ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ  ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ ଓଡ଼ିଶାରେ ପ୍ରଳୟ କରିଛି। ୭ ଜିଲ୍ଲାରେ ବର୍ଷା ତାଣ୍ଡବ ରଚିଛି। କେଉଁଠି ରାସ୍ତା ଭସେଇ ନେଇଛି ତ ଆଉ କେଉଁଠି ପୋଲ ଉପରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି। ଘରେ ବି ପାଣି ପଶିଛି। ଫଳରେ ଲୋକେ ପାଣି ଘେରରେ ରହିଛନ୍ତି।

ଏହି ଦୃଶ୍ୟ ହେଉଛି କଳାହାଣ୍ଡି, ବୌଦ୍ଧ, କନ୍ଧମାଳ, ସୋନପୁର, ବଲାଙ୍ଗିର, ସୁବର୍ଣ୍ଣପୁର, ନୂଆପଡ଼ା ଜିଲ୍ଲାର। ଲଗାଣ ବର୍ଷା ଏହି ଜିଲ୍ଲାକୁ ଜଳବନ୍ଦୀ କରି ରଖିଛି। ଏହାସହ ବିଭିନ୍ନ ନଦୀରେ ଜଳସ୍ତର ମଧ୍ୟ ବୃଦ୍ଧି ପାଇଛି।

୭ଟି ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଆଜି ସନ୍ଧ୍ୟା ୭ଟା ସୁଦ୍ଧା ବଂଶଧାରା ନଦୀ କାଶୀନଗରଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ସନ୍ଧ୍ୟା ୬ଟା ସୁଦ୍ଧା ହୀରାକୁଦ ଜଳଣ୍ଡାରର ଜଳସ୍ତର ୬୧୭.୨୩ ଫୁଟ୍‌ ରହିଛି। ଲଗାଣ ବର୍ଷା ଆଣିଥିବା ବନ୍ୟାରେ ୭ଟି ଜିଲ୍ଲାର ୧୯ଟି ବ୍ଲକର ୧୩୪ଟି ଗାଁ ପ୍ରଭାବିତ ହୋଇଥିବା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କୁହାଯାଇଛି।

କଳାହାଣ୍ଡିର ୩ଟି, ବଲାଙ୍ଗିରର ୫ଟି, ବୌଦ୍ଧର ଗୋଟିଏ ବ୍ଲକ, ସୁବର୍ଣ୍ଣପୁରର ୪ଟି, କନ୍ଧମାଳର ୩ଟି, ନୂଆପଡ଼ାର ୧, ବରଗଡ଼ର ୨ଟି ବ୍ଲକ ପ୍ରଭାବିତ ହୋଇଛି।

ଏହି ବନ୍ୟାରେ ମୃତ୍ୟୁ ସଂଖ୍ୟା ୯ରେ ପହଞ୍ଚିଛି। ଉଦ୍ଧାର କାର୍ଯ୍ୟରେ ୧୫ଟି ଏନଡିଆର୍‌ଏଫ୍‌ ଟିମ୍‌ଙ୍କୁ ନିୟୋଜିତ କରାଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସଚିବାଳୟରେ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି। ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ୫ ଜିଲ୍ଲା ପାଇଁ ରିଲିଫ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ଲଗାଣ ବର୍ଷାରେ ବଲାଙ୍ଗିର ଜିଲ୍ଲାରେ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। ବଲାଙ୍ଗିର ସହର ସମେତ ୫ଟି ବ୍ଲକ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି। ଘରେ ପାଣି ପଶିଯିବାରୁ ଲୋକେ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି।

ରାସ୍ତାରେ ୩ ଫୁଟ ଉଚ୍ଚର ପାଣି ବହୁଥିବାରୁ ଗାଡ଼ି ଚଳାଚଳ ଠପ୍‌ ହୋଇଯାଇଛି।

Comment