ଓଡ଼ିଶାଲାଇଭ ବ୍ୟୁରୋ

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅବମାନନା କରି ଝାରସୁଗୁଡ଼ା ଜିଲ୍ଲାପାଳ ଜ୍ୟୋତିରଂଜନ ପ୍ରଧାନ ନିଲମ୍ବିତ ହୋଇଛନ୍ତି। ଅଦାଲତଙ୍କ କଟକଣା ସତ୍ତ୍ୱେ ଏକ ମଦ ଦୋକାନରେ ଲାଇସେନ୍ସ ବାତିଲ୍ କରିବା ଘଟଣାରେ ହାଇକୋର୍ଟ ଜିଲ୍ଲାପାଳ ଜ୍ୟୋତିରଂଜନଙ୍କୁ ନିଲମ୍ବନ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଏହି ଘଟଣାର ଏକ ପ୍ରଶାସନିକ ତଦନ୍ତ ଲାଗି ମଧ୍ୟ ଅଦାଲତ ରାଜସ୍ୱ ବିଭାଗ ପ୍ରମୁଖ ଶାସନସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

କେ.ବୀଣା ନାୟକଙ୍କ ପକ୍ଷରୁ ଆଗତ ଏକ ମାମଲାର ଶୁଣାଣି କରି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ କେ.ଏସ୍. ଜାଭେରୀ ଏବଂ ବିଚାରପତି ଜଷ୍ଟିସ୍ କେ.ଆର୍. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ବ୍ରଜରାଜନଗରରେ କେ. ବୀଣା ପଟ୍ଟନାୟକଙ୍କ ଏକ ମଦ ଦୋକାନ ଥିଲା। କିନ୍ତୁ ଏହି ଦୋକାନ ଉପରେ ସରକାରୀ ଟିକସ ବଢିବାରୁ ପ୍ରଶାସନ ପକ୍ଷରୁ ନୋଟିସ୍ କରାଯାଇଥିଲା। ପ୍ରଶାସନର ଏହି ନୋଟିସ୍‌କୁ ଚାଲେଞ୍ଜ କରି ସେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ।

ଓଡ଼ିଶା ହାଇକୋର୍ଟ ମାମଲାର ଶୁଣାଣି କରି ଏକ ଅନ୍ତରୀଣ ନିର୍ଦ୍ଦେଶନାମାରେ ଏହି ମଦ ଦୋକାନ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଝାରସୁଗୁଡ଼ା ଜିଲ୍ଲାପାଳ ମଦ ଦୋକାନ ଲାଇସେନ୍ସ ବାତିଲ୍ କରିଥିଲେ।

ଏସଂକ୍ରାନ୍ତରେ ଅଭିଯୋଗକାରିଣୀ ଅଦାଲତରେ ଅବଗତ କରାଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଉଲଘଂନ ହେବା ସ୍ପଷ୍ଟ ହେବା ପରେ ହାଇକୋର୍ଟ ଜିଲ୍ଲାପାଳଙ୍କୁ ନିଲମ୍ଵନ ନିର୍ଦ୍ଦେଶ ଦେଇଛନ୍ତି। ଏହାର ପରବର୍ତ୍ତୀ ଶୁଣାଣୀ ଅଗଷ୍ଟ ୨୭ରେ କରାଯିବ।

LEAVE A REPLY

Please enter your comment!
Please enter your name here