ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତ୍ରୀ ସୁଷମା ସ୍ୱରାଜଙ୍କର ୬୭ ବର୍ଷ ବୟସରେ ପରଲୋକ ଘଟିଛି। ଦିଲ୍ଲୀ ଏମ୍‌ସରେ ତାଙ୍କର ଦେହାନ୍ତ ହୋଇଛି। ଦିଲ୍ଲୀ ଏମ୍‌ସରେ ବିଜେପିର ବରିଷ୍ଠ ନେତାଙ୍କ ଭିଡ଼ ଲାଗିଛି। ସୁଷମାଙ୍କ ବିୟୋଗରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି।

୧୯୫୨ ଫେବ୍ରୁଆରି ୧୪ରେ ଜନ୍ମ ହୋଇଥିବା ସୁଷମା ରାଜନୀତିରେ ଲମ୍ବା ସମୟ ଧରି ସଫଳତାର ସହ ଯାତ୍ରା କରିଛନ୍ତି। ୧୯୭୭ ମସିହାରେ ସୁଷମାଙ୍କୁ ଯେତେବେଳେ ୨୫ ବର୍ଷ ବୟସ ହୋଇଥିଲା ସେତେବେଳେ ସେ ପ୍ରଥମ ନିର୍ବାଚନ ଲଢ଼ି ସଫଳ ହୋଇଥିଲେ।

ହରିୟାଣାର ଅମ୍ବାଲା ବିଧାନସଭା ଆସନରୁ ସୁଷମା ପ୍ରଥମେ ବିଧାୟକ ଭାବେ ନିର୍ବାଚିତ ହୋଇ ଦେଶର ଯୁବ ବିଧାୟକ ହେବାର ଗୌରବ ଅର୍ଜନ କରିଥିଲେ। ହରିୟାଣାର ଦେବୀଲାଲ ସରକାରରେ ସୁଷମା ମନ୍ତ୍ରୀ ରହି ଆଉ ଏକ ସଫଳତାର ପାହାଚ ଚଢ଼ିଥିଲେ।

ହରିୟାଣା ରାଜନୀତିରେ ସକ୍ରିୟ ଥିବା ସୁଷମା ନିଜ ଦକ୍ଷତା ବଳରେ ଜାତୀୟ ରାଜନୀତିରେ ପ୍ରବେଶ କରିଥିଲେ। ୧୯୯୬ରେ ସୁଷମା ଦକ୍ଷିଣ ଦିଲ୍ଲୀରୁ ସାଂସଦ ରହିଥିଲେ। ଅଟଳବିହାରୀ ବାଜପେୟୀଙ୍କ ୧୩ ଦିନିଆ ସରକାରରେ ସୁଷମା ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ମନ୍ତ୍ରୀ ରହିଥିଲେ।

ପରେ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇ ସୁଷମା ୧୯୯୮ରେ ଦିଲ୍ଲୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେହି ବର୍ଷ ହିଁ ସୁଷମା ଦିଲ୍ଲୀ ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

ଏହାପରେ ହୋଇଥିବା ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପି ପରାଜିତ ହେବା ପରେ ସୁଷମା ପୁଣି ସାଂସଦ ଭାବେ ଲଢ଼ିଥିଲେ।

୨୦୦୯ ଓ ୨୦୧୪ ନିର୍ବାଚନରେ ସୁଷମା ବିଦିଶା ଲୋକସଭା ଆସନରୁ ସାଂସଦ ଭାବେ ଲଢ଼ିଥିଲେ। ୨୦୦୯ରେ କେନ୍ଦ୍ରରେ ଉପା ସରକାର କ୍ଷମତାରେ ଥିବାରୁ ସୁଷମା ବିରୋଧୀ ଆସନରେ ରହିଥିଲେ।

୨୦୧୪ରେ ମୋଦିଙ୍କ ନେତୃତ୍ୱରେ ଗଠନ ହୋଇଥିବା ସରକାରରେ ସୁଷମାଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମନ୍ତ୍ରୀ କରାଯାଇଥିଲା। ୨୦୧୬ରେ ସୁଷମାଙ୍କ କିଡ୍‌ନୀ ପ୍ରତ୍ୟାରୋପଣ ହୋଇଥିବାରୁ ୨୦୧୯ ନିର୍ବାଚନ ଲଢ଼ିବାକୁ ମନା କରିଦେଇଥିଲେ ସୁଷମା।

ସୁଷମାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି।

ମୋଦି କହିଛନ୍ତି, ‘‘ସୁଷମାଙ୍କ ଦେହାନ୍ତ ବ୍ୟକ୍ତିଗତ ଭାବେ ମୋ’ ପାଇଁ ବଡ଼ କ୍ଷତି। ଭାରତ ପାଇଁ ତାଙ୍କର ଅବଦାନ ସବୁବେଳେ ସ୍ମରଣୀୟ ହୋଇ ରହିବ। ତାଙ୍କ ପରିବାରବର୍ଗଙ୍କୁ ମୁଁ ଗଭୀର ସମବେଦନା ଜଣାଉଛି।’’

Comment