ଓଡ଼ିଶାଲାଇଭ୍ବ୍ୟୁରୋ

ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ବିକାଶ ସହ ଶିକ୍ଷା ପରିବେଶରେ ଏକ ରୂପାନ୍ତରଣ ଆଣିବା କ୍ଷେତ୍ରରେ ବିଶେଷ ସହାୟକ ହେବ ‘ମୋ କଲେଜ’ ଅଭିଯାନ – ଆକାଶ ଦାସନାୟକ

‘‘ଜଣେ ବ୍ୟକ୍ତିକୁ ଆଗକୁ ବଢ଼ିବାରେ ଏବଂ ତା’ର ସ୍ୱପ୍ନକୁ ବାସ୍ତବ ରୂପ ଦେବାରେ ଗୋଟିଏ ଶିକ୍ଷାନୁଷ୍ଠାନର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଯେଉଁମାନେ ଏବେ ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ, ସେହି ପୁରାତନ ଛାତ୍ରଛାତ୍ରୀମାନଙ୍କୁ ଯୋଡ଼ି ରାଜ୍ୟର ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡ଼ିକର ସାମଗ୍ରିକ ବିକାଶ ସହ ବର୍ତ୍ତମାନ ଓ ଆଗାମୀ ପିଢ଼ିର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନିର୍ମାଣରେ ଏକ ପ୍ରମୁଖ ଭୂମିକା ନେଉଛି ମୋ କଲେଜ ଅଭିଯାନ’’, ଓଡ଼ିଶାଲାଇଭ୍‌ ସହ ଏକ ଆଲୋଚନା ବେଳେ ଏହା କହିଛନ୍ତି ‘ମୋ କଲେଜ’ ଅଭିଯାନ ପରିଚାଳନା ସଙ୍ଗଠନର ଅଧ୍ୟକ୍ଷ ଆକାଶ ଦାସନାୟକ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକ ଅଭିନବ ପରିକଳ୍ପନା ହେଉଛି ‘ମୋ କଲେଜ’ ଅଭିଯାନ। ଏହା ପୁରାତନ ଛାତ୍ରଛାତ୍ରୀଙ୍କୁ ପୁଣିଥରେ ନିଜ ଶିକ୍ଷାନୁଷ୍ଠାନ ସହ ଯୋଡ଼ିବାର ଏକ ଅଭିନବ ପ୍ଲାଟଫର୍ମ ପାଲଟିଛି। ଏହାଦ୍ୱାରା ପୁରାତନ ଛାତ୍ରଛାତ୍ରୀ କଲେଜ ଦିନର ସ୍ମୃତିକୁ ଫେରି ପାଇବାର ସୁଯୋଗ ନେଉଛନ୍ତି। ତା’ ସହିତ ନିଜେ ପଢ଼ିଥିବା ଶିକ୍ଷାନୁଷ୍ଠାନ ପାଇଁ କିଛି ଅବଦାନ ଦେଇ ଏହାର ସାମଗ୍ରିକ ବିକାଶର ସାଥୀ ହୋଇପାରୁଛନ୍ତି।

କଲେଜର ପାଠ୍ୟ ପରିବେଶରେ କିପରି ଉନ୍ନତି ହେବ, କଲେଜ ପ୍ରତି ଛାତ୍ରଛାତ୍ରୀଙ୍କର ଆଗ୍ରହ କିପରି ବଢ଼ିବ, କଲେଜର ପରିବେଶ କିପରି ଆକର୍ଷଣୀୟ ହୋଇପାରିବ ଏବଂ କଲେଜ ପ୍ରତି ପୁରାତନ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କର ସହଯୋଗ କିଭଳି ବଢ଼ିପାରିବ, ଏହିସବୁ ବିଷୟ ଉପରେ ‘ମୋ କଲେଜ’ ଅଭିଯାନ ଅଧିକ ଗୁରୁତ୍ୱ ଦେଉଛି। ତେଣୁ ଏହି ଅଭିଯାନ ଫଳରେ ଆଗାମୀ ଦିନରେ ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକର ସାମଗ୍ରିକ ରୂପାନ୍ତରଣ ସମ୍ଭବ ହୋଇପାରିବ ବୋଲି କହିଛନ୍ତି ଆକାଶ ଦାସନାୟକ।

