ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀର୍ଘ ୨୦୦ ବର୍ଷ ଧରି ଇଂରେଜମାନଙ୍କ ଶାସନ ପରେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତ ସ୍ୱାଧୀନ ହୋଇଥିଲା। ଜାତିର ପିତା ମହାତ୍ମା ଗାନ୍ଧିଙ୍କ ସତ୍ୟ ଓ ଅହିଂସା ନୀତିରେ ଅଗ୍ରସର ହୋଇ ଦେଶବାସୀ ସ୍ୱାଧୀନତାର ସ୍ୱାଦ ଚାଖିଥିଲେ। ଏବେ ଯଦି ଭାରତର ସ୍ୱାଧୀନତା ବିଷୟରେ ଚର୍ଚ୍ଚା କରିବା, ତେବେ ‘ଆଜାଦ ହିନ୍ଦ ଫୌଜ’ ଏବଂ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କୁ କଦାପି ଏଡ଼ାଇ ଦିଆଯାଇପାରିବ ନାହିଁ। ‘ଆଜାଦ ହିନ୍ଦ ଫୌଜ’ର ଅଦମ୍ୟ ସାହସ ଆଗରେ ଦିନେ ହାର ମାନିଥିଲେ ଇଂରେଜ ସରକାର। ଯାହା ଇତିହାସର ପୃଷ୍ଠାରେ ଚୀରଦିନ ପାଇଁ ଅମର ଅକ୍ଷରରେ ଲେଖାହୋଇ ରହିଛି।

“ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନ ଦେବି” ଏହା ଥିଲା ‘ଆଜାଦ ହିନ୍ଦ ଫୌଜ’ ଉଦ୍ଦେଶ୍ୟରେ ସୁବାସ ବୋଷଙ୍କ ସେହି ନାରା। ଯାହାକୁ ଅନୁସରଣ କରି କୋଟି କୋଟି ସ୍ୱାଧୀନତା ସଂଗ୍ରମୀ ସ୍ୱାଧୀନତା ଲଢ଼େଇରେ ଲମ୍ଫପ୍ରଦାନ କରିଥିଲେ। ତେବେ ଆସନ୍ତୁ ଜାଣିବା, ଭାରତର ସ୍ୱାଧୀନତାରେ କ’ଣ ରହିଛି ‘ଆଜାଦ ହିନ୍ଦ ଫୌଜ’ର ଅବଦାନ।

ଆଜାଦ ହିନ୍ଦ ଫୌଜର ସୃଷ୍ଟି

୧୯୪୨ ମସିହା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଭାରତକୁ ଇଂରେଜମାନଙ୍କ କବଳରୁ ସ୍ୱତନ୍ତ୍ର କରିବା ପାଇଁ ଗଠନ ହୋଇଥିଲା ଏକ ସଶସ୍ତ୍ର ସେନା ‘ଆଜାଦ ହିନ୍ଦ ଫୌଜ’ ବା ଇଣ୍ଡିଆନ ନ୍ୟାସନାଲ ଆର୍ମି। ଜାପନ ସହାୟତାରେ ଏହାକୁ ପତିଷ୍ଠା କରିଥିଲେ ରାସବିହାରୀ ବୋଷ। ବିଶ୍ୱଯୁଦ୍ଧରେ ଜାପାନ ଦ୍ୱାରା ବନ୍ଦି ହୋଇଥିବା ଭାରତୀୟ ସୈନ୍ୟଙ୍କୁ ନେଇ ‘ଆଜାଦ ହିନ୍ଦ ଫୌଜ’ ଗଠନ କରାଯାଇଥିଲା। ଏହା ପରେ ବର୍ମା ଏବଂ ମଲାୟାରେ ଥିବା ଭାରତୀୟ ସ୍ୱୟଂସେବକଙ୍କୁ ଦଳରେ ଭର୍ତ୍ତି କରାଯାଇ ଏକ ମଜବୁତ ସେନା ପ୍ରସ୍ତୁତ କରାଯାଇଥିଲା।

