ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ହେଉଛି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ପ୍ରଥମ ଶାଦ୍ଧ ବାର୍ଷିକୀ। ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ବାଜପେୟୀଙ୍କୁ ଦେଉଛନ୍ତି ଶ୍ରଦ୍ଧାଞ୍ଜଳି। ହେଲେ ଓଡ଼ିଶାର ନିଆରା ଖବରକାଗଜ ସଂଗ୍ରାହକ ଶଶାଙ୍କ ଶେଖର ଦାଶ ବାଜପେୟୀଙ୍କ ଦେହାନ୍ତ ସମ୍ପର୍କୀତ ଖବରକାଗଜ ସଂଗ୍ରହ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

୨୦୧୮ ଅଗଷ୍ଟ ୧୬ରେ ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଦେହାନ୍ତ ହୋଇଥିଲା। ବାଜପେୟୀଙ୍କ ଦେହାନ୍ତ ଖବରକୁ ଓଡ଼ିଆ ସମେତ ଭାରତର ପ୍ରମୁଖ ଖବରକାଗଜ ପ୍ରଥମ ପୃଷ୍ଠାରେ ସ୍ଥାନ ଦେଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ଏହିସବୁ ପତ୍ରପତ୍ରିକା ଏବଂ ଖବରକାଗଜକୁ ପାଠକମାନଙ୍କ ପାଇଁ ସଂଗ୍ରହ କରିଥିଲେ ନିଆରା ସଂଗ୍ରାହକ ଶଶାଙ୍କ ଶେଖର ଦାଶ। ବାଜପେୟୀଙ୍କ ଦେହାନ୍ତ ଖବର ପ୍ରକାଶ ପାଇଥିବା ପ୍ରାୟ ୪୪୭ ଖବରକାଗଜ ଓ ପତ୍ରିକା ସେ ସଂଗ୍ରହ କରି ଆଉ ଏକ ସଫଳତା ସାଉଁଟିଛନ୍ତି। ଏହା ହେଉଛି ଶଶାଙ୍କର ଆଉ ଏକ ଅନନ୍ୟ ରେକର୍ଡ।

୨୦୧୮ ଅଗଷ୍ଟ ୧୭ ତାରିଖରେ ପ୍ରମୁଖ ଖବରକାଗଜରେ ବାଜପେୟୀଙ୍କ ଦେହାନ୍ତ ସମ୍ପର୍କୀତ ଖବର ପ୍ରକାଶ ପାଇଥିଲା। ଏହି ଖବରବାଗଜକୁ ସଂଗ୍ରହ କରି ଗୋଟିଏ ଜାଗାରେ ଏକାଠି କରିବାକୁ ପ୍ରୟାସ କରିଥିଲେ ଶଶାଙ୍କ।

ଶଶାଙ୍କ ସଂଗ୍ରହ କରିଥିବା ଖବରକାଗଜ ମଧ୍ୟରେ ଅଧିକାଂଶ ହେଉଛି ଓଡ଼ିଆ। ଅଗଷ୍ଟ ୧୭ ତାରିଖର (ବାଜପେୟୀଙ୍କ ଦେହାନ୍ତ) ଖବରକାଗଜ ୪୨୨ଟି ସଂଗ୍ରହ କରିଥିବା ବେଳେ ୨୫ଟି ପତ୍ରିକା ସଂଗ୍ରହ କରିଛନ୍ତି ଶଶାଙ୍କ। ସେହିପରି ବାଜପେୟୀଙ୍କ ସମ୍ପର୍କିତ ୧୦ଟି ବହି ମଧ୍ୟ ଶଶାଙ୍କ ସଂଗ୍ରହ କରିବାରେ ସମଫଳ ହୋଇଛନ୍ତି।

ଓଡ଼ିଆ ସହ ଅନ୍ୟ ଭାଷାର ଖବରକାଗଜ ଏବଂ ପତ୍ରିକା ସଂଗ୍ରହ କରି ରେକର୍ଡ ସୃଷ୍ଟି କରିଛନ୍ତି ଶଶାଙ୍କ।

