ଓଡ଼ିଶାଲାଇଭ୍‌ ବ୍ୟୁରୋ

ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ଅଫିସ ଆଗରେ ବସିଲେ ଅନୁପ ସାଏଙ୍କ ପୂରା ପରିବାର। ଜିଲ୍ଲାପାଳଙ୍କୁ ଫେରାଦ ହେବା ଲାଗି ସେଠାରେ ପହଞ୍ଚିଛନ୍ତି ଅନୁପଙ୍କ ପରିବାର। ଅନୁପଙ୍କ ପତ୍ନୀ, ପୁଅ, ଝିଅ, ମା’ ଓ ଭାଇ ଜିଲ୍ଲାପାଳଙ୍କ ଅଫିସ ଆଗରେ ବସି ରହିଛନ୍ତି। ରାୟଗଡ଼ ପୋଲିସ ଧମକ ଚମକ ଦେଉଥିବା ଅନୁପଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି।

ଅନୁପଙ୍କ ବଡ଼ ଭାଇ ନିଜ ପ୍ରତିକ୍ରିୟାରେ କହିଛନ୍ତି, “ଆମ ମାନ ସମ୍ମାନ ସବୁ ଗଲା, ରାୟଗଡ଼ ପୋଲିସ ଦାଦାଗିରି କରୁଛି ଆମ ସହ। ପୋଲିସ ତଦନ୍ତ ନାଁରେ ଆମ ପରିବାରକୁ ବାରମ୍ଵାର ନୋଟିସ କରୁଛି। ଆମକୁ ଉଠେଇ ନେବାକୁ ଧମକ ଦିଆଯାଉଛି। ଏଥିରେ ରାଜନୈତିକ ଷଡ଼ଯନ୍ତ୍ର ରହିଛି। ଯଦି ଆମକୁ ସୁରକ୍ଷା ନଦିଆଯାଏ ଆମେ ସବୁ ବିଷ ପିଇଦବୁ।“

ପୂରା ଘଟଣାରେ ଆମକୁ ଫସାଇ ଦିଆଯାଇଛି। ମୋ ପୁଅ ଶୁଭମ୍‌କୁ ଉଠାଇ ନେବାକୁ ପୋଲିସ କହୁଛି। ସୁରକ୍ଷା ଦାବି କରି ଆମେ ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ବସିଛୁ। ଯେ ପର୍ଯ୍ୟନ୍ତ ସୁରକ୍ଷା ମିଳିନି ଆମେ ଯିବୁନି ବୋଲି କହିଛନ୍ତି ଅନୁପଙ୍କ ସ୍ତ୍ରୀ ସୁଷମା।

୨୦୧୬ ମା-ଝିଅ ଡବଲ ମର୍ଡରରେ ଛତିଶଗଡ଼ ପୋଲିସ ବ୍ରଜରାଜନଗର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଗିରଫ କରିଥିଲା। ଏହି ଘଟଣାର ବର୍ତ୍ତମାନ ସୁଦ୍ଧା ତଦନ୍ତ ଜାରି ରଖିଛି ପୋଲିସ। ଅଧିକ ତଥ୍ୟ ପାଇଁ ମଧ୍ୟ ପୋଲିସ ଅନୁପ ସାଏଙ୍କୁ ୩ଦିନିଆ ରିମାଣ୍ଡରେ ଆଣିଥିଲା, ଯାହାର ଅବଧି ଆଜି ଶେଷ ହୋଇଯାଇଛି।

ଏହି ଘଟଣାରେ ଅନୁପ ଓ ତାଙ୍କ ଡ୍ରାଇଭରଙ୍କ ସମେତ ଆଉ ଅନ୍ୟ ଜମେ ବ୍ୟକ୍ତି ସାମିଲ ଥିବା ପୋଲିସ ସନ୍ଦେହ କରୁଛି। ଏହାସହ ଏକ ଇନୋଭା ଗାଡ଼ି ମଧ୍ୟ ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିବା ପୋଲିସ ସନ୍ଦେହରେ ରହିଛି।

୨୦୧୬ ମସିହାର କଳ୍ପନା ଦାସ ଏବଂ ତାଙ୍କ ଝିଅ ହତ୍ୟା ମାମଲାରେ ଛତିଶଗଡ଼ ପୋଲିସ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଗିରଫ କରିଛି। ମୃତ କଳ୍ପନାଙ୍କ କଲ୍‌ ରେକର୍ଡ ଯାଞ୍ଚରୁ ଯାହା ପ୍ରମାଣ ମିଳିଛି ତାକୁ ଆଧାର କରି ପୋଲିସ ଅନୁପଙ୍କୁ ଗିରଫ କରିଥିଲା। ହେଲେ କୋର୍ଟରେ ଏହି ପ୍ରମାଣ ଅନୁପଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ ସହାୟକ ହେବ ନାହିଁ ବୋଲି ଆଇନଜୀବୀମାନେ ମତ ଦେଉଛନ୍ତି। ଏଣୁ ଅନୁପଙ୍କୁ କୋର୍ଟରେ ଦୋଷୀ ସାବ୍ୟସ୍ତ କରିବା ଲାଗି ଛତିଶଗଡ଼ ପୋଲିସ ଉଦ୍ୟମ ଚଳାଇଛି।

Comment