ଓଡ଼ିଶାଲାଇଭ୍ ବ୍ୟୁରୋ

  • କୋଟିଆରେ ଆନ୍ଧ୍ରର ନିର୍ବାଚନକୁ ତୁରନ୍ତ ବନ୍ଦ କରାଯାଉ
  • ସୀମା ସୁରକ୍ଷା ପାଇଁ ପଦକ୍ଷେଦ ନିଅନ୍ତୁ ରାଜ୍ୟ ସରକାର
  • ୧୯୩୬ ଓଡ଼ିଶା ଗଠନ ବେଳେ କୋଟିଆ ଓଡ଼ିଶାର ଥିଲା
  • ୧୯୫୫ରେ ବି କୋଟିଆ ଓଡ଼ିଶାର ହିଁ ଥିଲା
  • ସାଧାରଣଠୁ ନେଇ ପଞ୍ଚାୟତ କୋଟିଆରେ ସବୁ ନିର୍ବାଚନ ଓଡ଼ିଶା ହିଁ କରିଛି

ହାଇକୋର୍ଟରେ ପହଞ୍ଚିଛି କୋଟିଆ ନିର୍ବାଚନ ପ୍ରସଙ୍ଗ। ବୁଧବାର ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ଵାର୍ଥ ମାମଲା ଦାୟର କରାଯାଇଛି। କୋଟିଆରେ ତୁରନ୍ତ ନିର୍ବାଚନ ବନ୍ଦ କରିବା ପାଇଁ ଆନ୍ଧ୍ରକୁ ନିର୍ଦ୍ଦେଶ ଦେବା ସହ ସୀମା ସୁରକ୍ଷା ନେଇ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ପରିଷଦ କୋର୍ଟଙ୍କୁ ଅପିଲ କରିଛି।

ଓଡ଼ିଶାର ୩ଟି ଜିଲ୍ଲା ଗଞ୍ଜାମ, ଗଜପତି ଏବଂ କୋରାପୁଟର କିଛି ଅଞ୍ଚଳକୁ ଆନ୍ଧ୍ର ନିଜର କହି ଜବରଦସ୍ତ ତା ଉପରେ ଅଧିକାର ଜାହିର କରୁଛି। ତେଣୁ ସୀମା ସୁରକ୍ଷା ନେଇ ରାଜ୍ୟ ସରକାର ଚିନ୍ତା କରିବା ସହ କୋଟିଆ ପ୍ରସଙ୍ଗରେ ତୁରନ୍ତ କିଛି ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଭାରତୀୟ ବିକାଶ ପରିଷଦ ହାଇକୋର୍ଟଙ୍କୁ ନିବେଦନ କରିଛନ୍ତି।ପରିଷଦ ପକ୍ଷରୁ ବୁଧବାର କୋର୍ଟରେ କରାଯାଇଥିବା ଜନସ୍ଵାର୍ଥ ମାମଲାରେ ରାଜ୍ୟ ଗୃହ ଏବଂ ରାଜସ୍ଵ ବିଭାଗର ସଚିବମାନଙ୍କୁ ପକ୍ଷଭୁକ୍ତ କରାଯାଇଥିବା ସହ ଉପରୋକ୍ତ ୩ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ବି ପକ୍ଷଭୁକ୍ତ କରାଯାଇଛି।

ଆବେଦନକାରୀ ବିକାଶ ପରିଷଦର ସଦସ୍ୟଙ୍କ କହିବା ଅନୁସାରେ ୧୯୩୬ ମସିହାରେ ଓଡ଼ିଶା ରାଜ୍ୟ ଗଠନ ସମୟରେ ଯେଉଁ ସୀମା ନିର୍ଦ୍ଧାରଣ କରାଯାଇଥିଲା କୋଟିଆ ସେଥିରେ ଥିଲା। ପରବର୍ତ୍ତୀ ସମୟରେ ୧୯୫୫ର ମଧ୍ୟ ସୀମା ନିର୍ଦ୍ଧାରଣରେ ବି ସମାନ ସ୍ଥିତି ଥିଲା। ଏପରିକି ସ୍ଵାଧୀନତା ପରେ ହୋଇ ଆସୁଥିବା ସମସ୍ତ ନିର୍ବାଚନ ଏବଂ ଓଡ଼ିଶାରେ ପଞ୍ଚାୟତିରାଜ ବ୍ୟବସ୍ଥା ଆରମ୍ଭ ହେବା ସମୟରେ ମଧ୍ୟ ଓଡ଼ିଶା ସରକାର ହିଁ କୋଟିଆରେ ନିର୍ବାଚନ କରିଛନ୍ତି।

୨୦୧୭ରେ ଓଡ଼ିଶା ପଞ୍ଚାୟତ ଏବଂ ୨୦୧୯ରେ ସାଧାରଣ ନିର୍ବାଚନରେ କୋଟିଆରେ ଓଡ଼ିଶା ସରକାର ହିଁ ନିର୍ବାଚନ କରିଥିଲେ। ଓଡ଼ିଶାର ସୀମା ଅଞ୍ଚଳଗୁଡ଼ିକରେ ଆନ୍ଧ୍ରପ୍ରଦେଶ ଏପରି ଆଚରଣ ଏକ ଆନ୍ତଃ ରାଜ୍ୟ ମାମଲା ସୃଷ୍ଟି କରିଛି। ତେଣୁ ହାଇକୋର୍ଟ ଏନେଇ ତୁରନ୍ତ କିଛି ନିଷ୍ପତ୍ତି ନେବା ସହ ଓଡ଼ିଶା ସରକାରଙ୍କୁ ସୀମା ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ।

Comment