକ୍ତୃତା, ପ୍ରବନ୍ଧ, ସଙ୍ଗୀତ, ନୃତ୍ୟ ଏବଂ ମୁରୁଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।କୋରାପୁଟ ସରକାରୀ ମହାବିଦ୍ୟାଳୟରେ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ‘ସ୍ନାତକୋତ୍ତର ପାଇଁ କ୍ୟାରିୟର ଗାଇଡ୍ ଏବଂ ଚାକିରି ସୁଯୋଗ’ ବିଷୟବସ୍ତୁ ଉପରେ କାର୍ଯ୍ୟକ୍ରମଟି ଆଧାରିତ ଥିଲା। ୧୦୦ରୁ ଅଧିକ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।

ଦେବଗଡ଼ ମଡେଲ ଡିଗ୍ରୀ କଲେଜରେ ଜିଲ୍ଲା ସ୍ଵାସ୍ଥ୍ୟ ସମିତିର ମିଳିତ ସହଯୋଗରେ ‘ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ’ ବିଷୟବସ୍ତୁ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ୧୦୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ।ସମ୍ବଲପୁରସ୍ଥିତ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ସଂଗଠନ ‘ମୋ କଲେଜ ଅଭିଯାନ’ ଆନୂକୁଲ୍ୟରେ ରକ୍ତଦାନ ଶିବିର ଆୟୋଜନ କରିଛନ୍ତି। ଶିବିରକୁ କୁଳପତି ଡକ୍ଟର ଅର୍କ କୁମାର ଦାସମହାପାତ୍ର ଉଦଘାଟନ କରିଥିଲେ। ସମ୍ୱଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର କଳ୍ପେଶ କକ୍କରଙ୍କ ଡାକ୍ତରୀ ଟିମ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Tag : #ମୋକଲେଜଅଭିଯାନ #MoCollegeAbhijan #MoCollege #DepartmentofHigherEducationOdisha

Comment