ସେ ଆହୁରି ମଧ୍ୟ କହିଛନ୍ତି, ‘‘ମୋ କଲେଜ ଅଭିଯାନ ମାଧ୍ୟମରେ କଲେଜରେ ପଢ଼ିଥିବା ସମସ୍ତ ଛାତ୍ରଛାତ୍ରୀ ଯେଉଁମାନେ ଦେଶ ବିଦେଶର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠିତ ହୋଇଛନ୍ତି, ସେମାନଙ୍କୁ ନିଜ କଲେଜ ତଥା ନିଜ ମାଟି ସହ ଯୋଡ଼ା ଯାଉଛି। କେବଳ ପୁରାତନ ଛାତ୍ରଛାତ୍ରୀ ନୁହନ୍ତି, ସ୍ଥାନୀୟ ଅଞ୍ଚଳର ଶିକ୍ଷାବିତ୍‌, ବୁଦ୍ଧିଜୀବୀ, ଶିକ୍ଷାପ୍ରେମୀ – ସମସ୍ତଙ୍କୁ କଲେଜ ସହ ଯୋଡ଼ିବା ଏବଂ ସେମାନଙ୍କ ସହାୟତାରେ କଲେଜର ସାମଗ୍ରିକ ବିକାଶ ଦିଗରେ କାମ କରିବା ହେଉଛି ‘ମୋ କଲେଜ’ ଅଭିଯାନର ମୂଳ ଲକ୍ଷ୍ୟ।”

‘ମୋ କଲେଜ’ ଅଭିଯାନ ସହ ଯୋଡ଼ି ହେଲେଣି ୭୫୦ ଉଚ୍ଚଶିକ୍ଷାନୁଷ୍ଠାନ

‘ମୋ କଲେଜ’ ଅଭିଯାନ ଆରମ୍ଭ ହେବାର ଗୋଟିଏ ବର୍ଷ ବିତିଯାଇଛି। ଇତିମଧ୍ୟରେ ଏହି ଅଭିଯାନ ସହ ରାଜ୍ୟର ୭୫୦ ଉଚ୍ଚଶିକ୍ଷାନୁଷ୍ଠାନ ଯୋଡ଼ି ହୋଇଛନ୍ତି। ଏହି ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ସାମିଲ ଅଛନ୍ତି ମେଡିକାଲ କଲେଜ, ଇଞ୍ଜିନିୟରିଂ କଲେଜ, ପଲିଟେକନିକ୍ ଭଳି ବୈଷୟିକ ଶିକ୍ଷାନୁଷ୍ଠାନ । ଏହି ସବୁ କଲେଜରେ ଗୋଟିଏ ଲେଖାଏଁ କମିଟି ଗଠନ କରାଯାଇଛି। କଲେଜ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ, କଲେଜର ପୁରାତନ ଛାତ୍ରଛାତ୍ରୀ ଏବଂ କେତେକ ବରିଷ୍ଠ ଅଧ୍ୟାପକ ଅଧ୍ୟାପିକା ସାମିଲ ହୋଇଛନ୍ତି । ଏମାନେ ନିଜ ନିଜ ଶିକ୍ଷାନୁଷ୍ଠାନରେ ‘ମୋ କଲେଜ’ ଅଭିଯାନକୁ ଆଗକୁ ନେବେ।

ଖାଲି ସେତିକି ନୁହେଁ, ‘ମୋ କଲେଜ’ ସହ ଯୋଡ଼ି ହୋଇଥିବା ସମସ୍ତ ଶିକ୍ଷାନୁଷ୍ଠାନରେ ପୁରାତନ ଛାତ୍ର ସମ୍ପର୍କ ଅଭିଯାନ ବା ‘ଆଲୁମିନି କନେକ୍ସନ ଡ୍ରାଇଭ’ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମ ଜରିଆରେ ପୁରାତନ ଛାତ୍ରଛାତ୍ରୀମାନେ କଲେଜର ସାମଗ୍ରିକ ବିକାଶରେ ସେମାନଙ୍କର ଯୋଗଦାନ ଦେଇପାରିବେ। ତେବେ ପୁରାତନ ଛାତ୍ରଛାତ୍ରୀଙ୍କ ଅବଦାନ କେବଳ ଆର୍ଥିକ ସହାୟତା ମଧ୍ୟରେ ସୀମିତ ନୁହେଁ। ସେମାନେ ଇଚ୍ଛାକଲେ ନିଜ ଶିକ୍ଷାନୁଷ୍ଠାନକୁ ଆସି ବୌଦ୍ଧିକ କିମ୍ବା ଅନ୍ୟ ଯେକୌଣସି ଉପାୟରେ ନିଜର ବହୁମୂଲ୍ୟ ଯୋଗଦାନ ଦେଇପାରିବେ। ଯେମିତି ଜଣେ ଡାକ୍ତର ଚାହିଁଲେ ନିଜ କଲେଜରେ ହେଉ କିମ୍ବା ଅନ୍ୟ ଯେକୌଣସି କଲେଜରେ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ଲାଗି ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରିପାରିବେ।

