ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ର ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ତଦନ୍ତକାରୀ ଟିମକୁ ବଡ଼ ଝଟକା ଲାଗିଛି। ଏହି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ନାବାଳକ ନାର୍କୋ ଟେଷ୍ଟ ପାଇଁ ମନା କରିଦେଇଛି। ସହମତି ନ ମିଳିବାରୁ ଏସଆଇଟି ପକ୍ଷରୁ ଅଭିଯୁକ୍ତର ନାର୍କୋ ଟେଷ୍ଟ ପାଇଁ କରାଯାଇଥିବା ଆବେଦନକୁ ଶୁକ୍ରବାର ଜୁଭେନାଇଲ ଜଷ୍ଟିସ୍ ବୋର୍ଡ ଖାରଜ କରିଦେଇଛନ୍ତି। ତେଣୁ ଅଭିଯୁକ୍ତକୁ ପୁଣି ଅନୁଗୁଳ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି।

ଗତ ୫ ତାରିଖରେ ଅଭିଯୁକ୍ତର ଜନ୍ମ ପ୍ରମାଣପତ୍ର ଏବଂ ମାଟ୍ରିକ ପ୍ରମାଣପତ୍ରକୁ ଆଧାର କରି ଅଭିଯୁକ୍ତ ଜଣେ ନାବାଳକ ବୋଲି ପକସୋ ଅଦାଲତ କହିଥିଲେ। ଏହାପରେ ମାମଲାଟିକୁ ଜୁଭେନାଇଲ ଅଦାଲତକୁ ସ୍ଥାନାନ୍ତର କରାଯାଇଥିଲା। ସେହିଦିନ ଅଭିଯୁକ୍ତ ନାବାଳକର ନାର୍କୋ ଆନାଲିସିସ୍ ଟେଷ୍ଟ ପାଇଁ ଏସ୍ଆଇଟି ଆବେଦନ କରିଥିଲା। ଆଜି ଏହାର ଶୁଣାଣି ହୋଇଥିଲା। ନୟାଗଡ଼ ପୋଲିସ ଅଭିଯୁକ୍ତକୁ ଅନୁଗୁଳ ବାଳ ସୁଧାର ଗୃହରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଆଣି ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଇଥିଲା। ତେବେ ସେଠାରେ ନାବାଳକଜଣକ ନାର୍କୋ ଟେଷ୍ଟ ପାଇଁ ରାଜି ହୋଇନଥିଲା। ଅଭିଯୁକ୍ତଠାରୁ ସହମତି ନ ମିଳିବାରୁ ଜୁଭେନାଇଲ ଜଷ୍ଟିସ୍ ବୋର୍ଡ ନାର୍କୋ ଟେଷ୍ଟ ପାଇଁ ଅନୁମତି ପ୍ରଦାନ କରିନାହାନ୍ତି।

ଅନ୍ୟପଟେ ଅଭିଯୁକ୍ତଠାରୁ ଜବତ ହୋଇଥିବା ମୋବାଇଲର ଫରେନସିକ୍ ଯାଞ୍ଚ୍ ପାଇଁ ଏସଆଇଟି ଆଜି ଜୁଭେନାଇଲ ଜଷ୍ଟିସ ବୋର୍ଡରେ ଆବେଦନ କରିଛି। ଜବତ ମୋବାଇଲକୁ କୋଲକାତାର ସିଏଫ୍ଏସ୍ଏଲକୁ ପଠାଇବା ଲାଗି ଆବେଦନ କରାଯାଇଛି।

ଏହାପୂର୍ବରୁ ୪ ତାରିଖ ଦିନ ଅଭିଯୁକ୍ତର ନାର୍କୋ ଟେଷ୍ଟ ପାଇଁ ଏସଆଇଟି ପକ୍ଷରୁ ଆବେଦନ କରାଯାଇଥିଲା। କିନ୍ତୁ ପକ୍ସୋ କୋର୍ଟ ୫ ତାରିଖ ଦିନ ନାର୍କୋ ଟେଷ୍ଟ ପାଇଁ ମନା କରିବା ସହ ଅଭିଯୁକ୍ତ ନାବାଳକକୁ ଅନୁଗୁଳ ବାଳ ସୁଧାର ଗୃହକୁ ପଠାଇଦେଇଥିଲେ।

Comment