ସଂଗଠନକୁ ମଜବୁତ କରିବାର ଏକ ବର୍ଷ ପରେ ୧୯୪୩ ମସିହାରେ ସୁବାସ ଚନ୍ଦ୍ର ବୋଷ ଜାପାନ ଯାଇ ଟୋକିଓ ରେଡିଓ ଷ୍ଟେସନରେ ଏକ ବଡ଼ ଘୋଷଣା କଲେ। ନେତାଜୀ କହିଥିଲେ କି, “ଇଂରେଜମାନେ ନିଜେ ଭାରତ ଛାଡ଼ିଦେବେ ତାହା ଭାବିବା ଆମ ବୋକାମି ହେବ। ଆମକୁ ଭାରତ ବାହାରୁ ଏବଂ ଭିତରୁ ଦେଶର ସ୍ୱାଧୀନତା ପାଇଁ ଲଢ଼େଇ କରିବାକୁ ହେବ।”

ନେତାଜୀଙ୍କ ନେତୃତ୍ୱରେ ଆଜାଦ ହିନ୍ଦ ଫୌଜ

ନେତାଜୀଙ୍କ ଏହି ବକ୍ତବ୍ୟରେ ଖୁସି ହୋଇ ରାସବିହାରୀ ବୋଷ ଜୁଲାଇ ୧୯୪୩ ରେ ଆଜାଦ ହିନ୍ଦ ଫୌଜର ସମସ୍ତ ଦାୟିତ୍ୱ ସୁବାସ ବୋଷଙ୍କୁ ଦେଇଥିଲେ। ସେନାର ସୁପ୍ରିମ କମାଣ୍ଡର ଭାବେ ଦାୟିତ୍ୱ ଗହଣ କରିବା ପରେ ନେତାଜୀ ସୁବାସ ବୋଷ ଭାରତକୁ ସ୍ୱାଧୀନତା ଦେବାକୁ ପଣ କରିଥିଲେ। ଜାପାନୀ ସେନା ସହିତ ମିଶି ‘ଆଜାଦ ହିନ୍ଦ ଫୌଜ’ ବ୍ରିଟିଶ ଓ କମନୱେଲ୍‌ଥ ସେନାଠାରୁ ବର୍ମା ସହିତ ଇମ୍ଫାଲ ଓ କୋହିମା ଅଧିକାର କରିଥିଲା।

୨୧ ଅକ୍ଟୋବର ୧୯୪୩ରେ ସୁବାସ ବୋଷ ‘ଆଜାନ୍ଦ ହିନ୍ଦ ଫୌଜ’ର ସର୍ବୋଚ୍ଚ ସେନାପତି ଭାବେ ସ୍ୱତନ୍ତ୍ର ଭାରତର ଅସ୍ଥାୟୀ ସରକାର ଗଠନ କରିଥିଲେ। ଯାହାକୁ ଜର୍ମାନୀ, ଜାପାନ, ଫିଲିପାଇନ୍ସ, କୋରିଆ, ଚୀନ, ଇଟାଲି, ଆୟରଲ୍ୟାଣ୍ଡ ଭଳି ୯ଟି ଆନ୍ତରାଷ୍ଟ୍ରୀୟ ଦେଶର ମାନ୍ୟତା ମିଳିଥିଲା। ଏହା ପରେ ଜାପାନ ନିଜ ଅଧିନରେ ଥିବା ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜକୁ ଆଜାନ୍ଦ ହିନ୍ଦ ସରକାରକୁ ପ୍ରଦାନ କରିଥିଲା। ଏହି ସରକାର ଆଣ୍ଡାମାନକୁ ସହିଦ୍ ଓ ନିକୋବରକୁ ସ୍ୱରାଜ ଦ୍ୱୀପ ନାମିତ କରି ୩୦ ଡିସେମ୍ବର ୧୯୪୩ରେ ପ୍ରଥମ ଥର ପାଇଁ ସ୍ୱତନ୍ତ୍ର ଭାରତର ପତାକା ଉତ୍ତୋଳନ କରିଥିଲେ।

‘‘ଦିଲ୍ଲୀ ଚଲ୍ଲୋ’’