ସେହିଭଳି ଜଣେ ସାମ୍ବାଦିକ ଛାତ୍ରଛାତ୍ରୀଙ୍କୁ ସାମ୍ବାଦିକତାରେ କ୍ୟାରିୟର ସମ୍ପର୍କରେ କହିପାରିବେ। କର୍ପୋରେଟରେ ଚାକିରି କରୁଥିବା ବ୍ୟକ୍ତି ଛାତ୍ରଛାତ୍ରୀଙ୍କୁ ପ୍ଲେସମେଣ୍ଟ ଏବଂ ପ୍ରଫେସନାଲିଜମ୍ ବିଷୟରେ ଅବଗତ କରାଇପାରିବେ। ଜଣେ ଉଦ୍ୟୋଗୀ ଛାତ୍ରଛାତ୍ରୀଙ୍କୁ ଇଣ୍ଡଷ୍ଟ୍ରିଆଲ ଟୁରରେ ନେଇପାରିବେ। ଜଣେ ସଫଳ ଚାଷୀ, ଚାଷରେ କିଭଳି କ୍ୟାରିୟର କରିହେବ, ତାହା କହିପାରିବେ। ଜଣେ ଅଭିନେତା ଅଭିନୟ ବିଷୟରେ ଏବଂ ଜଣେ ଗାୟକ ସଙ୍ଗୀତ ବିଷୟରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେଇପାରିବେ। ଏଭଳିକି ଜଣେ କ୍ରୀଡ଼ାବିତ୍ ମଧ୍ୟ ସମୟ ବାହାର କରି କ୍ରୀଡ଼ା ସମ୍ପର୍କିତ ଜ୍ଞାନ ବାଣ୍ଟି ପାରିବେ। ଏହାସହ ରାଜ୍ୟ ବାହାରେ ବା ଦେଶ ବାହାରେ ଥିବା ପୁରାତନ ଛାତ୍ରଛାତ୍ରୀମାନେ ୱେବିନାର ମାଧ୍ୟମରେ ବର୍ତ୍ତମାନର ଛାତ୍ରଛାତ୍ରୀଙ୍କ ସହ ଯୋଡ଼ି ହୋଇପାରିବେ।

ପୁରାତନ ଛାତ୍ରଛାତ୍ରୀଙ୍କ ସହ ଯୋଡ଼ିହେବା ଲାଗି ‘ମିଟ୍ ୟୋର୍ ଆଲୁମିନିକାର୍ଯ୍ୟକ୍ରମ

‘ମୋ କଲେଜ’ ଅଭିଯାନ ସହ ପୁରାତନ ଛାତ୍ରଛାତ୍ରୀମାନେ ବିଭିନ୍ନ ମାଧ୍ୟମରେ ଯୋଡ଼ି ହୋଇପାରିବେ । ଏଥିପାଇଁ ପ୍ରତ୍ୟେକଟି କଲେଜରେ ଜଣେ ଜଣେ ମୋ କଲେଜ ସଂଯୋଜକ ବା ବିଶ୍ୱବିଦ୍ୟାଳୟର ସଂଯୋଜକ ଅଛନ୍ତି । ସେମାନଙ୍କ ସହ ଯୋଗାଯୋଗ କରି କିମ୍ବା mocollege.in  ୱେବସାଇଟକୁ ଯାଇ ପୁରାତନ ଛାତ୍ରଛାତ୍ରୀମାନେ ନିଜ ନାମ ପଞ୍ଜୀକରଣ କରିପାରିବେ।

ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ କଲେଜ ବା ବିଶ୍ୱବିଦ୍ୟାଳୟ ସ୍ତରରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରାଯାଉଛି । ଜଣେ ପୁରାତନ ଛାତ୍ର ବର୍ତ୍ତମାନର ଛାତ୍ରଛାତ୍ରୀଙ୍କୁ କ୍ୟାରିୟର ଗଠନକୁ ନେଇ ପରାମର୍ଶ ଦେଇପାରିବେ। ଜଣେ ସଫଳ ଡାକ୍ତର, ସାମ୍ୱାଦିକ, ଇଞ୍ଜିନିୟର, ଅଭିନେତା, ଲେଖକ ବା ଚାଷୀ ମଧ୍ୟ ନିଜ ନିଜ କ୍ୟାରିୟର ଅନୁଭୂତିକୁ ଏବେକାର ଛାତ୍ରଛାତ୍ରୀଙ୍କ ସହ ସେୟାର କରିପାରିବେ। ‘ମିଟ୍ ୟୋର୍ ଆଲୁମିନି’ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନେ କଲେଜ ବା ବିଶ୍ୱବିଦ୍ୟାଳୟ ଆସି ନିଜ ନିଜର ଅନୁଭୂତିକୁ ଛାତ୍ରଛାତୀଙ୍କ ସହ ସେୟାର କରିବେ।

ଦ୍ୱିତୀୟତଃ କଲେଜ ବା ବିଶ୍ୱବିଦ୍ୟାଳୟ ସ୍ତରରେ ବକ୍ତୃତା, ସଙ୍ଗୀତ, ନୃତ୍ୟ, ଚିତ୍ରାଙ୍କନ, ସ୍ୱଚ୍ଛତା, ସଚେତନତା ଆଦି ବିଭିନ୍ନ ପ୍ରକାର ପ୍ରତିଯୋଗିତା ଓ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଛାତ୍ରଛାତ୍ରୀଙ୍କୁ ଜଣେ ଆଦର୍ଶ ନାଗରିକ ଭାବେ ଗଢ଼ି ତୋଳିବାରେ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇଦେବା ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନର ପୁରାତନ ଛାତ୍ରଛାତ୍ରୀମାନେ ଆଗେଇ ଆସୁଛନ୍ତି ଏବଂ ସେମାନଙ୍କ ସହଯୋଗରେ ବିଭିନ୍ନ କାର୍ଯ୍ୟକ୍ରମ ହେଉଛି।

‘ମୋ କଲେଜ’ ଅଭିଯାନ ଜରିଆରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ

‘‘ଆମ ରାଜ୍ୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦକ୍ଷତାର ଅଭାବ ନାହିଁ । ବେଳେବେଳେ ସେମାନଙ୍କୁ କେବଳ ଏକ ମାର୍ଗଦର୍ଶନର ଆବଶ୍ୟକ ପଡ଼େ। ସେମାନଙ୍କର ଦକ୍ଷତା ବିକାଶ ପାଇଁ ଆମେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନେଉଛୁ, ଯେମିତିକି ପୁରାତନ ଛାତ୍ରଛାତ୍ରୀଙ୍କ ସହଯୋଗରେ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ, ସୃଜନଶୀଳତା ବୃଦ୍ଧି ପାଇଁ ବିଭିନ୍ନ ପ୍ରକାର ପ୍ରତିଯୋଗିତା ତଥା ସଙ୍ଗୀତ, ନୃତ୍ୟ, ବକ୍ତୃତା, ଚିତ୍ରାଙ୍କନ ପ୍ରତିଯୋଗିତା ଆଦି ଆରମ୍ଭ କରିଛୁ । ନେତୃତ୍ୱ ବିକାଶ ଦିଗରେ ମଧ୍ୟ ଆମେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନେଉଛୁ । ସମାଜ ଗଠନରେ ଜଣେ ବିଦ୍ୟାର୍ଥୀର କ’ଣ ଯୋଗଦାନ ରହିବ ସେ ଦିଗରେ ଏନସିସି, ରେଡକ୍ରସ ଆଦି କାର୍ଯ୍ୟକ୍ରମ ହାତକୁ ନେଉଛୁ’’, କହନ୍ତି ଆକାଶ ଦାସନାୟକ।