ବାଜପେୟୀଙ୍କ ଦେହାନ୍ତ ସମ୍ପର୍କରେ ପ୍ରକାଶ ପାଇଥିବା ବଙ୍ଗଳା, ଇଂରାଜି, ଗୁଜୁରାଟୀ, ହିନ୍ଦୀ, କନ୍ନଡ, ମାଲାୟଲମ, ମରାଠୀ, ଓଡ଼ିଆ, ପଞ୍ଜାବୀ, ତାମିଲ, ତେଲୁଗୁ, ଉର୍ଦ୍ଦୁ ଭାଷାର ଖବରକାଗଜ ସଂଗ୍ରହ କରି ତାଙ୍କ ସଂଗ୍ରହାଳୟରେ ସ୍ଥାନୀତ କରିଛନ୍ତି।

ସେହିପରି ବଙ୍ଗଳା, ଇଂରାଜି, ହିନ୍ଦୀ, ଓଡ଼ିଆ, ତେଲୁଗୁ, ପଞ୍ଜାବୀ, ଓଡ଼ିଆ ପତ୍ରିକା ସଂଗ୍ରହ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଶଶାଙ୍କ ୬ ହଜାର ୫୦୦ରୁ ଅଧିକ ଖବରକାଗଜ ସଂଗ୍ରହ କରିଛନ୍ତି ଶଶାଙ୍କ। ସେହିପରି ୧୦୪ଟି ଦେଶର ୯୬ଟି ଭାଷାର ଖବରକାଗଜ ତାଙ୍କ ସଂଗ୍ରହାଳୟରେ ସ୍ଥାନ ପାଇଛି।

ସେହିପରି ବାଜପେୟୀଙ୍କର ୭୦ଟି ଡାକ ଟିକେଟ ମଧ୍ୟ ସଂଗ୍ରହ କରିଛନ୍ତି ଶଶାଙ୍କ।

କେଉଁଠି ଏହି ସଂଗ୍ରହାଳୟ?

ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଅରଙ୍ଗାବାଦ ଗ୍ରାମର ଶଶାଙ୍କ ଶେଖର ଦାଶ ନିଜ ଉଦ୍ୟମରେ ସଂଗ୍ରହାଳୟ ପ୍ରତିଷ୍ଠା କରିଛନ୍ତି। ଦୋଳ ଗୋବିନ୍ଦ ନ୍ୟୁଜ୍‍ ପେପର ମ୍ୟୁଜିୟମ୍‍ ଆଣ୍ଡ ରିସର୍ଚ୍ଚ ସେଣ୍ଟର ନାମରେ ଅରଙ୍ଗାବାଦରେ ସଂଗ୍ରହାଳୟ କରି ବହୁ ଖବରକାଗଜପ୍ରେମୀଙ୍କ ପ୍ରିୟଭାଜନ ହୋଇ ପାରିଛନ୍ତି।

ସାମ୍ବାଦିକତା କରୁଥିବା ବେଳେ ହିଁ ଶ୍ରୀ ଦାଶ ଖବରକାଗଜ ସଂଗ୍ରହ ଉପରେ ଗୁରୁତ୍ୱ ଦେଇଥିଲେ। ଫଳରେ ୨୦୦୧ରୁ ଏହି ଅଭିଯାନ ଆରମ୍ଭ ହୋଇଥିଲା। ସେହି ଦିନରୁ ଆଜିପର୍ଯ୍ୟନ୍ତ ନିଜ ଉଦ୍ୟମରେ ସେ ୬ ହଜାରରୁ ଅଧିକ ଖବରକାଗଜ ସଂଗ୍ରହ କରିଛନ୍ତି।

ସଂଗ୍ରହାଳୟରେ ଅଛି ’ଣ ?

