ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ ଓ ପାକିସ୍ତାନରେ କାହିଁକି ଅଲଗା ଅଲଗା ଦିନରେ ସ୍ୱାଧୀନତା ଦିବସ ପାଳନ କରାଯାଏ। ଆସନ୍ତୁ ଜାଣିବା।

୧୯୪୭ ମସିହା ଅଗଷ୍ଟ ମାସ ୧୫ ତାରିଖର ମଧ୍ୟରାତ୍ରିରେ ଇଂରେଜ କବଳରୁ ମୁକ୍ତ ହୋଇ ସ୍ୱାଧୀନ ରାଷ୍ଟ୍ରର ମାନ୍ୟତା ପାଇଥିଲା ଭାରତ। ଅଖଣ୍ଡ ଭାରତକୁ ବିଭାଜନ କରାଯାଇ ଭାରତ ଓ ପାକିସ୍ଥାନ ନାମରେ ଦୁଇଟି ଦେଶ ଗଠନ କରାଯାଇଥିଲା। ତେବେ ଭାରତ ୧୫ ଅଗଷ୍ଟରେ ନିଜର ସ୍ୱାଧୀନତା ଦିବସ ପାଳନ କରୁଥିବାବେଳେ ପାକିସ୍ତାନ ତା’ର ସ୍ୱାଧୀନତା ଦିବସ ଅଗଷ୍ଟ ୧୪ରେ ପାଳନ କରିଥାଏ। ତେବେ ଏହା ପଛରେ କ’ଣ ରହିଛି କାରଣ? ଆସନ୍ତୁ ଜାଣିବା।

ଜଣାଶୁଣା ପାକିସ୍ତାନୀ ଐତିହାସିକ କେ କେ ଅଜିଜଙ୍କ ପୁସ୍ତକ ଅନୁସାରେ, ଭାରତର ସ୍ୱାଧୀନତା ବିଲ୍ ବ୍ରିଟିଶ୍ ସଂସଦରେ ଜୁଲାଇ ୪ରେ ପାରିତ ହୋଇଥିଲା। ୧୫ ଜୁଲାଇରେ ଏହି ବିଲଟି ଆଇନର ରୂପ ନେଇଥିଲା। ଏହି ବିଲ୍ ଅନୁସାରେ ୧୪ ଏବଂ ୧୫ ଅଗଷ୍ଟ ମଧ୍ୟରାତ୍ରିରେ ଭାରତ ଓ ପାକିସ୍ତାନର ବିଭାଜନ ହେବାର ଥିଲା। ବିଲ୍ ଅନୁସାରେ ଭାରତ ଓ ପାକିସ୍ତାନର ବିଭାଜନ ପରେ ଦୁଇଟି ଦେଶ ସ୍ୱାଧୀନ ରାଷ୍ଟ୍ରର ମାନ୍ୟତା ପାଇବେ।

ସେହି ସମୟରେ ଲର୍ଡ଼ ମାଉଣ୍ଟବ୍ୟାଟେନ୍ ଥିଲେ ବ୍ରିଟିଶ୍ ସରକାରଙ୍କ ପ୍ରତିନିଧି। ଆଇନ୍ ଅନୁଯାୟୀରେ ଉଭୟ ଦେଶଙ୍କୁ କ୍ଷମତା ହସ୍ତାନ୍ତର କରିବା ପରେ ଲର୍ଡ଼ ମାଉଣ୍ଟବ୍ୟାଟେନ୍ ସ୍ୱାଧୀନ ଭାରତର ଗଭର୍ଣ୍ଣର ଜେନେରାଲ ରହିବେ। ତେବେ ୧୫ ଅଗଷ୍ଟରେ ଏକା ସାଙ୍ଗରେ ଦିଲ୍ଲୀ ଓ କରାଚି ଯାଇ କ୍ଷମତା ହସ୍ତାନ୍ତର କରିବା ମାଉଣ୍ଟବ୍ୟାଟେନଙ୍କ ପକ୍ଷରେ ସମ୍ଭବ ନଥିଲା।

ତେଣୁ ମାଉଣ୍ଟବ୍ୟାଟେନ୍ ୧୪ ଅଗଷ୍ଟରେ ପାକିସ୍ତାନକୁ କ୍ଷମତା ହସ୍ତାନ୍ତର କରିଥିଲେ। ଏହା ସହ ଅଗଷ୍ଟ ୧୫ରେ ଭାରତକୁ କ୍ଷମତା ହସ୍ତାନ୍ତର କରି ସ୍ୱାଧୀନ ଭାରତର ଗଭର୍ଣ୍ଣର ଜେନେରାଲ ପଦବୀରେ ରହିଲେ। ଏହି କାରଣରୁ ପାକିସ୍ତାନ ନିଜର ସ୍ୱାଧୀନତା ଦିବସ ଅଗଷ୍ଟ ୧୪ରେ ପାଳନ କରିଥାଏ।

ଅନ୍ୟପକ୍ଷରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ମହମ୍ମଦ ଅଲ୍ଲୀ ତାଙ୍କର ପୁସ୍ତକ ‘ଦ ଏମରଜେନ୍ସ ଅଫ୍ ପାକିସ୍ତାନ’ରେ ମଧ୍ୟ ଏ ସମ୍ବନ୍ଧରେ ଲେଖିଛନ୍ତି। ସେ ଲେଖିଛନ୍ତି, ୧୯୪୭ ମସିହା ଅଗଷ୍ଟ ୧୪ ଦିନଟି ରମ୍‌ଜାନ ମାସର ଶେଷ ଜୁମା ଥିଲା। ଯାହା ଇସଲାମ୍ ମାନ୍ୟତା ଅନୁସାରେ ଏକ ପବିତ୍ର ଦିନ। ଏହି ପବିତ୍ର ଦିନରେ ମହମ୍ମଦ ଅଲ୍ଲୀ ଜିନା ପାକିସ୍ତାନର ଗଭର୍ଣ୍ଣର ଜେନେରାଲ ହୋଇଥିଲେ। ସେଥିପାଇଁ ପାକିସ୍ତାନ ୧୪ ଅଗଷ୍ଟରେ ନିଜର ସ୍ୱାଧୀନତା ଦିବସ ପାଳନ କରିଥାଏ।

Comment