ଦୁଇ ଗୁଣା ଅନୁଦାନ ଦେଉଛନ୍ତି ରାଜ୍ୟ ସରକାର

ବର୍ତ୍ତମାନ ସୁଦ୍ଧା ନିଜ କଲେଜକୁ ଆର୍ଥିକ ରୂପେ ସହଯୋଗ କରିବା ପାଇଁ ବହୁ ପୁରାତନ ଛାତ୍ରଛାତ୍ରୀ ଆଗେଇ ଆସିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଲେ ସମ୍ବଲପୁର ସହରର ବରିଷ୍ଠ ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ନାରାୟଣୀ ପଣ୍ଡା। ‘ମୋ କଲେଜ’ ଅଧୀନରେ ସେ ନିଜେ ପାଠ ପଢ଼ିଥବା ଉଚ୍ଚ ଶିକ୍ଷାନୁଷ୍ଠାନ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପାଇଁ ୩୦ ଲକ୍ଷ ଟଙ୍କା ଦାନ କରିଛନ୍ତି। ରାଜ୍ୟ ସରକାରଙ୍କ ତରଫରୁ ଏହାର ମ୍ୟାଚିଂ ଗ୍ରାଣ୍ଟ ୬୦ ଲକ୍ଷ ଟଙ୍କା ବିଶ୍ୱବିଦ୍ୟାଳୟକୁ ପ୍ରଦାନ କରାଯାଇଛି। ସର୍ବମୋଟ ୯୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବିଶ୍ୱବିଦ୍ୟାଳୟରେ ଏକ ଆଇଟି ସେଣ୍ଟର ତିଆରି କରାଯିବ । ସେହିପରି ‘ମୋ କଲେଜ’ ଅଧୀନରେ ସାଲେପୁର କଲେଜର ପୁରାତନ ଛାତ୍ର ଗୋଲଖ ପରିଡ଼ା ୧୦ ଲକ୍ଷ ଟଙ୍କା, ଖଲ୍ଲିକୋଟ କଲେଜର ବିକାଶ ପାଇଁ ପୁରାତନ ଛାତ୍ର ଅରୁଣ କୁମାର ସାବତ ୫ ଲକ୍ଷ ଟଙ୍କା ଦାନ କରିଛନ୍ତି। ବିଶିଷ୍ଟ ଲେଖିକା ସ୍ୱର୍ଗତ ମନୋରମା ମହାପାତ୍ରଙ୍କ ସ୍ମୃତିରେ ତାଙ୍କ ଝିଅ ଶ୍ୱେତପଦ୍ମା ଦାଶ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ୧୦ ଲକ୍ଷ ଟଙ୍କା ଦାନ କରିଛନ୍ତି।  ପ୍ରଭାତୀ ମିଶ୍ର ଏବଂ ତାଙ୍କ ତିନି ଭାଇ ଉଭଣୀ ମିଳିତ ଭାବରେ ବୈଜ୍ଞାନିକ ବାପା ସ୍ୱର୍ଗତଃ ପତିତପାବନ ମିଶ୍ରଙ୍କ ସ୍ମୃତିରେ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ୭ ଲକ୍ଷ ଟଙ୍କା ଦାନ କରିଛନ୍ତି।

ଗୋଷ୍ଠୀ ସହଭାଗିତାର ଉଦାହରଣ ସୃଷ୍ଟି କରିଛି ‘ମୋ କଲେଜ’

‘ମୋ କଲେଜ’ ଅଭିଯାନ ଲୋକଙ୍କୁ ଗୋଷ୍ଠୀ ସହଭାଗିତାର ମୂଲ୍ୟ ସମ୍ପର୍କରେ ଏକ ବିଶେଷ ଅନୁଭବ ଦେଇପାରିଛି। ଦିନେ ଲୋକେ କଲେଜଗୁଡ଼ିକ ସରକାରଙ୍କର, ତେଣୁ ତାହାର ଭଲ ମନ୍ଦ ବୁଝିବା ଦାୟିତ୍ୱ କେବଳ ସରକାରଙ୍କର ବୋଲି ଭାବୁଥିଲେ। କିନ୍ତୁ ଏବେ ସେ ଭାବନାରେ ପରିବର୍ତ୍ତନ ଆସିଛି। ଲୋକେ ବୁଝିଲେଣି ଯେ ତାହା ହେଉଛି ‘ଆମ କଲେଜ’। ତେଣୁ ଗୋଟିଏ କଲେଜର ସୁଖ ଦୁଃଖ ସହିତ ଲୋକେ ନିଜକୁ ଯୋଡ଼ି ପାରୁଛନ୍ତି। ଏହି ପ୍ରକ୍ରିୟାରେ ଅଭିଭାବକ, ସ୍ଥାନୀୟ ଜନସାଧାରଣ, ପଞ୍ଚାୟତିରାଜ ସଦସ୍ୟ, ଲୋକ ପ୍ରତିନିଧି, ବିଭିନ୍ନ ସଙ୍ଗଠନ ଏପରିକି ବଡ଼ ବଡ଼ କମ୍ପାନିମାନେ ମଧ୍ୟ ସାମିଲ ହୋଇ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକର ଉନ୍ନତି ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛନ୍ତି।