୧୯୪୪ ମସିହା ଫେବ୍ରୁଆରିରେ ନେତାଜୀଙ୍କ ନେତୃତ୍ୱରେ ଆଜାଦ ହିନ୍ଦ ସରକାର କୋହିମା, ପଲେଲ ଭଳି କିଛି ଭାରତୀୟ ପ୍ରଦେଶ ଉପରେ ଆକ୍ରମଣ କରି ଇଂରେଜମାନଙ୍କ କବଳରୁ ମୁକ୍ତ କରିଥିଲା। ଏହା ପରେ ଭାରତକୁ ପୂର୍ଣ୍ଣ ସ୍ୱାଧୀନତା ଦେବା ପାଇଁ ନେତାଜୀ ସୁବାସ ବୋଷ ଡାକ ଦେଇ ଥିଲେ ‘ଦିଲ୍ଲୀ ଚଲ୍ଲୋ’।

ଜୁଲାଇ ୧୯୪୪ ମସିହାରେ ରଙ୍ଗୁନ ରେଡିଓ ଷ୍ଟେସନରୁ ଜାରି ହୋଇଥିବା ଏକ ପ୍ରସାରଣରେ ମହାତ୍ମା ଗାନ୍ଧିଙ୍କୁ ନିଜ ଉପସ୍ଥିତିର ସୂଚନା ଦେଇଥିଲେ ସୁବାସ ବୋଷ। ଏଥିସହ ‘ଆଜାଦ ହିନ୍ଦ ଫୌଜ’ର ଲଢ଼େଇର ବିଜୟ ପାଇଁ ଗାନ୍ଧିଜୀଙ୍କଠାରୁ ଶୁଭକାମନା ମିଗିଥିଲେ। ଏହା ପରେ ‘ଆଜାଦ ହିନ୍ଦ ଫୌଜ’ର ଆରମ୍ଭ ହୋଇଥିଲା ‘ଦିଲ୍ଲୀ ଚଲ୍ଲୋ’ ଅଭିଯାନ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ବାଜି ପଲଟାଇ ଦେଲା

“ଆମ ମାତୃଭୂମି ସ୍ୱାଧୀନ ହେବାକୁ ଚାହୁଁଛି। ତୁମେ ମତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନ ଦେବି” ସୁବାସ ବୋଷଙ୍କ ଏହି କଥାରେ ଅନୁପ୍ରାଣିତ ହୋଇ କୋଟି କୋଟି ସ୍ୱାଧୀନତା ସଂଗ୍ରମୀ ଭାରତର ସ୍ୱାଧୀନତା ଲଢ଼େଇରେ ନିଜକୁ ଝାସ ଦେଇଥିଲେ। ଆଜାଦ ହିନ୍ଦ ଫୌଜର ଅଦମ୍ୟ ସାହାସ ଆଗରେ ଇଂରେଜ ସରକାର ହାର ମାନିବାକୁ ବସିଥିଲେ। ହେଲେ ଦୂର୍ଭାଗ୍ୟବସତ ଶେଷରେ ଯୁଦ୍ଧର ବାଜି ପଲଟି ଯାଇଥିଲା।

ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜାପନର ପରାଜୟ ପରେ ହାର ମାନିଥିଲା ଜର୍ମାନୀ। ଏଭଳି ସ୍ଥିତିରେ ‘ଆଜାଦ ହିନ୍ଦ ଫୌଜ’କୁ ଛାଡ଼ି ସୁବାସ ବୋଷଙ୍କୁ ଟୋକିଓକୁ ଫେରିଯିବାକୁ ପଡ଼ିଲା। ତେବେ କୁହାଯାଉଛି ଯେ, ଟୋକିଓ ଯିବା ବାଟରେ ଏକ ବିମାନ ଦୁର୍ଘଟଣାରେ ନେତାଜୀ ସୁବାସ ବୋଷଙ୍କ ମୃତ୍ୟୁ ହୋଇଛି। ଯଦିଓ ଆଜାଦ ହିନ୍ଦ ଫୌଜର ଅଭିଯାନ ସଫଳ ହୋଇପାରିନଥିଲା, ହେଲେ ଭାରତ ସ୍ୱାଧୀନତା ପାଇବାରେ ଫୌଜର ସୈନ୍ୟମାନଙ୍କ ତଥା ନେତାଜୀଙ୍କ ବଳିଷ୍ଠ ଅବଦାନ ରହିଛି।

Comment