ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ବର୍ତ୍ତମାନ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ରାଜ୍ୟରେ ବନ୍ୟାସ୍ଥିତି ସମୀକ୍ଷା କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିର, କଳାହାଣ୍ଡି, ବୌଦ୍ଧ, ସୁବର୍ଣ୍ଣପୁର ଓ କନ୍ଧମାଳ ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ଭିଡିଓ କନ୍‌ଫେରେନ୍‌ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି। ବନ୍ୟାସ୍ଥିତିକୁ ମୁକାବିଲା ପାଇଁ ଥିବା ଆବଶ୍ୟକତା ବିଷୟରେ ନବୀନ ସଂପୃକ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ।

ବୁଧବାର ହୀରାକୁଦ ଜଳଭଣ୍ଡାରରୁ ୧୦ ଲକ୍ଷ କ୍ୟୁସେକ୍‌ ଜଳ ଛଡ଼ାଯିବ। ଯାହା ଫଳରେ ଅଗଷ୍ଟ ୧୫ ସକାଳେ ମହାନଦୀରେ ବନ୍ୟା ଜଳ ପ୍ରବାହିତ ହେବାର ସମ୍ଭାବନ ରହିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, ନୟାଗଡ଼ ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ସତର୍କ କରାଇଛନ୍ତି। ଏହି ୬ଟି ଜିଲ୍ଲାର ନଦୀକୂଳିଆ ଅଞ୍ଚଳରେ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ଉକ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପକ୍ଷରେ ଲଗାଣ ବର୍ଷାରେ ସୃଷ୍ଟି ହୋଇଥିବା ବନ୍ୟାସ୍ଥିତିରେ ଗତ ଦୁଇ ସପ୍ତାହରେ ରାଜ୍ୟରେ ୮ ଜଣଙ୍କ ମୃତ୍ୟୁ ହୋଇଛି। ଏନେଇ ମଙ୍ଗଳବାର ଚିଫ୍‌ ରିଲିଫ୍‌ କମିସନର ବିଷ୍ଣୁପଦ ସେଠୀ ପ୍ରେସମିଟ୍‌ କରି ସୂଚନା ଦେଇଛନ୍ତି।

Comment