‘‘ଏକବିଂଶ ଶତାବ୍ଦୀରେ ପରସ୍ପରକୁ ଯୋଡି଼ବାରେ ସୋସିଆଲ ମିଡିଆ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ପାଲଟିଛି । ଏକା ନିଜେ କାମ କରିବା ବଦଳରେ ଏକାଠି ହୋଇ କାମ କଲେ ଆମେ ବହୁତ କିଛି କରିପାରିବା । ତେଣୁ ସମସ୍ତଙ୍କୁ ମୁଁ ନିବେଦନ କରିବି ସୋସିଆଲ ମିଡିଆରେ ‘ମୋ କଲେଜ’ ଅଭିଯାନର ସମସ୍ତ ପ୍ଲାଟଫର୍ମ ଯଥା ଫେସବୁକ୍, ୟୁଟ୍ୟୁବ୍‌, ଟ୍ୱିଟର୍‌, ଇନଷ୍ଟାଗ୍ରାମ୍ ଆଦିକୁ ଫଲୋ ଏବଂ ସବସ୍କ୍ରାଇବ୍ କରନ୍ତୁ। ଏହାସହ ‘ମୋ କଲେଜ’ ୱେବସାଇଟକୁ ଯାଇ ନିଜକୁ ପଞ୍ଜୀକୃତ କରନ୍ତୁ’’, ଏଭଳି ଆହ୍ୱାନ ଦେଇଛନ୍ତି ଆକାଶ ଦାସନାୟକ।

ନେତୃତ୍ୱ ବିକାଶରେମୋ କଲେଜ’ ଅଭିଯାନର ଭୂମିକା

ଯୁବପିଢ଼ି ହେଉଛନ୍ତି ଦେଶର ଭବିଷ୍ୟତ। ବିଶେଷକରି ଓଡ଼ିଶାକୁ ଆଗକୁ ନେବାରେ ରାଜ୍ୟର ଯୁବକମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆମକୁ ପ୍ରଥମେ ବୁଝିବାକୁ ପଡ଼ିବ ଯେ ଆମ ପାଖରେ କ’ଣ ସାମର୍ଥ୍ୟ ରହିଛି । ଏସବୁକୁ ବୁଝିବା ପାଇଁ ବା ନେତୃତ୍ୱ ବିକାଶ କରିବା ପାଇଁ ମୋ କଲେଜ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନେଉଛି। ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେ ନେତୃତ୍ୱ ବିକାଶ, ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରାଯାଉଛି। ଫଳରେ ସେମାନେ ନିଜ ପାଇଁ ବଡ଼ ସ୍ୱପ୍ନ ଦେଖିବା ସହ ନିଜର ମାଟି, ନିଜ କଲେଜ, ରାଜ୍ୟ ଓ ଦେଶ ପାଇଁ ମଧ୍ୟ ସ୍ୱପ୍ନ ଦେଖିପାରିବେ।

‘ମୋ କଲେଜ’ ଅଭିଯାନ, ଏକ ଆନ୍ଦୋଳନ

‘‘ମୋ କଲେଜ ଅଭିଯାନକୁ ଏକ ସାମାଜିକ ଅଭିଯାନ ବା ଏକ ବିପ୍ଲବ କହିଲେ ଅତ୍ୟୁକ୍ତି ହେବ ନାହିଁ। ତେଣୁ ମୁଁ ବିଭିନ୍ନ କଲେଜ ବା ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ବର୍ତ୍ତମାନର ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରିବି, ସମସ୍ତେ ‘ମୋ କଲେଜ’ ଅଭିଯାନ ସହ ଯୋଡ଼ି ହୁଅନ୍ତୁ । ଆମେ ସମସ୍ତେ ଏକାଠି ହୋଇ ରାଜ୍ୟ ସରକାରଙ୍କ ସହ ହାତ ମିଶାଇ ‘ମୋ କଲେଜ’ ଅଭିଯାନକୁ ସଫଳ କରିବା ଏବଂ ନିଜ କଲେଜକୁ ସୁନ୍ଦର ଓ ଆଦର୍ଶ ଶିକ୍ଷାନୁଷ୍ଠାନ ଭାବେ ଗଢ଼ି ତୋଳିବା ପାଇଁ ସଙ୍କଳ୍ପବଦ୍ଧ ହେବା’’, କହିଛନ୍ତି ଆକାଶ ଦାସନାୟକ ।

Comment