ଓଡ଼ିଶାଲାଇଭ ବ୍ୟୁରୋ

ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ଉପରୁ ହଟିଲା ନିଲମ୍ବନ ଆଦେଶ। କିନ୍ତୁ ତାଙ୍କୁ ଝାରସୁଗୁଡ଼ା ଜିଲ୍ଲାପାଳ ଭାବେ ଦାୟିତ୍ୱ ଦିଆଯିବନାହିଁ। ଅର୍ଥାତ୍ ତାଙ୍କୁ ସେଠାରୁ ହଟାଇ ଦିଆଯିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ କେ.ଏସ୍. ଜାଭେରୀ ଏବଂ ବିଚାରପତି ଜଷ୍ଟିସ୍ କେ.ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଅଦାଲତଙ୍କ ରହିତାଦେଶ ସତ୍ତ୍ୱେ ଏକ ମଦ ଦୋକାନ ଲାଇସେନ୍ସ ବାତିଲ୍ କରିବା ଅଭିଯୋଗରେ ଓଡ଼ିଶା ହାଇକୋର୍ଟ ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ଗତ ୧୩ ତାରିଖରେ ନିଲମ୍ବନ କରିଥିଲେ। ଏହାର ପରଦିନ ଅର୍ଥାତ ୧୪ତାରିଖରେ ରାଜ୍ୟ ସରକାରଙ୍କ ପ୍ରଶାସନ ବିଭାଗ ପକ୍ଷରୁ ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ କରାଯାଇଥିଲା। ଏଥିରେ ଉଲ୍ଲେଖ କରାଯାଇଥିଲା ଯେ, ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଝାରସୁଗୁଡା ଜିଲ୍ଲାପାଳଙ୍କୁ ନିଲମ୍ବିତ କରାଯାଇଛି। ଏଥିସହ ଅବକାରୀ ବିଭାଗ ପକ୍ଷରୁ ଆଉ ଏକ ସତ୍ୟପାଠ ହାଇକୋର୍ଟରେ ଦାଖଲ କରାଯାଇଥିଲା।

ମଦ ଦୋକାନର ଲାଇସେନ୍ସ ବାତିଲ୍ ମାମଲାରେ ହାଇକୋର୍ଟଙ୍କ ଆଦେଶର ଉଲ୍ଲଂଘନ କରାଯାଇ ଯେଉଁସବୁ ପଦକ୍ଷେପ ନିଆଯାଇଛି ତାହାକୁ ପ୍ରତ୍ୟାହୃତ କରାଯାଇଛି ବୋଲି ସତ୍ୟପାଠରେ କୁହାଯାଇଥିଲା। ସେହିପରି ଏହି ସ୍ଥାନରେ ଅନ୍ୟ ଯେଉଁ ମଦ ଦୋକାନକୁ ଲାଇସେନ୍ସ ଦିଆଯାଇଛି ତାହାକୁ ମଧ୍ୟ ରଦ୍ଦ କରି ଦିଆଯାଇଛି। ଏହି ଦୁଇଟି ସତ୍ୟପାଠ ପରେ ଆଜି ଓଡ଼ିଶା ହାଇକୋର୍ଟରେ ଝାରସୁଗୁଡ଼ାର ପୂର୍ବତନ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ବ୍ୟକ୍ତିଗତ ଭାବେ ହାଜର ହୋଇ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ। ଏସବୁକୁ ବିଚାରକୁ ନେଇ ଓଡ଼ିଶା ହାଇକୋର୍ଟ ତାଙ୍କ ପୂର୍ବ ଆଦେଶରେ ପରିବର୍ତ୍ତନ କରି ଜିଲ୍ଲାପାଳଙ୍କ ଉପରୁ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରି ନେଇଛନ୍ତି।

ଝାରସୁଗୁଡା ବ୍ରଜରାନଗରରେ ଅଭିଯୋଗକାରିଣୀ କେ.ବିଣା ପଟ୍ଟନାୟକଙ୍କ ନାମରେ ଏକ ମଦ ଦୋକାନ ଥିଲା। କିନ୍ତୁ ତାଙ୍କ ଉପରେ ସରକାରୀ ଟିକସ ବଢିବାରୁ ପ୍ରଶାସନ ପକ୍ଷରୁ ତାଙ୍କୁ ନୋଟିସ୍ କରାଯାଇଥିଲା। ଏହାକୁ ଚାଲେଞ୍ଜ କରି ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଓଡ଼ିଶା ହାଇକୋର୍ଟ ମାମଲାର ଶୁଣାଣି କରି ଏକ ଅନ୍ତରୀଣ ନିର୍ଦ୍ଦେଶନାମାରେ ଏହି ମଦ ଦୋକାନ ଉପରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଝାରସୁଗୁଡ଼ା ଜିଲ୍ଲାପାଳ ଏହି ମଦ ଦୋକାନକାନର ଲାଇସେନ୍ସ ବାତିଲ୍ କରିବା ସହ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ମଦ ଦୋକାନ ପାଇଁ ଲାଇସେନ୍ସ ପ୍ରଦାନ କରିଥିଲେ।

Comment