ଓଡିଶାର ଅନେକ ଲୋକ ଖବରକାଗଜ ସଂଗ୍ରହ କରୁଛନ୍ତି। ହେଲେ ଶ୍ରୀ ଦାଶ ହେଉଛନ୍ତି ଏମିତି ଜଣେ ଯୁବକ ଯିଏ କି ସବୁବେଳେ ସ୍ୱତନ୍ତ୍ର ସଂଗ୍ରହକୁ ଗୁରୁତ୍ୱ ଦେଇ ଆସୁଛନ୍ତି। ତାଙ୍କ ସଂଗ୍ରହାଳୟରେ ଏମିତି କିଛି ଖବରକାଗଜ ଅଛି ଯାହା ଆଖିରେ ନ ଦେଖିଲେ ବିଶ୍ୱାସ ହେବନି। ତାଙ୍କ ସଂଗ୍ରହାଳୟରେ ‘ଉତ୍କଳ’ ନାମ ଥାଇ ୫୦ରୁ ଊର୍ଦ୍ଧ୍ୱ ଖବରକାଗଜ ରହିଥିବା ବେଳେ ‘ଓଡିଶା’ ନାମ ଥାଇ ୪୦ରୁ ଊର୍ଦ୍ଧ୍ୱ, ‘କଳିଙ୍ଗ’ ନାମଥାଇ ୪୦ରୁ ଊର୍ଦ୍ଧ୍ୱ, ‘ଟାଇମ୍ସ’ ନାମ ଥାଇ ୭୦ରୁ ଊର୍ଦ୍ଧ୍ୱ, ସମାଚାର ନାମ ଥାଇ ୬୦ରୁ ଊର୍ଦ୍ଧ୍ୱ ଖବରକାଗଜ ରହିଛି।

ସେହିପରି ଥାଇ, ଚାଇନିଜ୍‍, ଜାପାନିଜ୍‍, ଏବଂ ଡଚ୍‍ ଭଳି ବିଦେଶୀ ଭାଷାର ଖବରକାଗଜ ରହିଥିବା ବେଳେ ଅଲଚିକି, କୁଡୁମାଲି, ହୋ, ମିଜୋ, ଗାରୋ ଆଦିବାସୀ ଭାଷାର ଖବରକାଗଜ ସାଇତା ହୋଇ ରହିଛି। ସ୍ୱତନ୍ତ୍ର ଖବରକାଗଜ ସଂଗ୍ରହ କରିବାରେ ମଧ୍ୟ ଶ୍ରୀ ଦାଶଙ୍କର ଏକ ସ୍ୱତନ୍ତ୍ରତା ରହିଛି।

ଉତ୍ତରପ୍ରଦେଶର ଚିତ୍ରକୂଟରୁ ବୁନ୍ଦେଲି ଭାଷାରେ ପ୍ରକାଶ ପାଉଥିବା ମହିଳାଙ୍କ ଖବରକାଗଜ ‘ଖବର ଲହରିଆ’, ହିନ୍ଦି ଏବଂ ଇଂରାଜୀ ଭାଷାରେ ଦିଲ୍ଲୀର ଶିଶୁ ଶ୍ରମିକମାନେ ପ୍ରକାଶ କରୁଥିବା ‘ବାଳକନାମା’, ଓଡିଶାର କରଞ୍ଜିଆରୁ ପ୍ରକାଶ ପାଉଥିବା ଶିଶୁ ଖବରକାଗଜ ‘ମୁହାଁମୁହିଁ’, କୋରାପୁଟର ପ୍ରକାଶ ପାଉଥିବା ‘ଅଙ୍କୁରୋଦ୍‍ଗମ୍‍’, ଝାଡଖଣ୍ଡ ଦୁମୁକାରୁ ପ୍ରକାଶ ପାଉଥିବା ହାତଲେଖା ଖବରକାଗଜ ‘ଦିନ୍‍ ଦଲିତ୍‍’, କର୍ଣ୍ଣାଟକ ମହୀଶୂରରୁ ପ୍ରକାଶିତ ପୃଥିବୀର ପ୍ରଥମ ସଂସ୍କୃତ ଦୈନିକ ‘ସୁଧର୍ମା’ ଏବଂ ‘ନ୍ୟୁୟର୍କ ଟାଇମ୍ସ’ ଭଳି ନାମୀଦାମୀ ଖବରକାଗଜ ସଂଗ୍ରହ କରି ଶ୍ରୀ ଦାଶ ସଂଗ୍ରହାଳୟ ଜଗତରେ ରେକର୍ଡ ସୃଷ୍ଟି କରିଛନ୍ତି।

Comment