ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଚକ୍ରଧର ତ୍ରିପାଠୀ ସୋମବାର ଦିନ କୋରାପୁଟ ଜିଲ୍ଲା ସୁନାବେଡାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଅଧିନିୟମ ଅନୁଯାୟୀ ପ୍ରଫେସର ଚକ୍ରଧର ତ୍ରିପାଠୀଙ୍କୁ କୁଳପତି ଭାବରେ ନିଯୁକ୍ତି ଦେଇଛନ୍ତି। ପ୍ରଫେସର ତ୍ରିପାଠୀ କାର୍ଯ୍ୟରେ ଯୋଗଦେବା ତାରିଖଠାରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସ୍ଥାୟୀ କୁଳପତି ଭାବେ ଦାୟିତ୍ଵରେ ରହିବେ ବୋଲି ସେପ୍ଟେମ୍ବର ୧୩ ତାରିଖରେ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।

ଗତ ୨୦୨୧ ଜୁଲାଇ ୨୮ ତାରଖରେ ପ୍ରଫେସର ଆଇ ରାମବ୍ରହ୍ମମଙ୍କ ବିୟୋଗ ପରେ ମଧ୍ୟବର୍ତ୍ତୀକାଳୀନ ଅବଧି ପାଇଁ ଭାରପ୍ରାପ୍ତ କୁଳପତି ଭାବରେ କାର୍ଯ୍ୟ କରିଥିବା ପ୍ରଫେସର ଏସ କେ ପଳିତାଙ୍କଠାରୁ ପ୍ରଫେସର ତ୍ରିପାଠୀ ଏହି ଦାୟିତ୍ଵ ଗ୍ରହଣ କରିଛନ୍ତି। ପ୍ରଫେସର ଚକ୍ରଧର ତ୍ରିପାଠୀ ହେଉଛନ୍ତି ବିଶ୍ୱବିଦ୍ୟାଳୟର ଚତୁର୍ଥ ସ୍ଥାୟୀ କୁଳପତି।

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଯୋଗଦେବା ପୂର୍ବରୁ ପ୍ରଫେସର ତ୍ରିପାଠୀ ପଶ୍ଚିମବଙ୍ଗର ଶାନ୍ତିନିକେତନ ସ୍ଥିତ ବିଶ୍ୱ ଭାରତୀର ହିନ୍ଦୀ ବିଭାଗରେ ବରିଷ୍ଠ ପ୍ରଫେସର ଥିଲେ। ମଧ୍ୟ ଯୁଗୀୟ ଏବଂ ଆଧୁନିକ ହିନ୍ଦୀ କବିତା ହେଉଛି ତାଙ୍କର ବିଶେଷ ବିଷୟ। ଶାରୀରିକ ଶିକ୍ଷା, କ୍ରୀଡ଼ା, ଜାତୀୟ ସେବା ଏବଂ ଛାତ୍ର କଲ୍ୟାଣର ନିର୍ଦ୍ଦେଶକ ଭାବେ ଆନ୍ତର୍ଜାତୀୟ ସହଯୋଗ ଭାବେ କାର୍ଯ୍ୟ କରିବା ସହ ଏକାଡେମିକ କାର୍ଯ୍ୟର ଭାରପ୍ରାପ୍ତ ଅଧିକାରୀ ତଥା ହିନ୍ଦୀ ବିଭାଗର ମୁଖ୍ୟ ଭାବେ ଦାୟିତ୍ଵ ତୁଲାଇଛନ୍ତି। ସେ ହିନ୍ଦୀ ଅଧ୍ୟୟନ ବୋର୍ଡର ଅଧ୍ୟକ୍ଷ, ଟାଗୋର ଇନଷ୍ଟିଚ୍ୟୁଟ୍ ଅଫ୍ ଆର୍ଟ ଆଣ୍ଡ ଏଜୁକେସନ୍ ଅଧୀନରେ ଥିବା ହିନ୍ଦୀ ଶିକ୍ଷାଦାନ କେନ୍ଦ୍ରର ନିର୍ଦ୍ଦେଶକ, ବିଶ୍ୱ-ଭାରତୀ ଶିକ୍ଷକ ସଂଘର ସଭାପତି ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।

ସେ ଜାତୀୟ ଉଚ୍ଚ ଶିକ୍ଷାନୁଷ୍ଠାନର ବିଭିନ୍ନ ବୈଧାନିକ କମିଟି, ପରାମର୍ଶଦାତା କମିଟି ଏବଂ ଚୟନ କମିଟିରେ ଭାରତର ରାଷ୍ଟ୍ରପତିଙ୍କ ମନୋନୀତ ସଦସ୍ୟ ଭାବରେ କାର୍ଯ୍ୟ କରିଆସୁଛନ୍ତି। ପ୍ରଫେସର ଚକ୍ରଧର ତ୍ରିପାଠୀ ଦେଶର ବିଭିନ୍ନ ଅନୁଷ୍ଠାନ ଦ୍ଵାରା ସମ୍ମାନିତ ହୋଇଛନ୍ତି।

୧୯୬୦ ମସିହାରେ କେନ୍ଦୁଝର ଜିଲ୍ଲାର ହାଟଡ଼ିହି ବ୍ଲକ ଅଧୀନରେ ଥିବା ମାରିଗାଓଁରେ ଜନ୍ମଗ୍ରହଣ କରିଥିବା ପ୍ରଫେସର ତ୍ରିପାଠୀ ବିଶ୍ୱ ଭାରତୀରୁ ହିନ୍ଦୀରେ ପିଏଚଡି ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି।

Tags: #ProfChakradharTripathy #ViceChancellor #Education #CentralUniversity

Comment