ଓଡ଼ିଶାଲାଇଭ୍ ବ୍ୟୁରୋ

ଅନୁପ ସାଏଙ୍କର ହେବନି ନାର୍କୋ ଟେଷ୍ଟ। ନାର୍କୋ ଟେଷ୍ଟ ପାଇଁ ଆବେଦନ କରିଥିବା ଚକ୍ରଧରନଗର ପୋଲିସର ଆବେଦନକୁ ଖାରଜ କରିଦେଇଛନ୍ତି ରାଇଗଡ଼ ସିଜେଏମ୍ କୋର୍ଟ।

ଝାରସୁଗୁଡ଼ା ଡବଲ୍ ମର୍ଡର ଘଟଣାରେ ବନ୍ଧା ହୋଇଥିବା ବ୍ରଜରାଜନଗର ପୂର୍ବତନ ବିଧାୟକ ଅନୁପ ସାଏଙ୍କ ରିମାଣ୍ଡ ଅବଧି ଶେଷ ହେବା ପରେ ଚକ୍ରଧରନଗର ପୋଲିସ୍ ଅଧିକ ସୁରାକ୍ ପାଇବା ପାଇଁ ନାର୍କୋ ଟେଷ୍ଟ ଆବେଦନ କରିଥିଲା। ଯାହାକୁ ରାଇଗଡ଼ ସିଜିଏମ୍ କୋର୍ଟ ଖାରଜ କରିଦେଇଛନ୍ତି।କଳ୍ପନା ଦାସ ଏବଂ ତାଙ୍କ ଝିଅ ହତ୍ୟାକାଣ୍ଡ ମାମଲାରେ ଅନୁପଙ୍କୁ ଗିରଫ କରିଛି ପୋଲିସ। ଅନୁପ ଏବେ ରାଇଗଡ଼ ଜେଲ୍‌ରେ ଅଛନ୍ତି। କୋର୍ଟରେ ମାମଲା ଚାଲିଛି। ପୋଲିସ ପାଖରେ ଯେତିକି ପ୍ରମାଣ ଅଛି ତାହା କୋର୍ଟରେ ଅନୁପଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ ସମର୍ଥ ହେବନି ବୋଲି କୁହାଯାଉଛି। ଚାରି ବର୍ଷ ତଳେ ହୋଇଥିବା ଏହି ହତ୍ୟାକାଣ୍ଡର କେହି ପ୍ରତ୍ୟକ୍ଷଦର୍ଶୀ ନାହାନ୍ତି। ତେଣୁ ନାର୍କୋ ଟେଷ୍ଟ କଲେ ହିଁ ଅନୁପଙ୍କ ମୁହଁରୁ ସବୁ ସତ କଥା ବାହାରିବ ବୋଲି ପୋଲିସ୍ କହିଥିଲା। ଅନୁପଙ୍କ ମୁହଁରୁ ଯାହା ବାହାରିବ ତାକୁ ପୋଲିସ କୋର୍ଟରେ ଉପସ୍ଥାପନ କରିବ ବୋଲି ଆଶା ରଖିଥିଲା।

କେମିତି ଥିଲା ପୂରା ଘଟଣା?

୨୦୧୬ରେ ଝାରସୁଗୁଡ଼ା ସୀମାନ୍ତ ହମିରପୁରରେ ଏକ ନୃଶଂସ ହତ୍ୟାକାଣ୍ଡ ହୋଇଥିଲା। ଦୁଇ ଜଣ ମହିଳାଙ୍କ ବୀଭତ୍ସ ମୃତଦେହ ଚକ୍ରଧରନଗର ଥାନା ପୋଲିସ ଉଦ୍ଧାର କରିଥିଲା। ହେଲେ ମୃତକଙ୍କ ମୁହଁ ବୀଭତ୍ସ ହୋଇଯାଇଥିବାରୁ ସେମାନଙ୍କ ପରିଚୟ ଠିକ୍‌ରେ ମିଳିପାରିନଥିଲା।ଏହି ମୃତଦେହ କାହାର ଏବଂ କେମିତି ଛତିଶଗଡ଼ ସୀମାନ୍ତକୁ ଆସିଲା ତାହା ଜାଣିବା ପାଇଁ ପୋଲିସ ଉଦ୍ୟମ ଆରମ୍ଭ କଲା। ଏଥିପାଇଁ ୬ଟି ରାଜ୍ୟର ୭୦୦ ଲୋକଙ୍କୁ ପଚରା ଉଚରା କରିଥିଲା ଛତିଶଗଡ଼ ପୋଲିସ। ଶେଷରେ ମୃତକଙ୍କ ପରିଚୟ ମିଳିଥିଲା। ମୃତକ ଝାରସୁଗୁଡ଼ା ବ୍ରଜରାଜନଗରର କଳ୍ପନା ଦାସ ଏବଂ ତାଙ୍କ ଝିଅଙ୍କର ବୋଲି ପୋଲିସ ପ୍ରାୟ ବର୍ଷକ ପରେ ଜାଣିଥିଲା। ଏହା ଏକ ହାଇପ୍ରୋଫାଇଲ ହତ୍ୟାକାଣ୍ଡ ବୋଲି ପୋଲିସର ସନ୍ଦେହ ବଢ଼ିଲା।ସ୍ୱତନ୍ତ୍ର ଟିମ୍‌ ଗଠନ କରି ପୋଲିସ ତଦନ୍ତ ଆରମ୍ଭ କଲା। ମୃତ କଳ୍ପନାଙ୍କ କଲ୍‌ ରେକର୍ଡ ଯାଞ୍ଚ କରିବା ପରେ ପୂର୍ବତନ ବିଧାୟକ ଅନୁପ ସାଏ ପୋଲିସ ସ୍କାନରକୁ ଆସିଥିଲେ। ଅନୁପଙ୍କ ବିରୋଧରେ ପ୍ରମାଣ ଠୁଳ କରିବାରେ ଲାଗିପଡ଼ିଲା ପୋଲିସ। ଶେଷରେ ଅନୁପଙ୍କୁ ପୋଲିସ ଗତ କିଛିଦିନ ତଳେ ଝାରସୁଗୁଡ଼ାରୁ ଉଠାଇ ନେଇ ଗିରଫ କରିଥିଲା। ଅନୁପ କାହିଁକି ଏଭଳି ନୃଶଂସ ହତ୍ୟାକାଣ୍ଡ ଭିଆଇଲେ ତାହା ପୋଲିସ ଜାଣିଛି। ହେଲେ ଏବେ କୋର୍ଟରେ ଦୋଷୀ ସାବ୍ୟସ୍ତ କରିବା ପାଇଁ ପୋଲିସ ଅଧିକ ତଥ୍ୟ, ପ୍ରମାଣ ଯୋଗାଡ଼ କରିବାକୁ ଅଭିଯାନ ଆରମ୍ଭ କରିଛି। ନାର୍କୋ ଟେଷ୍ଟ କରି ଅନୁପଙ୍କ ମୁହଁରୁ ଅଧିକ ତଥ୍ୟ ବାହାର କରିବାକୁ ପୋଲିସ ଚାହୁଁଥିଲା। ଯାହାକୁ ସିଜିଏମ୍ କୋର୍ଟ ଖାରଜ କରିଦେଇଛି।

Comment