ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୟାଗଡ଼ର ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତର ନାର୍କୋ ଟେଷ୍ଟ ହୋଇପାରେ। ଏଥିପାଇଁ ନୟାଗଡ଼ ପକସୋ କୋର୍ଟରେ ଏସଆଇଟି ପକ୍ଷରୁ ଆବେଦନ କରାଯାଇଛି। ମଙ୍ଗଳବାର କୋର୍ଟ ଏହି ଆବେଦନର ଶୁଣାଣି କରି ରାୟ ଦେବେ। ତେବେ ଏହି ନାର୍କୋ ଟେଷ୍ଟ କ’ଣ କାହିଁକି କରାଯାଏ ଜାଣନ୍ତି କି?

କୁହାଯାଏ ପୋଲିସ ଭୟରେ ଅଭିଯୁକ୍ତ ଆପେ ଆପେ ସତ ମାନିଥାଏ, ହେଲେ କିଛି କ୍ଷେତ୍ରରେ ଅଭିଯୁକ୍ତଙ୍କ ମୁହଁରୁ ସତ ଆଦାୟ କରିବା ପୋଲିସ ପାଇଁ କାଠିକର ପାଠ ହୋଇଯାଏ। ଏଭଳି କ୍ଷେତ୍ରରେ ସତ ଆଦାୟ କରିବାକୁ ପୋଲିସ ବିଭାଗ ଅନ୍ୟ ଉପାୟ ଆପଣେଇଥାଏ। ଅଭିଯୁକ୍ତଙ୍କ ମୁହଁରୁ ସତ ବାହାର କରିବା ପାଇଁ ପୋଲିସ ଆପଣାଉଥିବା ଉପାୟ ମଧ୍ୟରୁ ନାର୍କୋ ଟେଷ୍ଟ ଗୋଟିଏ।

ନାର୍କୋ ଟେଷ୍ଟ କ?

ନାର୍କୋ ଟେଷ୍ଟ ଅପରାଧୀ ବା ଆରୋପୀ ବ୍ୟକ୍ତି ମୁହଁରୁ ସତ ବାହାର କରିବା ପାଇଁ ହୋଇଥାଏ। ଫରେନସିକ ଏକ୍ସପର୍ଟ, ତଦନ୍ତ ଅଧିକାରୀ, ମନୋବିଜ୍ଞାନୀ, ଡାକ୍ତରଙ୍କ ଉପସ୍ଥିତିରେ ଏହି ପରୀକ୍ଷା ହୋଇଥାଏ।

ଏହି ଟେଷ୍ଟ ପାଇଁ ବ୍ୟକ୍ତିଙ୍କୁ କିଛି ଔଷଧ ଦିଆଯାଇଥାଏ। ଏହାକୁ ଟ୍ରୁଥ୍‌ ଡ୍ରଗ୍‌ ବା ସାଇକୋ ଆକ୍ଟିଭ୍ ଔଷଧ ମଧ୍ୟ କୁହାଯାଏ। ଏହାକୁ ଖାଇବା ଫଳରେ ବ୍ୟକ୍ତି ଜଣକ ଭାବି ଚିନ୍ତି ଉତ୍ତର ଦେବାର କ୍ଷମତା ହରାଇଥାଏ। ସେହି ସମୟରେ ଯାହା ପଚରା ଯାଏ ସେ ସତ କହିଥାନ୍ତି।

କେମିତି ହୁଏ ଟେଷ୍ଟ?

ପ୍ରଥମେ ବ୍ୟକ୍ତି ସ୍ୱାସ୍ଥ୍ୟ ପରୀକ୍ଷା ହୋଇଥାଏ। ବ୍ୟକ୍ତି ଜଣକ ଶାରୀରିକ, ମାନସିକ ଭାବେ ସୁସ୍ଥ ଥିଲେ ଏହି ପରୀକ୍ଷା ହୁଏ। ତା’ ପରେ ବ୍ୟକ୍ତିଙ୍କୁ ସାଇକୋ ଆକ୍ଟିଭ୍ ଔଷଧ ଦିଆଯାଏ। ଏହି ଔଷଧର ପ୍ରଭାବ ଅଳ୍ପ କିଛି ସମୟ ପାଇଁ ରହୁଥିବାରୁ ସେହି ସମୟ ମଧ୍ୟରେ ପୋଲିସ କଥା ଆଦାୟ କରିଥାଏ।

ସତ ଆଦାୟ କରିବା ସହିତ ଏହି ପରୀକ୍ଷାରେ ବ୍ୟକ୍ତିର ଶାରୀରିକ ପ୍ରତିକ୍ରିୟାକୁ ମଧ୍ୟ ଦେଖାଯାଏ। କିଛି କ୍ଷେତ୍ରରେ ବ୍ୟକ୍ତିଙ୍କୁ ମାମଲା ସହ ଜଡ଼ିତ କିଛି ଭିଡିଓ ମଧ୍ୟ ଦେଖାଯାଇଥାଏ। ଭିଡିଓ ଦେଖିବା ପରେ ବ୍ୟକ୍ତିଙ୍କର ପ୍ରତିକ୍ରିୟାରୁ ଜଣା ପଡ଼େ ସେ ମାମଲା ସହ ଜଡ଼ିତ ଅଛନ୍ତି ନା ନାହିଁ।

Comment